Latest Odisha News

ସାବରମତି ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ପଛରେ ରହିଛି ଷଡଯନ୍ତ୍ର!

କାନପୁର: ଆଜି ବଡି ଭୋର ସକାଳୁ ପୁଣି ଏକ ଟ୍ରେନ୍ ଦୁର୍ଘଟଣା । ହେଲେ ଅଳ୍ପକେ ବଞ୍ଚିଯାଇଛନ୍ତି ଯାତ୍ରୀ । ବାରଣାସିରୁ ଅହମ୍ମଦାବାଦ ଯାଉଥିବା ସାବରମତି ଏକ୍ସପ୍ରେସ କାନପୁର ନିକଟରେ ଶନିବାର ସକାଳ ପ୍ରାୟ ୨.୩୫ରେ ଲାଇନଚ୍ୟୁତ ହୋଇଛି । ତେବେ ଏହି ଦୁର୍ଘଟଣାରେ ସେଭଳି କିଛି କ୍ଷତି ହୋଇନାହିଁ । ଯାତ୍ରୀମାନଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି ।

କିନ୍ତୁ ସବୁଠୁ ବଡ କଥା ହେଉଛି ଏଥର ଟ୍ରେନଟି ଲାଇନଚ୍ୟୁତ ହେବାର କାରଣ କୌଣସି ଯାନ୍ତ୍ରିକ କିମ୍ବା ବୈଷୟିକ ତ୍ରୁଟି କିମ୍ବା କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ନୁହେଁ, ଟ୍ରେନ୍ ଟି ଲାଇନରେ ପଡିଥିବା କୌଣସି ବସ୍ତୁ ଦ୍ବାରା ମାଡ ହେବାରୁ ଏଭଳି ଅଘଟଣ ଘଟିଛି । ଯେଉଁ ଲାଇନରେ ଟ୍ରେନଟି ଯାଉଥିଲା ସେଠି କିଛି ଓଜନିଆ ବସ୍ତୁ ରହିଥିବା ଜଣାପଡିଛି ।

ଯାହାକୁ ନେଇ ନିଜ ଏକ୍ସରେ ଏକ ପୋଷ୍ଟ ଜାରି କରି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ସାବରମତି ଏକ୍ସପ୍ରେସ ରେଳ ଲାଇନରେ ଥିବା କୌଣସି ଏକ ଭାରି ବସ୍ତୁ ଦ୍ବାରା ଆଘାତ ହୋଇ ଲାଇନଚ୍ୟୁତ ହୋଇଛି । ଯେଉଁ ଯେଉଁ ସ୍ଥାନରେ ମାଡ ହୋଇଛି ତାହା ଚିହ୍ନଟ କରାଯାଇଛି । ପ୍ରମାଣ ବି ସୁରକ୍ଷିତ ଅଛି । ଏନେଇ ଆଇବି ଓ ୟୁପି ପୋଲିସ୍ ଅଧିକ ଯାଞ୍ଚ ଚଳାଇଛନ୍ତି ।

ସେପଟେ ଏହାକୁ ନେଇ କ’ଣ କିଛି ବଡ ଅଘଟଣ ପାଇଁ ଷଡଯନ୍ତ୍ର ଚାଲିଥିଲା ବୋଲି ଆରମ୍ଭ ହୋଇଛି ଚର୍ଚ୍ଚା । ଟ୍ରେନ୍ ଲାଇନରେ ଭାରି ବସ୍ତୁ କାହିଁକି ରଖାଯାଇଥିଲା । ନା ଏହା କୌଣସି ଆତଙ୍କୀଙ୍କ କାମ? ସେମାନେ ଲାଇନରେ ଭାରୀ ବସ୍ତୁ ରଖି ହୁଏତ କିଛି ବଡ ଅଘଟଣ ଘଟାଇବାକୁ ଚାହୁଁଥାଇପାରନ୍ତି । କାରଣ ଏହା ପୂର୍ବରୁ ମଧ୍ୟ ସମାନ ଘଟଣା ଦେଖାଦେଇଛି । ପ୍ରତିଦିନ କାଶ୍ମୀରରେ କିଛି ନା କିଛି ଉପଦ୍ରବ କରିଆସୁଛନ୍ତି ଆତଙ୍କବାଦୀ । ହୁଏତ ଏକା ସାଙ୍ଗରେ ଅଧିକ ଲୋକଙ୍କୁ କ୍ଷତି ପହଞ୍ଚାଇବାକୁ ଏହା ତାଙ୍କର ଯୋଜନା ହୋଇପାରେ । ଏମିତି ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି ।

