ଭୁବନେଶ୍ବର: ଚଲାଇ ଦେଉନାହାନ୍ତି ଗୃହ । ଆଜି ବି ବିରୋଧୀଙ୍କ ହାଇଡ୍ରାମା ଗୃହରେ ଦେଖିବାକୁ ମିଳିଛି । କଳା ଡ୍ରେସ୍ ପିନ୍ଧି ଘଣ୍ଟ ବାଡ଼େଇ ଗୃହ ଭିତରେ ହୋହାଲ୍ଲା କରି କଂଗ୍ରେସ ପ୍ରତିବାଦ କରିଛି । ବାଧ୍ୟ ହୋଇ ବାଚସ୍ପତି ୧୧.୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି । ନାରୀ ସୁରକ୍ଷାକୁ ନେଇ ବାରମ୍ବାର କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ ।
ଆଜି ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଥିଲେ କଂଗ୍ରେସ ଏବଂ ବିଜେଡି ସଦସ୍ୟ । ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖୁଥିବା ବେଳେ ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ଘଣ୍ଟା ବଜାଇ ପ୍ରତିବାଦ କରିଥିଲେ । କଂଗ୍ରେସ ସଦସ୍ୟମାନେ କଳା ପୋଷାକ ପିନ୍ଧି ଘଣ୍ଟ, ମହୁରୀ, ବଂଶୀ ବଜାଇ ଗୃହରେ ପ୍ରତିବାଦ କରିଥିଲେ । ଗୃହ ମଧ୍ୟକୁ ଆସି ବାସଚସ୍ପତିଙ୍କ ପୋଡିୟମ ଆଗରେ ବିଭିନ୍ନ ବାଦ୍ୟ ଯନ୍ତ୍ର ବଜାଇ ଅନନ୍ୟ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ସେପଟେ ବିଜେଡି ସଦସ୍ୟମାନେ ବିରୋଧୀଙ୍କୁ ଅଣଦେଖା କରାଯାଉଥିବା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଶେଷରେ ବାଧ୍ୟ ହୋଇ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ସେପଟେ ଆଜି ୭ ଦିନର ନିଲମ୍ବନ ହଟିବା ପରେ ଗୃହକୁ ମୁଣ୍ଡିଆ ମାରି ବିଧାନସଭାକୁ ଫେରିଛନ୍ତି, କଂଗ୍ରେସ ଜୟପୁର ବିଧାୟକ ତାରା ବାହିନୀ ପତି । ଫେରିବା ପରେ ଆହୁରି ଆକ୍ରୋଶମୂଳକ ହୋଇଛନ୍ତି ତାରା । କଳା ଡ୍ରେସ ପିନ୍ଧି ତାରା ଗୃହକୁ ପ୍ରବେଶ କରିଲା ବେଳେ କହିଛନ୍ତି, ବିଧାନସଭାରେ କେମିିତି ପ୍ରତିବାଦ ହୁଏ ତାହା ଆଜି ଦେଖିବେ ।
ଯାହାର ପ୍ରଭାବରେ ଆଜି କଳା ବସ୍ତ୍ର ପିନ୍ଧି ହାତରେ ଘଣ୍ଟା, ମହୁରୀ ଏବଂ ବଂଶୀ ଧରି ଗୃହରେ ଜୋରଦାର ହଙ୍ଗାମା କରିଥିଲା ବିରୋଧୀ କଂଗ୍ରେସ ।
Comments are closed.