Latest Odisha News

ଇଣ୍ଡିଆ ବୈଠକର ଦ୍ୱିତୀୟ ଦିନ: କପିଲ ଶିବଲଙ୍କୁ ଦେଖି ହଜିଗଲା ମେଣ୍ଟର ରଙ୍ଗ

ମୁମ୍ବାଇ: ୨ୟ ଦିନରେ ହଜିଗଲା କି ଇଣ୍ଡିଆର ରଙ୍ଗ ? କମିଗଲା କି ଜୋଶ ? କପିଲ ଶିବଲଙ୍କୁ ବୈଠକରେ ଦେଖି ଶୁଖିଗଲା କଂଗ୍ରେସ ନେତାଙ୍କ ମୁହଁ ।  ମୁମ୍ବାଇରେ ଚାଲିଛି ବିରୋଧୀ ମେଣ୍ଟ ଇଣ୍ଡିଆର ଦ୍ୱିତୀୟ ଦିନର ବୈଠକ । ଦ୍ୱିତୀୟ ଦିନର ବୈଠକରେ ସାମିଲ ହୋଇଥିଲେ ରାଜ୍ୟସଭା ସାଂସଦ କପିଲ ଶିବଲ । କପିଲ ଶିବଲଙ୍କର ଅପ୍ରତ୍ୟାଶିତ ଆସିବା ଘଟଣାକୁ କଂଗ୍ରେସ ନେତା ସହଜରେ ହଜମ କରିପାରି ନ ଥିଲେ ।

ପ୍ରକୃତ କଥା ହେଲା, କପିଲ ସିବଲଙ୍କୁ ବୈଠକକୁ ବିଦ୍ଧିବଦ୍ଧ ଭାବେ ଆମନ୍ତ୍ରଣ କରାଯାଇ ନ ଥିଲା  । ହେଲେ ହଠାତ ସେ ପହଞ୍ଚିବା ସମସ୍ତଙ୍କୁ ଅସହଜ କରି ଦେଇଥିଲା । ଫଟୋ ସେସନରେ କିଛି ନେତା ତାଙ୍କ ଉପସ୍ଥିତିକୁ ନେଇ ଖୁସି ନ ଥିବା ସ୍ପଷ୍ଟ ଜଣାପଡିଥିଲା ।

ଏପରିକି କଂଗ୍ରେସ ନେତା କେସି ବେଣୁଗୋପାଳ ଫଟୋ ଉଠିବା ପୂର୍ବରୁ ତାଙ୍କର ହଠାତ ଆଗମନକୁ ନେଇ ଉଦ୍ଧବ ଠାକରେଙ୍କ ଆଗରେ କଥା ଉଠାଇଥିଲେ । ଫାରୁକ ଅବଦୁଲା, ଅଖିଳେଶ ଯାଦବ ତାଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ । ଏପରିକି ରାହୁଲ ଗାନ୍ଧି ମଧ୍ୟ କହିଥିଲେ ‘ମୋର କେହି ଆସିବାରେ ଆପତ୍ତି ନାହିଁ ।’

ଶେଷରେ କପିଲ ଶିବଲ  ଫଟୋ ସେସନରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ଏବଂ ବୈଠକକୁ ତାଙ୍କୁ ସ୍ୱାଗତ କରାଯାଇଥିଲା ।

ଏଠି କହିରଖିବୁ, କପିଲ ଶିବଲ ଦିନେ କଂଗ୍ରେସର ବଡ ନେତାଙ୍କ ମଧ୍ୟରେ ଗଣା ଯାଉଥିଲେ । ହେଲେ ୨୦୨୨ ମେରେ କଂଗ୍ରେସ ଛାଡି ସମାଜବାଦୀ ପାର୍ଟିରେ ମିଶିଥିଲେ। ୟୁପିଏ ସରକାର ସମୟରେ ସେ କେନ୍ଦ୍ର ଆଇନ ମନ୍ତ୍ରୀ ଠାରୁ ଆରମ୍ଭ କରି ମାନବ ସଂସାଧନ ବିକାଶ ମନ୍ତ୍ରୀ ପଦରେ ରହି ଆସିଥିଲେ । ସେ ପାର୍ଟିକୁ ସବୁଠାରୁ ଅଧିକ ଚାନ୍ଦା ଦେଉଥିବା ମନ୍ତ୍ରୀଙ୍କ ମଧ୍ୟରୁ ଜଣା ଥିଲା । ହେଲେ କିଛି ଦିନ ଧରି ସେ କଂଗ୍ରେସ ନେତୃତ୍ୱକୁ ନେଇ ଖୁସି ନ ଥିଲେ । ତେଣୁ ଦଳ ଛାଡି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ ।

ଆଜିର ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହଲ ଗାନ୍ଧୀ, ଶରଦ ପାୱାର, ଉଦ୍ଧବ ଠାକରେ, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ଲାଲୁ ଯାଦବ, ଏମ.କେ.ଷ୍ଟାଲିନ, ଫାରୁକ ଅବଦୁଲ୍ଲା, ତେଜସ୍ୱୀ ଯାଦବ, ସୀତାରାମ ୟେଚୁରୀ, ଅଖିଳେଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.