ଏହା ସହିତ ଏହା ବି କୁହାଯାଉଛି, ଏହା କିଛି ରିଲ୍ ମେକରଙ୍କ କାର୍ଯ୍ୟକଳାପ ହୋଇପାରେ । କାରଣ କିଛି ହାତଗଣତି ଲାଇକ ଓ ଚର୍ଚ୍ଚା ସାଉଁଟିବା ପାଇଁ ଆଜିର ଏ ଯୁବ ସମାଜ କିଛି ବି କରିବାକୁ ପଛାଉନାହାନ୍ତି । ଜୀବନକୁ ବି ବାଜିରେ ଲଗାଉଛନ୍ତି । ଏହି ନିକଟ ଅତୀତରେ ଏମିତି ଜଣେ ରିଲରଙ୍କୁ ପୋଲିସ୍ ଧରିଥିଲା, ଯିଏ କି ବିଭିନ୍ନ ଆକୃତିର ବସ୍ତୁ ରେଳ ଲାଇନରେ ରଖୁଥିଲେ । ଆଉ ଟ୍ରେନଟି ତା ଉପରେ ଗତି କରିବା ପରେ ତାର ଅବସ୍ଥା କ’ଣ ହୋଇଛି ତାହାକୁ ନିଜ ଭିଡିଓରେ ଦେଖାଉଥିଲେ ଦୁର୍ବୃତ୍ତ । ଯାହାକୁ ନେଇ ତାଙ୍କୁ ଗିରଫ କରିଥିଲା ପୋଲିସ୍ । ଯେତେ ବେଳେ ତାଙ୍କୁ ଏପରି କରିବାର କାରଣ ପଚରାଯାଇଥିଲା ସେ  ଏହାକୁ ଅଧିକ ଭିଉ ପାଇଁ କରିଥିଲେ ବୋଲି କହିଥିଲେ । ସାମାନ୍ୟ ଭିଉ ଆଉ ଲାଇକ ପାଇଁ ଏମାନେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବାଜିରେ ଲଗାଇ ଦେଉଛନ୍ତି । ତେଣୁ ଏହାବି ଏକ କାରଣ ହୋଇପାରେ ବୋଲି ଚର୍ଚ୍ଚା ।

ସେପଟେ ଘଟଣାସ୍ଥଳରେ ଭାରି ବସ୍ତୁ ରହିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି । ତେବେ ଏହି ଘଟଣାରେ ସବୁଠୁ ଆଶ୍ବସ୍ତି କର ହେଉଛି, ଭଗବାନଙ୍କ ଦୟାରୁ କାହାର ବି କିଛି କ୍ଷତି ହୋଇନାହିଁ । ଘଟଣା ସ୍ଥଳରେ କାନପୁର ଏଡିଏମ ପହଞ୍ଚି ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି । ସେମାନଙ୍କୁ ଅନ୍ୟ ଟ୍ରେନ ଦ୍ବାରା ତାଙ୍କ ତାଙ୍କର ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି । ଏହାସହିତ ରେଳ ବିଭାଗର ତ୍ବରାନ୍ବିତ କାମ ପାଇଁ ମଧ୍ୟ ସେ ବାଟ ଦେଇ ଅନ୍ୟକୌଣସି ଟ୍ରେନ ବି ନଆସିବାରୁ ପୁଣି ଏକ ବଡ ଟ୍ରାଜେଡିରୁ ଟଳି ଯାଇଛି ଦେଶ ।

Comments are closed.