Latest Odisha News

BREAKING NEWS

ବଢୁଛି କଂଗ୍ରେସ କଳି: ପୁଣି ଅସନ୍ତୋଷ ଝାଡିଲେ ତାରା

ଭୁବନେଶ୍ବର: ରାଜ୍ୟରେ ଏବେ କଂଗ୍ରେସର ସ୍ଥିତି ଦୟନୀୟ ଥିବା ବେଳେ ଦିନକୁ ଦିନ ବଢିବାରେ ଲାଗିଛି ଦଳୀୟ କନ୍ଦଳ । ସ୍ଥିତି ଏମିତି କି ଯେ ନିର୍ବାଚନକୁ ପାଖାପାଖି ଅଢେଇ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସକୁ ମୁଖିଆ ମିଳିପାରିଲେ ନାହିଁ । ଅତି କଷ୍ଟରେ ଚଳିତ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭର ପୂର୍ବ ଦିନ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡାମଙ୍କୁ ଚୟନ କରାଯାଇଥିଲା । ସେଥିରେ ବି କିଛି ଦଳୀୟ ନେତା ଅସନ୍ତୋଷ ଥିବାର ଗନ୍ଧ ବାରି ହେଉଛି ।

ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀ ପତି । ଏବେ ପୁଣି ତାରା ଦଳ ଉପରେ ନିଜର ଅସନ୍ତୋଷ ଝାଡିଛନ୍ତି । କଂଗ୍ରେସ ଦଳୀୟ କନ୍ଦଳକୁ ନେଇ ବରିଷ୍ଠ ବିଧାୟକ ତାରା ବିସ୍ଫୋରକ ବୟାନ ଦେଇଛନ୍ତି । ଏନେଇ ତାରା କହିଛନ୍ତି,  ଏଠି(କଂଗ୍ରେସ) କାହାସହ କାହାର ମତ ଠିକ୍‌ ନାହିଁ । ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି । କଂଗ୍ରେସରେ ବିଭାଜନ ସୃଷ୍ଟି ହେଉଛି । ଯାହା ଅନୁଚିତ । ଏହା ସହିତ ଦଳରେ କାହାର ଦଳୀୟ ସ୍ବାର୍ଥ ପ୍ରତି ଚିନ୍ତା ନାହିଁ ବୋଲି କହିଛନ୍ତି ତାରା । ସମସ୍ତେ କେବଳ ନିଜ ସ୍ବାର୍ଥ ହାସଲ ପାଇଁ ଚେଷ୍ଟା କରିଚାଲିଛନ୍ତି । ଏଥିପାଇଁ ସାଧାରଣ ଲୋକ କେବେ ବି କ୍ଷମା ଦେବେନି ବୋଲି ତାରା ତାଗିଦ୍ କରି କହିଛନ୍ତି ।

ଖାଲି ସେତିକି ନୁହେଁ ଏହା ସହିତ ତାରା ଏହାବି କହିଛନ୍ତି, ମୋତେ ଖାଲି ବିଜେଡି, ବିଜେପି ବିରୋଧ କରୁନାହାନ୍ତି । ଏଥିସହିତ କଂଗ୍ରେସ ବି ମୋତେ ବିରୋଧ କରୁଛି । ତେଣୁ ମୁଁ ମୋ ନିର୍ବାଚନ ମଣ୍ଡଳୀ ଭିତରେ ରହିଛି ବୋଲି କହିଛନ୍ତି ତାରା ।

ତେବେ ଖାଲି ତାରା ନୁହେଁ, କଂଗ୍ରେସରେ ଦଳୀୟ କନ୍ଦଳ ଏବେ ଫୁଟିକି ଦେଖାଗଲାଣି । ଯାହା ଏହି ନିକଟରେ ଦେଖିବାକୁ ମିଳିଛି । ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ, ଦଳରେ ସେ ଅବ୍ୟବହୃତ ବୋଲି କହି ଦଳ ତ୍ୟାଗ କରିଛନ୍ତି । ଦଳରେ ତାଙ୍କର କିଛି ସମ୍ମାନ ନାହିଁ କି ସ୍ଥାନ ନାହିଁ ବୋଲି କହି ଦଳ ଛାଡିଥିଲେ ବିଜୟ ।

Comments are closed.