Latest Odisha News

BREAKING NEWS

କଂଗ୍ରେସ ନେତା କୃଷ୍ଣ ସଗରିଆ ବିଧାୟକ ପଦରୁ ଇସ୍ତଫା ଦେଲେ

ଭୁବନେଶ୍ୱର: କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଙ୍ଗଳବାର ଦିନ ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

“ମୁଁ ଓଡ଼ିଶା ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେବାକୁ ସ୍ଥିର କରିଛି । ମୋର ଏହି ପତ୍ରଟିକୁ ‘ଇସ୍ତଫା ପତ୍ର’ ଭାବେ ବିବେଚନା କରିବାକୁ ଅନୁରୋଧ,” ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଉଦ୍ଦେଶ୍ୟରେ ଲେଖିଥିବା ତାଙ୍କ ଇସ୍ତଫା ପତ୍ରରେ ଏହା ଉଲ୍ଲେଖ କରିଛନ୍ତି ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, କୋରାପୁଟ ଜିଲ୍ଲାର ଜନ ପ୍ରତିନିଧି ଭାବେ ମୁଁ ପ୍ରତିନିଧିତ୍ୱ କରୁଛି । କୁନ୍ଦୁଲୀ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କୁ ଏଯାଏଁ ନ୍ୟାୟ ମିଳିପାରିନଥିବାରୁ ମୁଁ ଇସ୍ତଫା ପ୍ରଦାନ କଲି ।

“୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ୧୫ ବର୍ଷର ଜଣେ ନାବାଳିକାକୁ କୁନ୍ଦୁଲୀଠାରେ ଗଣଦୁଷ୍କର୍ମ କରାଯାଇଥିଲା, ଏବଂ ସମଗ୍ର ରାଜ୍ୟରେ ଏହି ଘଟଣାର ଖବର ବ୍ୟାପୀଯାଇଥିଲା । ଏହି ଦଳିତ ନାବାଳିକା ଜଣକ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଶେଷରେ ଏହିି ବର୍ଷ ଜାନୁଆରୀ ୨୨ ତାରିଖରେ ନିଜର ମୁଷାଗୁଡ଼ା ବାସଗୃହରେ ଆତ୍ମହତ୍ୟା କରିଥିଲା । ଯଦିଓ ଏହି ପୀଡ଼ିତା ଜଣକ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଗୁହାରୀ କରିଥିଲେ ମଧ୍ୟ ଏହି ଘଟଣାର ତାହା କେହି ଶୁଣିନଥିଲେ । ମୁଁ କୋରାପୁଟ ଜିଲ୍ଲାର ଜନ ପ୍ରତିନିଧି ଭାବେ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ମଧ୍ୟ କରିଥିଲି । କୁନ୍ଦୁଲୀ ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କ ମୃତ୍ୟୁ ପରେ ମୁଁ ଜନପ୍ରତିନିଧି ଭାବେ ରହିବି ନା ନାହିଁ ବାରମ୍ବାର ନିଜକୁ ନିଜେ ପଚାରୁଥିଲି ।”ବୋଲି କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି ।

ପୀଡ଼ିତା ଜଣକ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିବେ ବୋଲି କହିଥିଲେ ମଧ୍ୟ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇନଥିଲେ । “ଓଡ଼ିଶାରେ ବଡ଼ ବଡ଼ ପ୍ରଶାସନିକ ଅଧିକାରୀ ଏବଂ ରାଜନୈତିକ ନେତାଙ୍କ ଲାଗି କ’ଣ ନ୍ୟାୟ ଉଦ୍ଦିଷ୍ଟ? ମୋତେ ପ୍ରତିଦିନ ପୀଡ଼ିତା ଜଣକ ଯେପରି କହୁଛନ୍ତି ତୁମେ କାହିଁକି ମୋତେ ନ୍ୟାୟ ପ୍ରଦାନ କଲ ନାହିଁ? ଶେଷରେ, ମୁଁ ଅନୁଭବ କଲି ଯେ, ଲୋକମାନେ ଯେଉଁଥିଲାଗି ମୋ ଉପରେ ଭରସା କରି ନିର୍ବାଚିତ କରିଥିଲେ ମୁଁ ତାହା ପାଳନ କରିପାରିଲିନାହିଁ । ଶେଷରେ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲି,”ବୋଲି କହିଛନ୍ତି କୃଷ୍ଣ ସଗରିଆ ।

ସେ ଗଣମାଧ୍ୟମ ଆଗରେ ପ୍ରକାଶ କରି କହିଛନ୍ତି, ଏବେ ସେ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମଗୁଡ଼ିକୁ ଗସ୍ତ କରି ଦଳିତଙ୍କ ଅଧିକାର ପ୍ରତି କାର୍ଯ୍ୟ କରିବି । ବାବା ସାହେବ ଆମ୍ବେଦକରଙ୍କର ମହାପ୍ରୟାଣ ଦିବସ ଡ଼ିସେମ୍ବର ୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । “ଏହି ଅବସରରେ, ଆମେ ଦଳିତମାନଙ୍କୁ ନ୍ୟାୟ ପ୍ରଦାନ ଲାଗି ଏହି ଉତ୍ସବରେ ମୁଁ ଶପଥ ନେବି,” ବୋଲି ସେ କହିଛନ୍ତି ।

Leave A Reply

Your email address will not be published.