Latest Odisha News

ମଧ୍ୟପ୍ରଦେଶ ବାଣ ବିସ୍ଫୋରଣ ଘଟଣା: ବୋମାମାଳ ପକାଇ ବିଧାନସଭା ଆସିଲେ ବିଧାୟକ

ଭୋପାଳ: ବେକରେ ବୋମାମାଳ ପକାଇ ବିଧାନସଭା ଆସିଲେ ବିଧାୟକ। ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ବେକରେ ସୁତୁଲି ବୋମା ପକାଇ ଆସିଥିଲେ ହରଦାର କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ। ହରଦା ଜିଲ୍ଲାର ବାଣ କାରଖାନାରେ ହୋଇଥିବା ବିସ୍ଫୋରଣ କେବଳ ରାଜ୍ୟକୁ ନୁହେଁ ସାରା ଦେଶକୁ ଚକିତ କରିଛି । ହରଦା ବୋମା ବିସ୍ଫୋରଣ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଉଦ୍ଦେଶ୍ୟରେ ସେ ଏପରି ବେଶରେ ବିଧାନସଭାରେ ପହଞ୍ଚିଥିଲେ।

ହରଦାର କଂଗ୍ରେସ ବିଧାୟକ ସୁତଲି ବୋମା ପିନ୍ଧି ବିଧାନସଭାରେ ପହଞ୍ଚିଥିଲେ । ବୋମାମାଳ ପକାଇ ବିଧାନସଭାରେ ପହଞ୍ଚିଥିବା ଘଟଣା ଚର୍ଚ୍ଚାକୁ ଆସିଛି । ବିଧାୟକଙ୍କ ଏଭଳି ଅବତାର ଦେଖି ବିଧାନସଭାରେ ଉପସ୍ଥିତ ଥିବା ପ୍ରତିଟି ବ୍ୟକ୍ତି ଚକିତ ହୋଇଯାଇଥିଲେ । ପରେ ଜଣାପଡ଼ିଲା କି ରାମକିଶୋର ବେକରେ ପକାଇଥିବା ବୋମାମାଳ ଅସଲି ନୁହେଁ । ବର୍ତ୍ତମାନ ବିଧାୟକ ଥିବା ଆର.କେ ଦୋଗନେଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାଣ କାରଖାନାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଘଟଣାକୁ ନେଇ ବିରୋଧୀ ଦଳର ବିଧାୟକ ରାମକିଶୋର ଦୋଗନେ ମହାତ୍ମାଗାନ୍ଧିଙ୍କ ପ୍ରତିମା ସମ୍ମୁଖରେ ଧାରଣା ଦେଇଥିଲେ । ୪ଲକ୍ଷ ଟଙ୍କାର ସହାୟତ ଓ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଦେଲେ କିଛି ହେବ ନାହିଁ । ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି ।’

Comments are closed.