Latest Odisha News

BREAKING NEWS

‘ଲୁଣ’ ବିବାଦ: ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରି ଅଡୁଆରେ କଂଗ୍ରେସ ନେତା

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇଥିଲେ । ସେଠାରେ ସେ ସାବରମତି ଆଶ୍ରମ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।  ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ଦେଇ କହିଥିଲେ ଗୁଜରାଟରେ 76 ପ୍ରତିଶତ ଲୁଣ ଉତ୍ପାଦନ ହେଉଛି । ଏହା କୁହାଯାଇପାରେ ଯେ ସବୁ ଦେଶବାସୀ ଗୁଜରାଟର ଲୁଣ ଖାଉଛନ୍ତି । ରାଷ୍ଟ୍ରପତିଙ୍କର ଏହି ଭାଷଣରେ କାହାର ସମ୍ମାନହାନି ହେବା ଭଳି ବକ୍ତବ୍ୟ ଥିବା ଜଣାପଡୁନାହିଁ । କିନ୍ତୁ ଏହି ବକ୍ତବ୍ୟକୁ ନେଇ କଂଗ୍ରେସ ନେତା ଯେଉଁଭଳି ମତ ରଖିଛନ୍ତି ତାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି ।

 କଂଗ୍ରେସ ନେତା ଉଦିତ ରାଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ  ସମାଲୋଚନା କରି ଦେଶରେ ବଡ଼ ବିବାଦ ସୃଷ୍ଟି କରିଛନ୍ତି । ତାଙ୍କର ମାନସିକତା ତାଙ୍କ  ଟ୍ବିଟ୍‌ରେ ପରିପ୍ରକାଶ ହୋଇଛି । ସେ କହିଛନ୍ତି ‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଗୁଲାମୀ’ କରୁଛନ୍ତି ।  କୌଣସି ବି ରାଷ୍ଟ୍ର ଦ୍ରୌପଦୀ ମୁର୍ମୁଜୀଙ୍କ ଭଳି ରାଷ୍ଟ୍ରପତି ପାଇବା ଉଚିତ ନୁହେଁ। ଏଭଳି କଥାକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି  । ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି କଂଗ୍ରେସ ପ୍ରଥମେ ଭୁଲ ମାଗିବା ଉଚିତ । କଂଗ୍ରେସ ନେତାମାନେ ବାରମ୍ବାର ଏପରି ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି । ଏଭଳି ବକ୍ତବ୍ୟ ଦୁର୍ଭାଗ୍ୟପୂର୍ଣ୍ଣ ଓ ଚିନ୍ତାଜନକ । ଏଭଳି ବକ୍ତବ୍ୟ ତାଙ୍କ ଆଦିବାସୀ ବିରୋଧୀ ମାନସିକତାକୁ ଦର୍ଶାଉଥିବା ସେ କହିଛନ୍ତି ।

ଦେଶର ଲବଣ ଶିଳ୍ପକୁ ଗୁଜରାଟର ଅବଦାନ ସମ୍ପର୍କରେ ଉଲ୍ଲେଖ କରି ରାଷ୍ଟ୍ରପତି ଏଭଳି ମନ୍ତବ୍ୟ ଦେଇଥିବା ବେଳେ ଏହାକୁ ବିରୋଧ କରି ଉଦିତ ରାଜ ରାଷ୍ଟ୍ରପତିଙ୍କ ବିରୋଧରେ ଯେଉଁ ବିବାଦୀୟ ବୟାନ ଦେଇଛନ୍ତି ସେଥିପାଇଁ ଉଦିତ ରାଜଙ୍କୁ ସତର୍କ କରାଇଛନ୍ତି ସମ୍ବିତ ପାତ୍ର । ଏଥିପାଇଁ ଉଦିତ ରାଜ ଦେଶବାସୀଙ୍କ ନିକଟରେ  ଭୁଲ ମାଗିବାକୁ ସମ୍ବିତ ପାତ୍ର କହିଛନ୍ତି ।

