Latest Odisha News

BREAKING NEWS

ବିଜେଡ଼ି ପିଠା ପୋଷ୍ଟରରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରା !

ସାଲେପୁର: ସାଲେପୁର ଟାଉନରେ ବିଜେଡ଼ି ପକ୍ଷରୁ ନିର୍ମିତ ଏକ ପିଠା ପୋଷ୍ଟର ଥିବା ଗେଟରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ଫଟୋ ଲାଗିଥିବା ନେଇ ଏବେ କଟକ ଜିଲ୍ଲା ସମେତ ସମଗ୍ର ସାଲେପୁର ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପିଠା କାର୍ଯ୍ୟକ୍ରମ ଲାଗି ସାଲେପୁର ସହରରେ ଥିବା ବିଜେଡ଼ି ଗେଟରେ ଗୋଟିଏ ପାଶ୍ୱର୍ରେ ଲାଗିଛି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଏବଂ ଅନ୍ୟଟି କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ଫଟୋ । ତେଣୁ ବିଜେଡ଼ି ପୋଷ୍ଟରରେ ନବୀନଙ୍କ ସହିତ କଂଗ୍ରେସ ବିଧାୟକ ପ୍ରକାଶଙ୍କ ଏକାସଙ୍ଗେ ଫଟୋ ଦେଖି ନିର୍ବାଚନ ମଣ୍ଡଳୀରେ ବିଧାୟକ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେବା ନେଇ ଏବେଠୁ କଳ୍ପନାଜଳ୍ପନା ଆରମ୍ଭ ହେଲାଣି ।

ଏହି ଚର୍ଚ୍ଚିତ ପୋଷ୍ଟରଟି ସାଲେପୁରର ଚମ୍ପାତିଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମରେ ଲାଗିଥିବାର ଦେଖାଯାଇଥିଲା ।

ଇତିମଧ୍ୟରେ ବିଧାୟକ ଶ୍ରୀ ବେହେରା ପ୍ରଚାରିତ ହେଉଥିବା ଖବରଟିକୁ ଖଣ୍ଡନ କରି କହିଛନ୍ତି, ହୁଏତ ତାଙ୍କ ନିଜର କେହି ସମର୍ଥକ ବିଜେଡ଼ି ପୋଷ୍ଟର ସହିତ ଲଗାଇ ଦେଇଥାଇ ପାରନ୍ତି ।

ଜାନୁଆରୀ ମାସରେ ବିଧାୟକ ଆଞ୍ଚଳିକ ଦଳରେ ମିଶୁଥିବା ନେଇ କିଛି ସଙ୍କେତ ଦେଇଥିଲେ।  “ବିଗତ ୨୦ ବର୍ଷ ଧରି ରାଜ୍ୟରେ ବିଜୁ ଜନତା ଦଳ ଭଲ ସ୍ଥିତିରେ ରହି ଆଜି ପର୍ଯ୍ୟନ୍ତ ଭଲ କାର୍ଯ୍ୟ କରୁଛି । ଆମେ ମଧ୍ୟ ଜନସାଧାରଙ୍କ ସମର୍ଥନ ହାସଲ କରିପାରିଛୁ । ଏସମ୍ପର୍କରେ ଯାହା କିଛି ନିଷ୍ପତ୍ତି ନେବେ ହାଇକମାଣ୍ଡ । ଯଦି ସେ ଚାହାନ୍ତି, ତେବେ ମୁଁ ନିର୍ବାଚନ ଲଢିବି,” ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ।

ମାତ୍ର ସାଲେପୁର ବିଧାୟକ କେଉଁ ଦଳର ହାଇକମାଣ୍ଡଙ୍କ କଥା କହିଥିଲେ ସେତେବେଳେ ସେ ସ୍ପଷ୍ଟ କିଛି କହିନଥିଲେ ଅବଶ୍ୟ ।

ରାଜନୈତିକ ବିଷାରଦଙ୍କ କହିବା କଥା ହେଲା ଯେ, ଯଦି ଶ୍ରୀ ବେହେରା ବିଜେଡ଼ିରେ ଯୋଗଦାନ କରନ୍ତି, ତେବେ କଂଗ୍ରେସ ଲାଗି ଏକ ବଡ଼ ଧକ୍କା ସଦୃଶ ହେବା ନିଶ୍ଚିତ କାରଣ ଏବେ ମଧ୍ୟ ସମଗ୍ର ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରକାଶ ବେହେରାଙ୍କ ଭଲ ଭାବମୂର୍ତ୍ତି ରହିଛି ।

ସେତେବେଳେ ସାଲେପୁର ଅଞ୍ଚଳରେ ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା, ୨୦୧୬ ମସିହାରେ ଯେତେବେଳେ ସାଲେପୁରରେ ଏକ କାର୍ଯ୍ୟକ୍ରମର ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ଓ ବିଜେଡ଼ିର କିଛିି ବରିଷ୍ଠ ନେତୃବର୍ଗଙ୍କ ସହିତ କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଏକସଙ୍ଗେ ବସିଥିଲେ ।

ସେ ତାଙ୍କ ଭାଷଣରେ ମଧ୍ୟ ସେବେ ନବୀନଙ୍କୁ ବେଶ୍ ପ୍ରଶଂସା କରିବାକୁ ପଛାଇନଥିଲେ, “ସେ ଜଣେ ସଫଳ ନେତା ଏବଂ ଦେଶର ନଂ ୧ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି,” ବୋଲି ସେ କହିଥିଲେ ।

ସେବେଠାରୁ କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କୁ ନେଇ ରାଜନୈତିକ ଆକଳନ ହୋଇଥିଲା ଯେ, ବିଜେଡ଼ିର ନିକଟତର ହୋଇଥିବା ଯୋଗୁଁ ସେ ନିଶ୍ଚିତ ରୂପେ ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯୋଗଦେବେ ।

Leave A Reply

Your email address will not be published.