କଟକ : ପୁଲିସ କନଷ୍ଟେବଳ ଓ ହାବିଲଦାରଙ୍କୁ ହାଇକୋର୍ଟଙ୍କ ଝଟକା । ଅପରାଧିକ ମାମଲାର ତଦନ୍ତ କ୍ଷମତା ପ୍ରଦାନ ପାଇଁ ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ସ୍ନାତକ କନଷ୍ଟେବଳ ଓ ସିଆଇ ହାବିଲଦାରଙ୍କୁ ମାମଲା ତଦନ୍ତର କ୍ଷମତା ପ୍ରଦାନ ସଂପର୍କିତ ୨୦୨୨ ମେ ୨୧ର ପୁଲିସ ସର୍କୁଲାର ଅର୍ଡର ନମ୍ବର-୩୯୩କୁ ହାଇକୋର୍ଟ ରଦ୍ଦ କରିଛନ୍ତି। ବଢୁଥିବା ମାମଲା ସଂଖ୍ୟା, ତଦନ୍ତକୁ ଅପେକ୍ଷା ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ଏହି ପ୍ରସଂଗକୁ ସାନି ଅନୁଧ୍ୟାନ କରିବ ବୋଲି ହାଇକୋର୍ଟ କହିଛନ୍ତି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମୀନ କେତନ ନାୟକଙ୍କ ସହିତ ଅନ୍ୟ ପ୍ରାୟ ୫୦ଟି ମାମଲାର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ଏଥି ସହିତ ୨୦୨୨ ମେ ୨୧ର ପିସିଓ ଆଧାରରେ ସ୍ନାତକ କନଷ୍ଟେବଳ ଓ ସିଆଇ ହାବିଲଦାରଙ୍କୁ ତାଲିମ ପାଇଁ ପଠାଇବା ସଂକ୍ରାନ୍ତରେ ଆଇଜି (ପୁଲିସ ଟ୍ରେନିଂ)ଙ୍କ ତରଫରୁ ସବୁ ଜିଲ୍ଲା ଏସପିଙ୍କୁ ଜାରି ୨୦୨୨ ଜୁନ ୧୦ର ଚିଠିକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୨୨ ମେ ୨୧ର ପିସିଓ ଓ ଏହାପରେ ଜାରି ଜୁନ ୧୦ର ତାଲିମ ସଂପର୍କିତ ଚିଠି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।
୨୦୧୯ ଜାନୁଆରି ୩ରେ ରାଜ୍ୟ ସରକାରଙ୍କ ତରଫରୁ ସ୍ନାତକ କନଷ୍ଟେବଳ ଓ ସିଆଇ ହାବିଲଦାରଙ୍କୁ ତଦନ୍ତ କ୍ଷମତା ପ୍ରଦାନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେମାନଙ୍କୁ ୩୦ ଦିନର ଆନୁଷ୍ଠାନିକ ତାଲିମ ଓ ୪୫ ଦିନର ପ୍ରାକ୍ଟିକାଲ ତାଲିମ ପ୍ରଦାନ କରାଯିବା ପରେ ଏକ ପରୀକ୍ଷା କରାଯିବ। ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସ୍ନାତକ କନଷ୍ଟେବଳ ଓ ସିଆଇ ହାବିଲାଦାରଙ୍କୁ ଆଡ-ହକ୍ ବ୍ୟବସ୍ଥାରେ ତଦନ୍ତ କ୍ଷମତା ପ୍ରଦାନ କରାଯିବ। କିନ୍ତୁ ଏପରି କ୍ଷମତା ହସ୍ତାନ୍ତର ପରେ ମଧ୍ୟ ଏମାନଙ୍କୁ କୌଣସି ପ୍ରକାର ଅତିରିକ୍ତ ଆର୍ଥିକ/ଚାକିରି ସଂପର୍କିତ ସୁବିଧା ଦିଆଯିବ ନାହିଁ ବୋଲି କୁହାଯାଇଥିଲା। ୨୦୧୯ର ପୁଲିସ ସର୍କୁଲାର ଅର୍ଡର ମାଧ୍ୟମରେ ଡିଜି ଓ ଆଇଜି ପୁଲିସ ସମସ୍ତଙ୍କୁ ଅବଗତ କରିଥିଲେ ଯେ ଏଥିପାଇଁ ଆଗ୍ରହୀ କନେଷ୍ଟବଳ ଓ ସିଆଇ ହାବିଲଦାର ତାଲିମରେ ଯାଇ ପାରିବେ। ୨୦୧୯ର ପିସିଓକୁ ପଛରେ ରଖି ୨୦୨୨ରେ ପୁଲିସ ଡିଜି ଏକ ନୂଆ ପିସିଓ ୨୦୨୨ ମେ ୨୧ରେ ଜାରି କରିଥିଲେ। ପୁରୁଣା ପିସିଓରେ ଯୋଗ୍ୟତା, ତାଲିମ ଓ ଆଗ୍ରହୀ ପ୍ରାର୍ଥୀଙ୍କ ପ୍ରସଙ୍ଗରେ ଥିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା।
ତେବେ ପୁରୁଣା ପିସିଓରେ ଯେଉଁମାନେ ତଦନ୍ତ କ୍ଷମତା ପାଇଁ ଆଗ୍ରହୀ ସେମାନେ ତାଲିମ ନେବାକୁ ଯିବେ ବୋଲି ରହିଥିବା ବେଳେ ନୂଆ ପିସିଓରେ ଏହି ବ୍ୟବସ୍ଥାକୁ ବାଦ ଦିଆଯାଇଥିଲା । ଏଭଳି ସ୍ଥିତିରେ ନୂଆ ୨୦୨୨ର ପିସିଓକୁ ଚାଲେଞ୍ଜ କରି ଦାୟର ମାମଲାରେ ଦର୍ଶାଯାଇଥିଲା ଯେ ତଦନ୍ତ କ୍ଷମତା ଦିଆଯାଉ ଥିଲେ ମଧ୍ୟ କନଷ୍ଟେବଳ ଓ ହାବିଲଦାରଙ୍କୁ ପୁଲିସ ବିଭାଗରେ ଅଧିକାରୀ ମାନ୍ୟତା ଦିଆଯାଇ ନାହିଁ। ଏଥି ସହିତ ତଦନ୍ତ ଦାୟିତ୍ବ ସଂପାଦନ ପାଇଁ ଆର୍ଥିକ ବା ଚାକିରି କ୍ଷେତ୍ରରେ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବାର ନାହିଁ। ତେଣୁ ଏଭଳି ପିସିଓ ଗ୍ରହଣୀୟ ନୁହେଁ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଏହି ମାମଲା ପରିଚାଳନା କରୁଥିଲେ। ତେବେ ଗୃହ ବିଭାଗ ସମଗ୍ର ପ୍ରସଂଗକୁ ପୁଣି ବିଚାରକୁ ନେଇ ସିଆରପିସିର ଧାରା ୧୫୬, ୧୫୭ ସହ ପୁଲିସ ଆକ୍ଟ ଓ ମାନୁଆଲ ସହିତ ସଂଗତି ଥିବା ଏକ ସାନି ପୁଲିସ ସର୍କୁଲାର ଅର୍ଡର ଆଣିବ । ସେ ସମୟ ପର୍ଯ୍ୟନ୍ତ ପୂର୍ବ ପୁଲିସ ସର୍କୁଲାର ଅର୍ଡର ବଳବତ୍ତର ରହିବ ବୋଲି ଜଣାପଡ଼ିଛି ।
Comments are closed.