ନୂଆଦିଲ୍ଲୀ: ତେଜିଲା ଭାରତର ପାକିସ୍ତାନ ବିରୋଧରେ କୂଟନୈତିକ ପ୍ରତିନିଧିମଣ୍ଡଳୀରେ ଥରୁରଙ୍କୁ ସ୍ଥାନ ବିବାଦ । କାହିଁକି ଥରୁର ବୋଲି, ପ୍ରଶ୍ନ ଉଠାଇ ଏବେ ସରକାରଙ୍କୁ ଘେରିଛି କଂଗ୍ରେସ । କହିଛି, ସରକାର ଏପରି କରି ଭୁଲ୍ ଗେମ୍ ଖେଳୁଛନ୍ତି, ବେଇମାନି କରିଛନ୍ତି । ଏଥିସହିତ ନାଁ ନନେଇ ଶଶି ଥରୁରଙ୍କ ଉପରେ ବି ବର୍ଷିଛି କଂଗ୍ରେସ ।
ଆତଙ୍କବାଦ ପ୍ରସଙ୍ଗରେ ବିଦେଶରେ ପାକିସ୍ତାନକୁ ଘେରିବା ପାଇଁ, ସରକାର ବିଭିନ୍ନ ଦେଶକୁ ସର୍ବଦଳୀୟ ପ୍ରତିନିଧିମଣ୍ଡଳ ପଠାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ଏଥିରେ କଂଗ୍ରେସ ସାଂସଦ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଦିଆଯାଇଛି ଗୁରୁତ୍ବପୂର୍ର୍ଣ ଦାୟିତ୍ବ । ଥରୁର ଅପରେସନ ସିନ୍ଦୁର ନେଇ ଆମେରିକାରେ ପ୍ରତିନିଧିତ୍ବ କରିବେ । ଯାହାକୁ ନେଇ ଅମଙ୍ଗ ପ୍ରକାଶ କରିଛି କଂଗ୍ରେସ । କଂଗ୍ରେସ ନେତା ଏବଂ ରାଜ୍ୟସଭା ସାଂସଦ ଜୟରାମ ରମେଶ ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଶଶି ଥରୁରଙ୍କୁ ତେରଛା ଆକ୍ରମଣ କରିଛନ୍ତି । ନାଁ ନନେଇ କଂଗ୍ରେସରେ ରହିବା ଏବଂ କଂଗ୍ରେସର ହେବା ବୋଲି ସେ କଟାକ୍ଷ କରିଛନ୍ତି । ଶଶି ଥରୁରଙ୍କୁ ପରୋକ୍ଷରେ ସମାଲୋଚନା କରି ଜୟରାମ ରମେଶ କହିଛନ୍ତି, ମୁଁ ବ୍ୟକ୍ତିବିଶେଷଙ୍କ ଉପରେ ମନ୍ତବ୍ୟ ଦେବି ନାହିଁ, କିନ୍ତୁ କଂଗ୍ରେସରେ ରହିବା ଏବଂ କଂଗ୍ରେସର ହେବା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ।
ଏଥିସହିତ ସରକାରଙ୍କ ନିଷ୍ପତ୍ତି ନେଇ ବି ବର୍ଷିଛନ୍ତି, କହିଛନ୍ତି, ସରକାର ଚାରୋଟି ନାମ ମାଗିଥିଲେ ଏବଂ ଆମେ ସେଗୁଡ଼ିକୁ ଦେଇଥିଲୁ । କିନ୍ତୁ ସରକାରଙ୍କ ପ୍ରେସ୍ ରିଲିଜ୍ ଆଶ୍ଚର୍ଯ୍ୟଜନକ ଥିଲା । ସରକାରଙ୍କ ଆଚରଣ ସଚ୍ଚୋଟତାକୁ ପ୍ରତିଫଳିତ କରୁନାହିଁ। ସରକାର ଏକ ଗମ୍ଭୀର ମାମଲାରେ ଖେଳ ଖେଳୁଛନ୍ତି। ସରକାରଙ୍କ କୂଟନୀତି ବିଫଳ ହୋଇଛି। ଏହା ସୁଯୋଗବାଦର ରାଜନୀତି । ସରକାର ଟ୍ରମ୍ପଙ୍କୁ ସିଧାସଳଖ ଉତ୍ତର ଦେବାକୁ ଚାହୁଁନାହିଁ, ଯିଏ ସପ୍ତମ ଥର ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ତାଙ୍କର ଦାବିକୁ ଦୋହରାଇଛନ୍ତି। ଏନେଇ ସରକାରଙ୍କୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ଉଚିତ ବୋଲି ସେ ଦାବି କରିଛନ୍ତି ।
ଏହାବ୍ୟତୀତ କଂଗ୍ରେସର ତାର ନାମ ପରିବର୍ତ୍ତନ କରିବ ନାହିଁ ବୋଲି ସଫା ସଫା କହିଛନ୍ତି । ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ସର୍ବଦଳୀୟ ପ୍ରତିନିଧି ଦଳକୁ ସ୍ୱାଗତ କରାଯାଉଛି । କିନ୍ତୁ ନାମ ମାଗିବା ଏବଂ ପରେ ଘୋଷଣା ନ କରିବା ସରକାରଙ୍କ ପକ୍ଷରୁ ବେଇମାନି। ଆମେ ଚାରୋଟି ନାମରେ କୌଣସି ପରିବର୍ତ୍ତନ କରିବୁ ନାହିଁ । କିରଣ ରିଜିଜୁ ଆମକୁ ଚାରୋଟି ନାମ ମାଗିଥିଲେ ଏବଂ ଆମେ ଚାରୋଟି ନାମ ଦେଇଥିଲୁ ଏବଂ ଆମେ ଆଶା କରିଥିଲୁ ଯେ ପ୍ରତିନିଧିମଣ୍ଡଳରେ ୪ ଟି ନାମ ସାମିଲ ହେବ। ମୁଁ କହିପାରିବି ନାହିଁ ଯେ ଏବେ କ’ଣ ହେବ, କଂଗ୍ରେସ ତା’ର କର୍ତ୍ତବ୍ୟ ପାଳନ କରିଛି। ଆମେ ବିଶ୍ୱାସ ସହିତ ନାମ ଦେଇଥିଲୁ ଯେ ସରକାର ସଚ୍ଚୋଟତାର ସହିତ ନାମ ମାଗୁଛି। ହେଲେ ସରକାରଙ୍କ ଆଚରଣ ସଚ୍ଚୋଟତା ଦେଖାଉ ନାହିଁ, ଏକ ଖେଳ ଖେଳାଯାଇଛି। ଆମେ ସିଧା ବ୍ୟାଟ୍ ସହିତ ଖେଳୁଛୁ, କିନ୍ତୁ ଆମେ ଜାଣିନାହୁଁ ଯେ ସରକାର କେଉଁ ବ୍ୟାଟ୍ ସହିତ ଖେଳୁଛି ବୋଲି କହିଛନ୍ତି ଜୟରାମ ରମେଶ ।
Comments are closed.