ନୂଆଦିଲ୍ଲୀ: ଏଣିକି ଦିଲ୍ଲୀରେ ଚାଲିବ ରେଖା ରାଜ୍ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ଉପରେ ମୋହର ଲଗାଇଛି ବିଜେପି । ଗତକାଲି ବସିଥିବା ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁ ଘୋଷଣା କରାଯାଇଛି । ଶାଲୀମାର ବାଗ ବିଧାନସଭା ସିଟରୁ ପ୍ରଥମ ଥର ପାଇଁ ବିଜେପିର ବିଧାୟକ ହୋଇଥିବା ରେଖା ଗୁପ୍ତାଙ୍କୁ ବିଜେପି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି । ରେଖାଗୁପ୍ତାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ଏବେ ସାଧାରଣରେ ରେଖାଙ୍କ ବିଷୟରେ ଚର୍ଚ୍ଚା ବଢିଛି । କିଏ ରେଖା ଗୁପ୍ତା? କେଉଁଠି ତାଙ୍କ ଘର? ତାଙ୍କ ସମ୍ପତ୍ତି କେତେ? ତାଙ୍କ ପରିବାର ତଥା ତାଙ୍କ ସ୍ଵାମୀ କିଏ? ଏପରି ଅନେକ ପ୍ରଶ୍ନ ଏବେ ସାଧାରଣରେ ଘନେଇବାରେ ଲାଗିଛି ।
କହିରଖୁଛୁ ଯେ, ରେଖା ଗୁପ୍ତା ବଣିଆ ସମ୍ପ୍ରଦାୟର ଅଟନ୍ତି । ରେଖା ଗୁପ୍ତା ମୁଳତଃ ହରିୟାଣା ଜିନ୍ଦରର ବାସିନ୍ଦା। ହେଲେ ତାଙ୍କୁ ଯେତେବେଳେ ୨ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ପୁରା ପରିବାର ଦିଲ୍ଲୀ ଚାଲିଆସିଥିଲେ। ରେଖା ପେଶାରେ ଜଣେ ଓକିଲ। ହେଲେ ଏହା ପୂର୍ବରୁ ସେ ଜଣେ କାଉନସିଲର ଥିଲେ। ରେଖା ଗୁପ୍ତା ବିଧାନସଭା ନିର୍ବାଚନ ବେଳେ ଯେଉଁ ନାମାଙ୍କନ ପତ୍ର ଭରିଥିଲେ ସେଥିରେ ତାଙ୍କ ସମ୍ପତ୍ତିର ତାଲିକା ଦିଆଯାଇଥିଲା। ଯାହା ଏବେ ସାମ୍ନାକୁ ଆସିଛି।
ତାଲିକାରେ ରେଖାଙ୍କ ସମ୍ପତ୍ତି ବିଷୟରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା । କହିବାକୁ ଗଲେ ରେଖା ଗୁପ୍ତାଙ୍କ ବାର୍ଷିକ ଆୟ ପାଖାପାଖି ୭ ଲକ୍ଷ ଟଙ୍କା। ୨୦୨୩-୨୪ ବର୍ଷରେ ରେଖାଙ୍କ ବାର୍ଷିକ ଆୟ ୬.୯୨ ଲକ୍ଷ ଥିଲା । ସେହିପରି ୨୦୨୨-୨୩ରେ ୫ ଲକ୍ଷ, ୨୦୨୧-୨୨ରେ ୬.୫ ଲକ୍ଷ, ୨୦୨୦-୨୧ରେ ୬ଲକ୍ଷ ଓ ୨୦୧୯-୨୦ରେ ମଧ୍ୟ ସମାନ ୬ ଲକ୍ଷ ଟଙ୍କା ଥିଲା । ତେବେ ତାଲିକାରେ କେବଳ ରେଖା ଗୁପ୍ତାଙ୍କର ନୁହେଁ ତାଙ୍କ ସ୍ୱାମୀଙ୍କର ମଧ୍ୟ ବାର୍ଷିକ ଆୟର ତାଲିକା ଏବେ ସର୍ବ ସମ୍ମୁଖକୁ ଆସିଛି। ରେଖାଙ୍କ ସ୍ୱାମୀଙ୍କ ନାଁ ହେଉଛି ମନୀଷ ଗୁପ୍ତା। ୨୦୨୩-୨୪ ବର୍ଷରେ ମନୀଝଙ୍କ ବାର୍ଷିକ ଆୟ ୯୭ ଲକ୍ଷ ଟଙ୍କା ଥିବା ବେଳେ ୨୦୨୨-୨୩ରେ ୬୫ଲକ୍ଷ ଓ ୨୦୨୧-୨୨ରେ ୨୩ ଲକ୍ଷ ଟଙ୍କା ଥିଲା ।
Comments are closed.