Latest Odisha News

ଆସନ୍ତା ୨୬ରୁ କଂଗ୍ରେସ ସେବାଦଳ ପକ୍ଷରୁ ସଦଭାବନା ସମାବେଶ

ଭୁବନେଶ୍ୱର : ଆସନ୍ତା ୨୬ରୁ କଂଗ୍ରେସ ସେବାଦଳ ପକ୍ଷରୁ ସଦଭାବନା ସମାବେଶ । ରାଜ୍ୟ ସ୍ତରୀୟ ସଦଭାବନା ସମାବେଶ କଂଗ୍ରେସ ଭବନ ପରିସରରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସେବାଦଳ ଅଧ୍ୟକ୍ଷ ଡଃ ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର ଆଜି କଂଗ୍ରେସ ଭବନଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନରେ କହିଛନ୍ତି । ରାଜ୍ୟର ଯୁବପିଢ଼ୀଙ୍କ ନିକଟରେ ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତାକୁ ପହଂଚାଇବା ପାଇଁ କଂଗ୍ରେସ ସେବାଦଳ ନେଇଥିବା ନିଷ୍ପତିକ୍ରମରେ ସମାବେଶ।

ସରକାରଙ୍କ କୋଭିଡ ନିୟମ ପାଳନ ପୂର୍ବକ ଏହି ସମାବେଶ ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ସହ ବିଭିନ୍ନ ଜିଲ୍ଲାରୁ ସେବାଦଳ କର୍ମୀମାନେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଏହି କାର୍ୟ୍ୟକ୍ରମକୁ ସେହିଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡଃ ଏ ଚେଲ୍ଲାକୁମାର ସବୁଜ ପତାକା ଦେଖାଇ ଉଦଘାଟନ କରିବେ।

କଂଗ୍ରେସ ଭବନଠାରୁ ସେବାଦଳ କର୍ମୀମାନେ ଗଣ ପୋଷାକରେ ବାହାରି ୟୁନିଟ ୩ ଗୁରୁଦ୍ୱାର, ରାମମନ୍ଦିର, ସ୍ଵାଉଟ ଗାଇଡ଼ ଅଫିସ ଦେଇ ବୁଦ୍ଧ ମନ୍ଦିର, ରାଜଧାନୀ ମସଜିଦ ଓ କ୍ୟାଥୋଲିକ ଚର୍ଚ୍ଚ ଠାରୁ କେଶରୀ ଟକିଜ ଛକ ତଳ ରାସ୍ତାରେ ରାଷ୍ଟ୍ରିୟ ଯୁବ ପ୍ରକଳ୍ପ କାର୍ୟ୍ୟାଳୟରେ ଡଃ ସୁବାରାଓଙ୍କ ଫଟୋରେ ପୁଷ୍ପାର୍ଘ ପ୍ରଦାନ କରି କଂଗ୍ରେସ ଭବନ ପଂହଚିବ । ସବୁ ଧର୍ମ ସଂସ୍ଥାର କର୍ମକର୍ତାଙ୍କୁ ଏହି ମହାନ କାର୍ୟ୍ୟରେ ଯୋଗାଦେବା ପାଇଁ ଅନୁରୋଧ କରାଯାଇଛି।

ରାଲି କଂଗ୍ରେସ ଭବନ ଠାରେ ପହଂଚିବା ପରେ ଏକ ସଂକ୍ଷିପ୍ତ ସଭା ଅନୁଷ୍ଠିତ ହେବ। ଏହି ସଭାରେ ଡଃ ଚେଲ୍ଲାକୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ଶ୍ରୀ ଜି ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଓ ନିଖିଳ ଭାରତ କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଶ୍ରୀ ଲାଲଜୀ ଭାଇ ଦେଶାଇ ଯୋଗଦେବା ପାଇଁ ସ୍ବୀକୃତି ଦେଇଛନ୍ତି ।

ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ, ମୁଖପାତ୍ର ମନୋରଞ୍ଜନ ଦାଶ, ଓବିସି ଅଧ୍ୟକ୍ଷ ଜ୍ଞାନଦେବ ବେଉରା, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ସେବାଦଳ କର୍ମକର୍ତା ମହମ୍ମଦ ଶାହାଦୁଲ୍ଲା ଓ କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.