Latest Odisha News

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ: ମନ୍ତ୍ରୀଙ୍କ ସଂପୃକ୍ତି ଥିଲେ ବି କାହିଁକି ତଦନ୍ତ ପରିସରଭୁକ୍ତ ହୋଇ ନାହାନ୍ତି?

ଭୁବନେଶ୍ୱର: ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ବିବାଦ ବଢିବାରେ ଲାଗିଛି। ଆଉ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଘେରିଛି କଂଗ୍ରେସ। ଭାଇରାଲ ହୋଇଥିବା ଅଡିଓ କଲରେ ମନ୍ତ୍ରୀ ସମୀର ଦାଶ ଏବଂ ଯେଉଁ ସାମ୍ବାଦିକଙ୍କୁ ଧର୍ମେନ୍ଦ୍ର ସବୁ କହିଛନ୍ତି ତାଙ୍କ ବୟାନ କାହିଁକି ରେକର୍ଡ ହୋଇନି ସେ ନେଇ କଂଗ୍ରେସ ନେତା ଗଣେଶ୍ବର ବେହେରା ପ୍ରଶ୍ନ ଉଠାଇଛନ୍ତି।

ତେଣୁ ନିରପେକ୍ଷ ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯିବା ଦରକାପ ବୋଲି ଶୁକ୍ରବାର ବିରୋଧୀ କଂଗ୍ରେସ ଦାବି କରିଛି। କଂଗ୍ରେସ ମିଡିଆ ସେଲ୍ ଆବାହକ ଗଣେଶ୍ୱର ବେହେରା କହିଛନ୍ତି, “ରାଜ୍ୟ ସରକାର ସତ୍ୟକୁ ସାମ୍ନାକୁ ଆଣିବାକୁ ଭୟ କରୁଛନ୍ତି। ଭାଇରାଲ୍ ହୋଇଥିବା ଅଡିଓ କ୍ଲିପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ମୃତକଙ୍କ ମୋବାଇଲ୍ ଫୋନ୍ ଜବତ କରିବା ପରେ ମଧ୍ୟ ପୁଲିସ ଚୁପ୍ ବସିଛି। କେବଳ ସେତିକି ନୁହେଁ, ଧର୍ମେନ୍ଦ୍ରଙ୍କ ପତ୍ନୀଙ୍କୁ ଏ ଯାଏ ପୁଲିସ ପଚରାଉଚରା କରିନାହିଁ। ଯଦି ଏହା ହୋଇଥାନ୍ତା ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠିସାରନ୍ତାଣି ବୋଲି ଗଣେଶ୍ୱର ବେହେରା ଦାବି କରିଛନ୍ତି। ତେଣୁ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ଦାବି କରିଛନ୍ତି।

ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଇସ୍ତଫା ସେ ଦାବି କରିଛନ୍ତି ନଚେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଲମ୍ବନ କରନ୍ତୁ ବୋଲି ଗଣେଶ୍ବର କହିଛନ୍ତି। ଯାହାଫଳରେ ମନ୍ତ୍ରୀ ପ୍ରମାଣ ନଷ୍ଟ କରିପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, ଦୁଇ ଦିନ ତଳେ ବିଜେପି ଏକ ଅଡିଓ କ୍ଲିପ୍ ଜାରି କରିଥିଲା । ଯେଉଁଥିରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପାଇଁ ଜୀବନ ହାରିଦେବି ବୋଲି ଧର୍ମେନ୍ଦ୍ର ସାହୁ କହୁଥିବା ଶୁଣିବାକୁ ମିଳିଥିଲା। ମୃତ ସାହୁ ଅକ୍ଷୟ ନାୟକ ନାମକ ଜଣେ ସାମ୍ବାଦିକଙ୍କ ସହ କଥା ହୋଇଥିଲେ। ଟେଲିଫୋନ୍ ବାର୍ତ୍ତାଳାପ ସମୟରେ ଧର୍ମେନ୍ଦ୍ର ସାହୁ ମନ୍ତ୍ରୀ ଦାଶ, ତାଙ୍କ ପତ୍ନୀ ଏବଂ ଶ୍ୱଶୁରଙ୍କ ସମେତ ସାତ ଜଣ ବ୍ୟକ୍ତିଙ୍କ ନାମ ନେଇଥିଲେ।

Leave A Reply

Your email address will not be published.