Latest Odisha News

ଦିଲ୍ଲୀରେ ରେଖା ସରକାର: ୩୦ ବର୍ଷ ତଳର ଫଟୋ ସେୟାର କରି କିଛି ଏପରି କହିଲେ କଂଗ୍ରେସ ନେତ୍ରୀ…..

ନୂଆଦିଲ୍ଲୀ: ୨୭ ବର୍ଷ ପରେ ଦିଲ୍ଲୀ ଶାସନ ଭାର ସମ୍ଭାଳିବେ ଆଉ ଜଣେ ମହିଳା ନେତ୍ରୀ । ଗତ ୮ ତାରିଖରେ ଦିଲ୍ଲୀରେ ବିଜେପି ବଡ ବିଜୟ ହାସଲ କରିବା ପରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ନାଁରେ ମୋହର ମାରିଛି ଦଳ । ଆଉ କିଛି ସମୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରେଖା ଗୁପ୍ତା । ଏହି ସମୟରେ ଦିଲ୍ଲୀର ରାମଲାଲା ମଇଦାନରେ ଜମିଛି ବିଜେପି ନେତା ଓ ସମର୍ଥକଙ୍କ ଭିଡ ।

ଏହାରି ଭିତରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା, ଦଳୀୟ ରାଜନୀତିକୁ ପାଶୋରି, ଦିଲ୍ଲୀର ନିର୍ବାଚିତ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ଏକ ପୁରୁଣା ସ୍ମୃତିକୁ ମନେ ପକାଇ, ପୁଣି ସେ ସମୟକୁ ତାଜା କରିଛନ୍ତି । ଏକ୍ସରେ ସେ ୧୯୯୫ ମସିହାର ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଏବଂ ରେଖା ଉଭୟ ଏକାଠି ଶପଥ ନେଇଛନ୍ତି । ଏହି ସମୟକୁ ମନେପକାଇ ସେ ରେଖାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଅଳକା ୧୯୯୫ ମସିହାର ଏକ ପୁରୁଣା ଫଟୋ ସେୟାର କରିଥିଲେ, ଯେଉଁଥିରେ ଅଳକା ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ) ରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (ଡିୟୁଏସୟୁ) ସଭାପତି ଭାବରେ ଶପଥ ନେଇଥିବା ବେଳେ ରେଖା ଗୁପ୍ତା ଏବିଭିପିରୁ ସାଧାରଣ ସମ୍ପାଦକ ଭାବରେ ଶପଥ ନେଇଥିଲେ ।

ଏହି ସମୟର ମୁହୂର୍ତ୍ତଟିକୁ ମନେପକାଇ ନିଜ ଏକ୍ସରେ କଂଗ୍ରେସ ନେତ୍ରୀ ଲେଖିଛନ୍ତି, ୧୯୯୫ ମସିହାର ଏହି ସ୍ମରଣୀୟ ଫଟୋ, ଯେତେବେଳେ ରେଖା ଗୁପ୍ତା ଏବଂ ମୁଁ ଏକାଠି ଶପଥ ନେଇଥିଲୁ । ମୁଁ ଏନଏସୟୁଆଇ ରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ସଭାପତି ପଦବୀରେ ବିଜୟୀ ହୋଇଥିଲି ଏବଂ ରେଖା ଏବିଭିପି ସାଧାରଣ ସମ୍ପାଦକ ପଦବୀରେ ବିଜୟୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ରେଖା ଗୁପ୍ତାଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା । ଦିଲ୍ଲୀକୁ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ପାଇବା ପାଇଁ ଅଭିନନ୍ଦନ ଏବଂ ଆମେ ଆଶା କରୁଛୁ ଯେ ମା ଯମୁନା ସ୍ୱଚ୍ଛ ରହିବେ ଏବଂ ଝିଅମାନେ ସୁରକ୍ଷିତ ରହିବେ ।

୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ରେଖା ଗୁପ୍ତା ଆପ୍‌ର ବନ୍ଦନା କୁମାରୀଙ୍କୁ ୨୯,୫୯୫ ଭୋଟରେ ପରାସ୍ତ କରିଥିଲେ। ଗତକାଲି ବିଜେପି ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାଁ ଘୋଷଣା କରାଯାଇଛି । ସୁଷମା ସ୍ବରାଜ ୧୯୯୮ରେ ଦିଲ୍ଲୀର ଶେଷ ପ୍ରଥମ ଏବଂ ଶେଷ ବିଜେପି ମହିଳା ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ପରେ ଦୀର୍ଘ ୨୭ ବର୍ଷ ପରେ ବିଜେପି ଦ୍ବିତୀୟ ଥର ପାଇଁ ଆଉ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ନାଁ ଦିଲ୍ଲୀ ଶାସନରେ ଯୋଡିଛି । ଏଥିସହିତ ୨୭ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ବିଜେପି କ୍ଷମତାକୁ ଫେରିବା ପରେ ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବେ । ଏଥିସହିତ ପରବେଶ ବର୍ମା, କପିଲ ମିଶ୍ର, ମନଜିନ୍ଦର ସିଂହ ସିରସା, ରବିନ୍ଦ୍ର ରାଜ, ଆଶିଷ ସୁଦ ଏବଂ ପଙ୍କଜ ସିଂହ ଦିଲ୍ଲୀରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେବେ ।

Comments are closed.