ଉଦିତ ରାଜ ରାଷ୍ଟ୍ରପତିଙ୍କୁ ସମାଲୋଚନା କରି କହିଛନ୍ତି ଯେ ଆଦିବାସୀଙ୍କ ନାମରେ ପଦ ହାସଲ ହେଉଛି, କିନ୍ତୁ ଆଦିବାସୀଙ୍କ ସ୍ଥିତି ବଦଳୁନାହିଁ। ଏହାପୁ ନେଇ ସମ୍ବିତ ପାତ୍ର  କହିଛନ୍ତି ସର୍ବୋଚ୍ଚ ପଦବିରେ ବସିଥିବା ଜଣେ ଆଦିବାସୀ ମହିଳାଙ୍କୁ ଏପରି ସମାଲୋଚନା କରିବା କଂଗ୍ରେସର ସଂକୀର୍ଣ୍ଣ ମାନସିକତା । ସେହିପରି  ଏହି ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି କାହିଁକି ଉଦିତ ରାଜଙ୍କୁ ପ୍ରଶ୍ନ କରୁନାହାନ୍ତି ବୋଲି ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ ପ୍ରଶ୍ନ କରିଛନ୍ତି। ଏଭଳି ଆଦିବାସୀ ବିରୋଧୀ ମାନସିକତା ସହିତ ସୋନିଆଙ୍କ ମାନସିକତା ମଧ୍ୟ ମେଳ ଖାଉଛି ବୋଲି ସେ କହିଛନ୍ତି।

 କେବଳ ବିଜେପି ନୁହେଁ ଜାତୀୟ ମହିଳା କମିସନ୍‌ ମୁଖ୍ୟ ରେଖା ଶର୍ମା ଉଦିତ ରାଜଙ୍କ ବକ୍ତବ୍ୟକୁ ନେଇ ଉଦିତ ରାଜଙ୍କୁ ନୋଟିସ୍‌ ପଠାଇଛନ୍ତି । ଉଦିତ ରାଜ ରାଷ୍ଟ୍ରପତିଙ୍କ ପାଇଁ  ଅପମାନଜନକ ଟିପ୍ପଣୀ ଦେଇଛନ୍ତି ତେଣୁ ସେ କ୍ଷମା ମାଗିବା ଉଚିତ ବୋଲି ରେଖା ଶର୍ମା କହିଛନ୍ତି।

ଏସବୁ ଭିତରେ ଏତିକି କୁହାଯାଇପାରେ ଯେ ଭାରତ ଯୋଡୋ ଯାତ୍ରା ଭିତରେ କଂଗ୍ରେସ ନେତା କିଭଳି ଏଭଳି  ବିବାଦୀୟ ଟ୍ବିଟ୍‌ ପ୍ରକାଶ କରିପାରୁଛନ୍ତି । ଏହା ପରେ ମଧ୍ୟ ରାହୁଲ ଗାନ୍ଧୀ କି ଜୟରାମ ରମେଶ , ଦିଗବିଜୟ ସିଂହଙ୍କ ଭଳି ବରିଷ୍ଠ ନେତା ଏହା ଉପରେ ସ୍ପଷ୍ଟିକରଣ ଦେଇନାହାଁନ୍ତି । ସେମାନେ ଏଭଳି ପ୍ରସଙ୍ଗରେ ଚୁପ ରହିଛନ୍ତି ।  ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟର ଜଣେ  ସାଧାରଣ ନେତ୍ରୀ ରାଷ୍ଟ୍ରପତି ହେବା ପରେ ତାଙ୍କୁ ଅସମ୍ମାନ କରାଯାଇଥିବା ବେଳେ ଏଠି ମଧ୍ୟ ସେଭଳି ବିରୋଧ ପ୍ରଦର୍ଶନ କରାଯାଇନାହିଁ । ଯଦି ରାଷ୍ଟ୍ରପତି ଅନ୍ୟ କେଉଁ ରାଜ୍ୟର ହୋଇଥାନ୍ତେ ତେବେ ଏବେ ଦେଶରେ ଏହି ପ୍ରସଙ୍ଗ ବଡ଼ ବିତର୍କ ହୋଇଥାନ୍ତା । ସେ ରାଜ୍ୟର ଜନତା ଓ ନେତା ନିଶ୍ଚୟ କଂଗ୍ରେସକୁ ବାରମ୍ବାର ପ୍ରଶ୍ନ କରିଥାନ୍ତେ ଏବଂ ଭୁଲ ମାଗିବା ପର୍ଯ୍ୟନ୍ତ ଦାବି କରିଥାନ୍ତେ ।  ତେବେ ଏତିକି କୁହାଯାଇପାରେ ଦେଶର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏପରି ଅପମାନସୂଚକ  ମନ୍ତବ୍ୟ ଦେବା କେବେ ଗ୍ରହଣଯୋଗ୍ୟ ନୁହେଁ । ଏଭଳି ମନ୍ତବ୍ୟକୁ ଚାରିଆଡୁ ନିନ୍ଦା କରାଯିବା ଜରୁରୀ ।

Comments are closed.