Latest Odisha News

BREAKING NEWS

ପୁଣି ଆଳୁ ରାଜନୀତି: ପ୍ରଶ୍ନ କଲା କଂଗ୍ରେସ, ‘ସରକାର କରୁଛି କ’ଣ?’

ଭୁବନେଶ୍ବର: ପୁଣି ରାଜ୍ୟରେ ମୁଣ୍ଡ ଟେକିଛି ଆଳୁ ସଙ୍କଟ । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ଚିନ୍ତା ବଢିଛି ।  ପଶ୍ଚିମବଙ୍ଗ ଆଳୁ ନଦେବାରୁ ରାଜ୍ୟରେ ଆଳୁ ନିଅଁଣ୍ଟିଆ ସ୍ଥିତି ଉପୁଜିଛି । ଏହାର ଫାଇଦା ଉଠାଇ ମନ ଇଚ୍ଛା ଚଢା ଦରରେ ବିକ୍ରି କରୁଛନ୍ତି ବିକ୍ରେତା । ଏହାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଆଳୁ ସମସ୍ୟା ରହିବନି ।

ମନ୍ତ୍ରୀ କହିଛନ୍ତି, ୟୁପିରୁ ଓଡ଼ିଶାକୁ ୩୦୦ ଟ୍ରକ୍ ଆଳୁ ଗାଡ଼ି ଆସୁଛି । ଯାହା କାଲି ସୁଦ୍ଧା ଓଡ଼ିଶାରେ ପହଞ୍ଚିବ । ଆଳୁ ଗାଡ଼ି ପହଞ୍ଚିବା ପରେ ଦର ନିୟନ୍ତ୍ରଣକୁ ଆସିବ । ୟୁପିରେ ଆଳୁ ୨୦, ୨୨ ଟଙ୍କାରେ ବିକ୍ରି ହେଉଥିବା ବେଳେ ଭଡା ବାବଦକୁ ୪ ଟଙ୍କା ପଡୁଛି । ତେଣୁ ଲାଭ ରଖି ଏଠିକା ବିକ୍ରେତା ୩୦ରେ ବିକ୍ରି କରିବେ । ଏହାବ୍ୟତୀତ ଯଦି ଆଳୁ ଦରକୁ ନେଇ କେଉଁଠି ବି ଚଢାରେ ବିକ୍ରି ହେଉଛି, ସେଠି ତୁରନ୍ତ ଚଢାଉ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ବାରମ୍ବାର ଆଳୁ ଦର ନିୟନ୍ତ୍ରଣ ବାହାରକୁ ଯାଇଥିବା ବେଳେ ଏବେ ଏହାକୁ ନେଇ ବର୍ଷିଛି କଂଗ୍ରେସ । ସରକାର କରୁଛନ୍ତି କ’ଣ ବୋଲି ପ୍ରଶ୍ନ କରିଛି । ଏନେଇ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ବଜାରରେ ଆଳୁ କେଜି ୫୦, ସରକାର କରୁଛି କ’ଣ?  କଥାରେ କହୁଛନ୍ତି ଉତ୍ତର ପ୍ରଦେଶରୁ ଆଣି ଶସ୍ତାରେ ଦେବୁ, ହେଲେ ମିଳୁନି । ମନ୍ତ୍ରୀ ୩୦ ଟଙ୍କାରେ ଆଣୁଛନ୍ତି କହିଲେ, ମନ୍ତ୍ରୀଙ୍କ କଥା ଅତି ପିଲାଳିଆମି ଭଳି ଲାଗୁଛି । ବୋଧେ ବିଜେପି ବିଧାୟକ ଓ ମନ୍ତ୍ରୀଙ୍କ ପାଇଁ ଆଳୁ ଦର ୩୦ ଟଙ୍କା, ଆଉ ଆମ ପାଇଁ ୫୦ ଟଙ୍କା ବୋଲି କହି କଟାକ୍ଷ କରିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.