Latest Odisha News

BREAKING NEWS

‘ଓଡ଼ିଶାକୁ ସୁଟ୍ ବୁଟ୍ ପିନ୍ଧୁଥିବା ଲୋକଙ୍କ ସୁଅ ଛୁଟିଲାଣି, ଓଡ଼ିଶାକୁ ସମ୍ପୂର୍ଣ୍ଣ ଲୁଟିନେବେ’

ଭୁବନେଶ୍ୱର: ଓଡ଼ିଶାକୁ ଜଙ୍ଗଲ, ଜମି, ଖଣି ଓ ପାଣି ଲୁଟେରା ସରକାର ଆସୁଛି । ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ମୋଦି ଲୁଟିନେବାକୁ ଯୋଜନା କରିଥିବା କହି ଓଡିଶାବାସୀଙ୍କୁ ଚେତାଇଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ପୂର୍ବରୁ ଭାରତୀୟ ଜନତା ପାର୍ଟିର ସରକାର ଛତିଶଗଡ଼, ଗୁଜରାଟ ଓ ମଧ୍ୟପ୍ରଦେଶରେ ଜଙ୍ଗଲ, ଜମି ଲୁଟି ସଫା କରିଦେଇଛି । ଏବେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ଼ ଭଳି ଜିଲ୍ଲାର ଆଦିବାସୀ, ଅନୁସୂଚୀତ ଜାତି ଓ ଜନଜାତିଙ୍କ ଜମି, ଘରଦ୍ୱାର ଉପରେ ଏହି ସରକାରର ଲୋଲୁପ ଦୃଷ୍ଟି ପଡ଼ିଛି ।

ସେ ଆହୁରି କହିଛନ୍ତି, ତେବେ କଂଗ୍ରେସ ଏହା କରାଇ ଦେବନି । କଂଗ୍ରେସର ୧୪ ବିଧାୟକ ୧୪୦ ବିଧାୟକଙ୍କ ସହ ସମାନ । ସେମାନେ ବିଧାନସଭାରେ ଓ ବିଧାନସଭା ବାହାରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ, ସେମାନଙ୍କ ଜଙ୍ଗଲ ଜମିର ସୁରକ୍ଷା ପାଇଁ କାର୍ଯ୍ୟ କରିବେ । ତେଣୁ ଆମେ ଓଡ଼ିଶାବାସୀଙ୍କ ହାତ ଛାଡ଼ିବୁ ନାହିଁ । ଓଡ଼ିଶାବାସୀ ମଧ୍ୟ ଆମ ହାତ ଛାଡନ୍ତୁ ନାହିଁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର କହିଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ ପଡ଼ିବ । କାରଣ ଆଗାମୀ ଦିନରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇବା ସହ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିବ । ଏବେଠାରୁ ହଠାତ୍ ଓଡ଼ିଶାକୁ ସୁଟ୍ ବୁଟ୍ ପିନ୍ଧୁଥିବା ଲୋକଙ୍କ ସୁଅ ଛୁଟିଲାଣି । ସେମାନେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଲୁଟିନେବାକୁ ଉଦ୍ୟମ କରିବେ । ତେବେ କଂଗ୍ରେସ ସେମାନଙ୍କୁ ମୁକାବିଲା କରିବ । ଆସନ୍ତା ୫ବର୍ଷ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ କଂଗ୍ରେସର ଲଢ଼େଇ ଆହୁରି ଜୋରଦାର ହେବ ଅଜୟ କୁମାର କହିଛନ୍ତି ।

Leave A Reply

Your email address will not be published.