ଭୁବନେଶ୍ବର: ପୁଣି ତାତିଲେ ଛାତ୍ର କଂଗ୍ରେସ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନ ଘେରାଉ କରି ହଙ୍ଗାମା କରିଛନ୍ତି ଛାତ୍ର କଂଗ୍ରେସ । ଉତ୍କଳ ବିଶ୍ବବିଦ୍ୟାଳୟର ଆଡମିଶନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ଘେରାଉ ସହ ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କରିଛନ୍ତି । ଆଡମିଶିନ ପ୍ରକ୍ରିୟାରେ ମନ୍ତ୍ରୀଙ୍କ ଚାପ ଯୋଗୁଁ ଘୋଟାଲା ହୋଇଛି ବୋଲି ଦାବି କରିଛନ୍ତି ଛାତ୍ର କଂଗ୍ରେସ ।
ତେବେ ଉତ୍କଳ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଆଡମିଶନ ନହୋଇପାରିବାରୁ ଏହାକୁ ନେଇ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଉକ୍ତ ଛାତ୍ର । ତେବେ ଏହାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଉକ୍ତି ଛାତ୍ର ଜଣଙ୍କର ଆଡମିଶନ ସମୟ ଅବଧି ଭିତରେ ଛାତ୍ର ଜଣଙ୍କ ଆଡମିଶନ କରିବାକୁ ଆସିନଥିଲେ । ଫଳରେ ନିୟମ ଅନୁଯାୟୀ, ଉକ୍ତ ସିଟ୍ ଅନ୍ୟ ପିଲାକୁ ଦେଇ ଦିଆଯାଇଛି । ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରଧିନ ଅବସ୍ଥାରେ ରହିଛି । ଯାହାକୁ ନେଇ ଆଜି ବିରୋଧ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ ।
ସେପଟେ ଛାତ୍ର କଂଗ୍ରେସର ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ଛାତ୍ର କଂଗ୍ରେସ ଏପରି କରି ତାର ଷ୍ଟାଣ୍ଡାର୍ଡ ଦେଖାଉଛି ବୋଲି ସେ କହିଛନ୍ତି । ଏଥିସହିତ ସେ କହିଛନ୍ତି, ବର୍ତ୍ତମାନ ଏହି ମାମଲା କୋର୍ଟରେ ଚାଲିଛି । ଏଥିରେ ଛାତ୍ରଙ୍କର ହିଁ ଭୁଲ୍ ଜାଣିବା ପରେ କେସ୍ ହାରିଯିବା ଭୟରେ ଏପରି କରୁଛି ଛାତ୍ର କଂଗ୍ରେସ । ଏହା ଉତ୍କଳ ବିଶ୍ବବିଦ୍ୟାଳୟର ନିଜସ୍ବ ମାମଲା, ଏଥିରେ ସରକାରଙ୍କ କିଛି ହସ୍ତକ୍ଷେପ ନାହିଁ ବୋଲି ଦର୍ଶାଇଛନ୍ତି ଅନିଲ । ଏଥିସହିତ ଛାତ୍ରଙ୍କୁ ପରାମର୍ଶ ଦେଇ କହିଛନ୍ତି, ଯଦି କୋର୍ଟ ତାଙ୍କ ସପକ୍ଷରେ ରାୟ ଦିଅନ୍ତି, ତେବେ ତାଙ୍କୁ ଆଡମିଶନ ମିଳିବ । ତେଣୁ ସେ ଛାତ୍ର କଂଗ୍ରେସ ଝାସରେ ପଡି ନିଜ କ୍ୟାରିୟର ନଷ୍ଟ କରନ୍ତୁ ନାହିଁ ।
Comments are closed.