Latest Odisha News

ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ମୋଦିଙ୍କ ନିରବତା, ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: ଜାରି ରହିଛି ଭାରତ-ପାକିସ୍ତାନ ଅସ୍ତ୍ରବିରତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ କାଳେ ଦୂଇ ଦେଶ ଅସ୍ତ୍ରବିରତି ନେଇ ରାଜି ହୋଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ । ଭାରତ ପାକିସ୍ତାନ ମଧ୍ୟରେ ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ ନାପସନ୍ଦ କରିଛି । ଏନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛି ।

ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସାର୍ବଜନୀନ ଅଭିଭାଷଣର କିଛି ମିନିଟ୍ ପରେ ପବନ ଖେରା ଏବଂ ଜୟରାମ ରମେଶଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ଏନେଇ ମୋଦିଙ୍କୁ ଉତ୍ତର ମାଗିଥିଲେ, ଟ୍ରମ୍ପଙ୍କ ଧମକ ଉପରେ ଆଧାର କରି ଭାରତ ପ୍ରକୃତରେ ଆମେରିକାର ମଧ୍ୟସ୍ଥତା ପାଇଁ ରାଜି ହୋଇଛି କି ନାହିଁ ସେନେଇ ମୋଦି କାହିଁକି ନିରବ ରହିଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ଉଲ୍ଲେଖ କରି ବରିଷ୍ଠ କଂଗ୍ରେସ ନେତା ପବନ ଖେରା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ଏହି ପ୍ରସଙ୍ଗରେ ନୀରବତା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସିନ୍ଦୁର ସହ ସୌଦା ସମ୍ଭବ ନୁହେଁ । ମହିଳାଙ୍କ ସମ୍ମାନ ଏବଂ ବଳିଦାନର କଥା ଆସିଲେ ଆପୋଷ ପାଇଁ କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ଖେରା । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି କାହିଁକି ନୀରବ ରହିଲେ ଏବଂ କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବା ପାଇଁ ଟ୍ରମ୍ପଙ୍କ ପ୍ରୟାସ ଉପରେ ମଧ୍ୟ କାହିଁକି କିଛି କହିଲେ ନାହିଁ? ବୋଲି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୁର ଉପରେ ମିଳିତ ସଂସଦୀୟ ଅଧିବେଶନ ଦାବି କରି ପବନ ପ୍ରଶ୍ନ କରିଥିଲେ ।

ଅନ୍ୟପକ୍ଷରେ ଏହାକୁ ନେଇ ନିଜ ଏକ୍ସରେ କଂଗ୍ରେସ ମହାସଚିବ ଜୟରାମ ରମେଶ ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦେଶକୁ ବହୁ ବିଳମ୍ବରେ ସମ୍ବୋଧନ କଲେ । ହେଲେ ଏହାର କିଛି ମିନିଟ୍ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରକାଶ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଉଚ୍ଛନ୍ନ ହୋଇଯାଇଥିଲା । ପ୍ରଧାନମନ୍ତ୍ରୀ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ନୀରବ ଥିଲେ । ଭାରତ କ’ଣ ଆମେରିକାର ମଧ୍ୟସ୍ଥତା ପାଇଁ ରାଜି ହୋଇଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ କହିରଖୁଛୁ, ସୋମବାର ଟ୍ରମ୍ପ ଦାବି କରିଥିଲେ, ଯେ ଯଦି ସେମାନେ ଯୁଦ୍ଧ ଜାରି ରଖନ୍ତି ତେବେ ଆମେରିକା ଉଭୟ ଦେଶ ସହିତ ବାଣିଜ୍ୟ ବନ୍ଦ କରିଦେବ । ଭାରତ ଏବଂ ପାକିସ୍ତାନ ଉଭୟ ପକ୍ଷ ସହିତ ବାଣିଜ୍ୟ ସମ୍ପର୍କ ଛିନ୍ନ କରିବାକୁ ଧମକ ଦେବା ପରେ ହିଁ ଯୁଦ୍ଧ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସାର୍ବଜନୀନ ଭାଷଣର କିଛି ମୁହୂର୍ତ୍ତ ପୂର୍ବରୁ ଟ୍ରମ୍ପ ଓଭାଲ ଅଫିସରେ ସାମ୍ବାଦିକମାନଙ୍କୁ କହିଥିଲେ । ଅବଶ୍ୟ ପୂର୍ବରୁ ମଧ୍ୟ ଟ୍ରମ୍ପ ଏଭଳି ଦାବି କରିଥିବା ବେଳେ ଏହାକୁ ସଂପୂର୍ଣ୍ଣ ଖଣ୍ଡନ କରିଥିଲା ଭାରତ । ନିଜେ ପାକିସ୍ତାନ ଡିଜିଏମଓ ଭାରତ ସହ କଥା ହୋଇ ଅସ୍ତ୍ରବିରତି ନେଇ ଘୋଷଣା ହୋଇଥିଲା ।

ଏଥିସହିତ ସରକାରୀ ସୂଚନା ଅନୁଯାୟୀ, ଭାରତ-ପାକିସ୍ତାନ ବୁଝାମଣା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ମଧ୍ୟରେ ପୃଥକ ଆଲୋଚନାରେ ବାଣିଜ୍ୟକୁ ସ୍ଥାନ ଦିଆଯାଇ ନଥିଲା ।

Comments are closed.