Latest Odisha News

BREAKING NEWS

ହାଇଦ୍ରାବାଦରେ ସିଡବ୍ଲୁସି ବୈଠକ, ବାଜି ମାରିନେବ କଂଗ୍ରେସ !

ଭୁବନେଶ୍ୱର: କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ସିଡବ୍ଲୁସିର ନୂଆ କମିଟି ବୈଠକ ହାଇଦ୍ରାବାଦରେ ବସିଛି। ଆଗକୁ ଦେଶର ପ୍ରମୁଖ ରାଜ୍ୟର ନିର୍ବାଚନ ଥିବାବେଳେ ଲୋକସଭା ନିର୍ବାଚନ ରହିଛି। ତେଣୁ ଦଳର ସ୍ୱତନ୍ତ୍ର ରଣନୀତିକୁ ନେଇ ଆଲୋଚନା ହୋଇଛି।

ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦଳର ପ୍ରମୁଖ ଚେହେରାଙ୍କୁ ଦେଖିବାକୁ ମିଳିଛି। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ ବୈଠକରେ ଯୋଗ ଦେଇଛନ୍ତି।

ତେଲେଙ୍ଗାନାରେ ଏହି ବୈଠକ ଆୟୋଜନ କରି ଆଗାମୀ ବିଧାନସଭା ନିର୍ବାଚନରେ ଦଳ ସପକ୍ଷରେ ବଡ଼ ମାହୋଲ ତିଆରି କରିବାକୁ ଯୋଜନା ହୋଇଛି। କଂଗ୍ରେସ ତେଲେଙ୍ଗାନା ବିଆରଏସ ସରକାରକୁ ସତ୍ତାରୁ ହଟାଇବା ପାଇଁ ଯାଉଛି ବୋଲି ଏକ ବାର୍ତ୍ତା ଏହି ବୈଠକ ମାଧ୍ୟମରେ ଦଳ ଦେବାକୁ ଚାହୁଁଛି ବୋଲି କୁହାଯାଉଛି।

ବହୁ ବର୍ଷ ପରେ କଂଗ୍ରେସର ସର୍ବୋଚ୍ଚ କମିଟିର ଏହି ତିନିଦିନିଆ ବୈଠକ ଦିଲ୍ଲୀ ବାହାରେ ହେଉଛି। ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବା ସହ ଦଳ ଦେଶର ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ଜିତିଯିବ ବୋଲି ଦଳୀୟ ନେତା କେ ସି ଭେନୁଗୋପାଳ କହିଛନ୍ତି।

ରବିବାର ଅର୍ଥାତ ଆସନ୍ତାକାଲି ଦଳର ପରିବର୍ଦ୍ଧିତ ସିଡବ୍ଲୁସି ବୈଠକ ବସିବ। ଯେଉଁ ବୈଠକରେ ଦଳର ସବୁ ରାଜ୍ୟର ପିସିସି ସଭାପତି, କଂଗ୍ରେସ ବିଧାୟକ ଦଳ ନେତା, ସଂସଦୀୟ କମିଟି କାର୍ଯ୍ୟକାର୍ତ୍ତା, କେନ୍ଦ୍ରୀୟ ନିର୍ବାଚନ କମିଟି ସଦସ୍ୟ ମାନେ ଯୋଗ ଦେବେ।

ମୋଟ ୧୫୯ ଜଣ ନେତାଙ୍କୁ ଡକାଯାଇଥିବା ବେଳେ ୧୪୭ ଜଣ ଯୋଗଦେବେ ବୋଲି ଭେନୁଗୋପାଳ କହିଛନ୍ତି। ରବିବାର ବୈଠକରେ ଦ୍ଵିତୀୟ ପର୍ଯ୍ୟାୟ ଭାରତ ଯୋଡୋ ଯାତ୍ରା ନେଇ ଆଲୋଚନା ମଧ୍ୟ ହେବ।

ସେହିପରି ରବିବାର ସନ୍ଧ୍ୟାରେ ତେଲେଙ୍ଗାନା ପ୍ରତିଷ୍ଠା ଦିବସ ଅବସରରେ ଦଳ ପକ୍ଷରୁ ଏକ ବିଶାଳ ରାଲି କରାଯିବା ସହ ତେଲେଙ୍ଗାନା ନିର୍ବାଚନ ପାଇଁ ଗ୍ୟାରେଣ୍ଟି ଘୋଷଣା ହେବ।

ଆଗାମୀ ନିର୍ବାଚନରେ ଏନଡିଏକୁ ମାତ ଦେବା ପାଇଁ ଇଣ୍ଡିଆ ମେଣ୍ଟ ଜୋରଦାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସିଟ ଭାଗବଣ୍ଟା ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହାକି ବିରୋଧୀ ମେଣ୍ଟ ଇଣ୍ଡିଆ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ତେଣୁ ଏସବୁକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ତେଲେଙ୍ଗାନାରେ ଭଲ ସଫଳତା ମିଳିବା ସହ କଂଗ୍ରେସ ସେଠାରେ ଜିତିପାରିବ ବୋଲି ଦଳର ରଣନୀତିକାର କହିବା ପରେ ଦଳ ତେଲେଙ୍ଗାନାକୁ ଫୋକସ କରୁଛି।

ତେଣୁ ହାଇଦ୍ରାବାଦରେ ସିଡବ୍ଲୁସି ବୈଠକ ବସିବା ଓ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବା କଂଗ୍ରେସକୁ କେତେ ଫାଇଦା ଦେବ ତା ଉପରେ ନଜର।

Leave A Reply

Your email address will not be published.