ପାଟନା: ବିହାରରେ ମାଟି କାମୁଡି ପଡିଛି କଂଗ୍ରେସ । ସମସ୍ତଙ୍କୁ କାବା କଲା ଫଳାଫଳ । ଏବେ ପର୍ଯ୍ୟନ୍ତ ବିହାରରେ ବହୁ ଆସନ ଆଗରେ ଏନଡିଏ ରହିଥିବା ବେଳେ ମହାଗଠବନ୍ଧନର ପଛରେ ପଡିଛି । ନିର୍ବାଚନରେ ନୂଆକରି ପାଦ ଥାପିଥିବା ପ୍ରଶାନ୍ତ କିଶୋର ବି ଏଥର ନିରାଶ ହୋଇଛନ୍ତି । ୧୯୦ ଆସନ ସହିତ ଏନଡିଏ ଆଗରେ ରହିଥିବା ବେଳେ ମାତ୍ର ୪୯ ଆସନରେ ଆଗରେ ଅଛି ମହାଗଠବନ୍ଧନ । ଯେଉଁଥିରେ କଂଗ୍ରେସ ଖାତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ତ୍ତମାନ ସୁଦ୍ଧା ବିଜେପି ୮୨, ଜେଡିୟୁ ୭୫ ଆସନରେ ଆଗୁଆ ରହିଥିବା ବେଳେ ଆରେଜେଡି ୩୬, ଏଲ୍ଜେପି ୨୨ ଆସନରେ ଆଗୁଆ ରହିଛି । ଆଉ କଂଗ୍ରେସ ମାତ୍ର ୭ଟି ଆସନରେ ଆଗୁଆ ରହିଛି । ଯାହା ସମସ୍ତଙ୍କୁ କାବା କରିଛି । ଏଥର ବିହାରରେ କଂଗ୍ରେସ ସଂପୂର୍ଣ୍ଣ ଭାବେ ମାଟି କାମୁଡୁଥିବା ପରି ମନେହେଉଛି ।
ଏଥର ରାହୁଲଙ୍କ ଯାଦୁ ବିହାରରେ ଚାଲିନଥିବା ପରି ମନେ ହେଉଛି । ଏଥର ରାହୁଲ ଗାନ୍ଧୀ ବିହାରରେ ଅନେକ ରାଲି ଓ ସଭା କରିଥିଲେ । ପୁର୍ବରୁ ଭାରତ ଯୋଡୋ ଯାତ୍ରାରେ ବିହାର ବୁଲିଥିବା ବେଳେ ଭୋଟର ଅଧିକାର ଯାତ୍ରାରେ ନିଜର ପାଓ୍ବାର ଦେଖାଇଥିଲେ । ଜୋରଦାର ନିର୍ବାଚନ ପ୍ରଚାର ବି କରିଥିଲେ । ଆଶା କରିଥିଲେ ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରିବ । ହେଲେ ସବୁ କିଛି ଫୁସୁକି ବାଣ ପରି ମନେହେଉଛି । ମାତ୍ର ୭ଟି ଆସନରେ ଆଗୁଆ ରହି କଂଗ୍ରେସ ନିରାଶ କରିଛି ।
ସେପଟେ ମହାଗଠବନ୍ଧନ ବି ବିହାରରେ ନିରାଶ ଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା ଆରଜେଡି ନେତା ତଥା ରାଘପୁର ପ୍ରାର୍ଥୀ ତେଜସ୍ବୀ ଯାଦବ ବି ନିଜ ପ୍ରତିନ୍ଦ୍ବନ୍ଦୀଙ୍କ ଠାରୁ ପଛରେ ପଡିଛନ୍ତି ।
ଯଦି ପୂର୍ବ ନିର୍ବାଚନକୁ ଦେଖିବା ୨୦୨୦ ବିହାର ବିଧାନସଭା ନିର୍ବାଚନରେ, RJD ୭୫ଟି ଆସନ ସହିତ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା। ତଥାପି, କଂଗ୍ରେସ ଖରାପ ପ୍ରଦର୍ଶନ କରିଥିଲା, ଏବଂ NDA ସରକାର ଗଠନ କରିଥିଲା। ୭୦ଟି ଆସନ ପାଇଥିବା କଂଗ୍ରେସ ମାତ୍ର ୧୯ଟିରେ ବିଜୟୀ ହୋଇଥିଲା। ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବହୁମତ ହାସଲ କରିଥିଲା, ଯାହା ମୁଖ୍ୟତଃ ବିଜେପିର ୭୪ଟି ଆସନ ଦ୍ୱାରା ସମର୍ଥିତ ଥିଲା। JD(U) ୪୩ଟି ଆସନରେ ବିଜୟୀ ହୋଇଥିଲା।
ଯଦି ଏହି ବର୍ଷ ସମାନ ସଂଖ୍ୟା ପ୍ରତିଫଳିତ ହୁଏ, ତେବେ କଂଗ୍ରେସ ମହାଗଠବନ୍ଧନକୁ ତଳକୁ ଟାଣିବା ପାଇଁ ପ୍ରମାଣିତ ହେବ। ବିରୋଧୀ ମେଣ୍ଟରେ RJD, କଂଗ୍ରେସ ଏବଂ ବାମ ଦଳଗୁଡ଼ିକ ମୁଖ୍ୟ ଅଂଶୀଦାର ଭାବରେ ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ NDAରେ BJP, JD(U), ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM), ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (RLM) ଅନ୍ତର୍ଭୁକ୍ତ।
ତଥାପି, କଂଗ୍ରେସ ଶାସକ ବିଜେପି ଦ୍ୱାରା କଥିତ ‘ଭୋଟ୍ ଚୋରି’ ଦାବି କରି ଅବିଶ୍ୱାସୀ ରହିଥିଲା।
Comments are closed.