Latest Odisha News

ବିଜେପୁର ଉପ-ନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପ-ନିର୍ବାଚନ ଲାଗି ବୁଧବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛି । ଜିଲ୍ଲାର ଟାଣୁଆ କଂଗ୍ରେସ ନେତା ଦିଲ୍ଲୀପ ପଣ୍ଡାଙ୍କୁ କଂଗ୍ରେସ କରିଛି ପ୍ରାର୍ଥୀ । ଏନେଇ ଓପିସିସି ପକ୍ଷରୁ ଗଣମାଧ୍ୟମରେ ସୂଚନା ଦିଆଯାଇଛି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନାନୁଯାୟୀ ଚୟନ କମିଟି ୫ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଏଆଇସିସିକୁ ପଠାଇଥିଲା ।

ସେଥିମଧ୍ୟରୁ ବରିଷ୍ଠ ନେତା ଦିଲ୍ଲୀପ ପଣ୍ଡାଙ୍କ ନାମକୁ ଦଳର ହାଇ କମାଣ୍ଡ ଗ୍ରହଣ କରି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ।

ଇତିମଧ୍ୟରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ରଣନୀତି ପ୍ରସ୍ତୁତ କରିବା ସହିତ ଜିଲ୍ଲାର ଏକାଧିକ ବରିଷ୍ଠ କଂଗ୍ରେସ ନେତାଙ୍କୁ ଏହି ନିର୍ବାଚନ ପରିଚାଳନା ଲାଗି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରକାଶଚନ୍ଦ୍ର ଦେବତା, ସମରେନ୍ଦ୍ର ମିଶ୍ର, ବିଧାୟକ ରମେଶ ଜେନା, ବିଧାୟକ ସନ୍ତୋଷ ସିଂହ ସାଲୁଜା, ପ୍ରଦୀପ ଦେବତା, ସରୋଜ ମହାପାତ୍ର, ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ନିର୍ବାଚନ ପରିଚାଳନା ଲାଗି ଦାୟିତ୍ୱ ବଣ୍ଟନ କରାଯାଇଛି ।

ସେହିପରି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ କେନ୍ଦ୍ରୀୟ ନିର୍ବାଚନ କମିଟି ନିକଟକୁ ଆଶାୟୀ ପ୍ରାର୍ଥୀଙ୍କ ନାମ ପଠାଇଦିଆଯାଇଛି । କେନ୍ଦ୍ରୀୟ ନିର୍ବାଚନ କମିଟି ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା କରିବେ । ଦଳ ପକ୍ଷରୁ ବିଜେପୁର ଏବଂ ଅତାବିରାଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଳ ତୃଣମୂଳସ୍ତରରେ ଘରକୁ ଘର ଯାଇ ଭୋଟରମାନଙ୍କୁ ଭେଟିବାକୁ କର୍ମୀମାନଙ୍କୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଆହ୍ୱାନ ଦେଇଛନ୍ତି ।

ଶାସକ ବିଜୁ ଜନତା ଦଳ ପକ୍ଷରୁ ଗୁରୁବାର ଦିନ ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦଳ ପକ୍ଷରୁ କୋର୍ କମିଟି ବୈଠକ ବସିଥିବା ବେଳେ ଆଜି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିପାରନ୍ତି ।

ବିଜେପୁର ନିର୍ବାଚନରେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ଯଥେଷ୍ଟ ରହିଛି । ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି ଯେ, ଏଥର ଏହି ଉପ-ନିର୍ବାଚନରେ ଗତଥର ଯେଉଁ ଭୋଟ ବ୍ୟବଧାନରେ ଦଳୀୟ ପ୍ରାର୍ଥୀ ବିପୁଳ ବିଜୟ ହାସଲ କରିଥିଲେ ଏଥର ମଧ୍ୟ ସେହି ଭୋଟ ବ୍ୟବଧାନରେ ଜିତିବା ଲକ୍ଷ୍ୟରେ ଦଳ ରହିବ ।

ଏନେଇ ବରିଷ୍ଠ ନେତାମାନଙ୍କର ରଣନୀତି ପ୍ରସ୍ତୁତ ହୋଇଛି ।

ବିଜେପୁର ଉପ-ନିର୍ବାଚନ ଲାଗି ଶାସକ ବିଜୁ ଜନତା ଦଳ ରଣନୀତି ପ୍ରସ୍ତୁତ କରିଛି । ବିଜେପୁର ଦାୟିତ୍ୱରେ ରହିବେ ବରିଷ୍ଠ ନେତା ତଥା ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର । ବରପାଲି ଲାଗି ଯେଉଁ ବରିଷ୍ଠ ନେତାମାନେ ଦାୟିତ୍ୱରେ ରହିବେ ସେମାନେ ହେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ସ୍ନୋହାଙ୍ଗିନୀ ଛୁରିଆ । ସେହିପରି ଗାଇସିଲଟ୍ ବ୍ଲକ ଲାଗି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବକିଶୋର ଦାସ ଏବଂ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା କଳିକେଶ ସିଂହଦେଓ ଦାୟିତ୍ୱରେ ରହିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।

Comments are closed.