Latest Odisha News

BREAKING NEWS

ରାହୁଲଙ୍କ ସମ୍ବିଧାନ ବହି ଧରି ଶପଥ ପାଠ, ସଂସଦରେ ଜରୁରୀକାଳୀନ କଥା କହି ସରକାର ଦେଲେ ଜବାବ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟ ଦେଖିବାରେ ଯେଉଁଭଳି ରୋମାଞ୍ଚ ରହିଥାଏ ସେହିଭଳି ଏକ ରୋମାଞ୍ଚ ଦେଖିବାକୁ ମିଳିପାରେ ଚଳିତ ଅଷ୍ଟାଦଶ ଲୋକସଭା କାର୍ଯ୍ୟକାଳରେ। ସାଂସଦ ଭାବେ ଶପଥ ନେବା ହେଉ ଅବା ସଂସଦରେ ପ୍ରଥମ ଦିନରେ ପ୍ରବେଶ ବେଳେ ବିରୋଧୀ ସାଂସଦ ସମ୍ବିଧାନର ବହି ଦେଖାଇ ସରକାରକୁ କାଉଣ୍ଟର କରିଥିଲେ। ଆଉ ଆଜି ବାଚସ୍ପତି ଆସନରେ ବସୁ ବସୁ ଓମ୍ ବିର୍ଲା ଜରୁରୀକାଳୀନ ପରିସ୍ଥିତି କଥା ମନେ ପକାଇଥିଲେ। ଯାହାକୁ କଂଗ୍ରେସ ସାଂସଦ ବିରୋଧ କରି ଗୃହ ବାହାରକୁ ପଳାଇ ଆସିଥିଲେ।

ସଂସଦରେ ଏନଡିଏର ସଂଖ୍ୟା କମ୍ ରହିଛି। ତେଣୁ ଶାସକ ଦଳ ସେଭଳି ଆଉ ଆଗ୍ରେସିଭ୍ ହୋଇପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ କିନ୍ତୁ ସଂସଦରେ ସରକାର ବୁଧବାର ସ୍ପଷ୍ଟ କରିଛନ୍ତି ଯେ ଯଦିଓ ସାଂସଦଙ୍କ ସଂଖ୍ୟା ଆଶାଠାରୁ କମ୍ ଆସିଛି, ତଥାପି ସରକାରଙ୍କ ଆଭିମୁଖ୍ୟ ବଜାୟ ରହିବ।

ଲୋକସଭାର ନୂଆ ବାଚସ୍ପତି ନିର୍ବାଚିତ ହେବା ପରେ ଲୋକସଭାର ପ୍ରଥମ ଅଧିବେଶନରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାରେ ତାଙ୍କ ମନ୍ତ୍ରୀମାନଙ୍କୁ ଉପସ୍ଥାପନ କରିବା ମାତ୍ରେ ବାଚସ୍ପତି ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଲାଗୁକୁ ନିନ୍ଦା କରି ସଂକଳ୍ପ ପାଠ କରିଥିଲେ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତିକୁ ସମ୍ବିଧାନ ଉପରେ ଆକ୍ରମଣ ବୋଲି କହିଛନ୍ତି। ବାଚସ୍ପତି ସଂକଳ୍ପ ପଢ଼ିବା ଆରମ୍ଭ କରିବା ମାତ୍ରେ ବିରୋଧୀ ବୁଝି ପାରିନଥିଲେ କ’ଣ ହେଲା? ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସାଂସଦମାନଙ୍କୁ ଦେଖିବା ଆରମ୍ଭ କଲେ କ’ଣ ହେଲା?

ଗୃହରେ ବିରୋଧୀଙ୍କ ବିକ୍ଷୋଭ ଆରମ୍ଭ ହୋଇଥିଲା। କଂଗ୍ରେସର ସମସ୍ତ ସାଂସଦ ନିଜ ନିଜ ଆସନରେ ଠିଆ ହୋଇ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। କଂଗ୍ରେସ ସାଂସଦ. . . ଏକଛତ୍ରବାଦ ବନ୍ଦ କର, ଗଣତନ୍ତ୍ରକୁ ହତ୍ୟା ବନ୍ଦ କର… ସେମାନେ ସଂସଦର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ।

କଂଗ୍ରେସ ସାଂସଦ କେସି ବେଣୁଗୋପାଳ, କେ ସୁରେଶ ବାଚସ୍ପତିଙ୍କୁ ଚାହିଁ କ’ଣ ହେଉଛି ବୋଲି ପଚାରିଥିଲେ। ଦୁହେଁ କେବେ ଚେୟାର କୁ ଚାହିଁଥିଲେ ତ କେତେବେଳେ ରାହୁଲ ଗାନ୍ଧି ସିଟ୍ ରେ ବସିଥିଲେ, କିନ୍ତୁ କେଉଁଠି କଂଗ୍ରେସ ସାଂସଦ ଓ୍ବେଲ ନିକଟକୁ ଆସି ସ୍ଲୋଗାନ ଦେଉଥିଲେ। ତେଣୁ ବାକି ବିରୋଧୀ ଦଳମାନେ ନିଜ ନିଜ ଆସନରେ ବସିଥିଲେ।

ନିରବତା ପରେ ଗୃହ କାର୍ଯ୍ୟକୁ ଦିନକ ପାଇଁ ମୁଲତବୀ ରଖାଯିବା ମାତ୍ରେ ରାହୁଲ ଗାନ୍ଧୀ ନିଜ ସାଂସଦମାନଙ୍କୁ ଦେଖି ସରକାରଙ୍କ ଏହି ଆଭିମୁଖ୍ୟ ବିରୋଧରେ ମୁହଁ ଖୋଲିଥିଲେ। ଗୃହକୁ ଦିନକ ପାଇଁ ମୁଲତବୀ କରାଯିବା ପରେ ବିଜେପି ସଦସ୍ୟମାନେ ପ୍ଲାକାର୍ଡ ଧରି ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଆଜି ଏକ ଐତିହାସିକ ଦିନ ଯେତେବେଳେ ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପୂରଣ ହୋଇଛି। ୧୮ତମ ସଂସଦରେ ବାଚସ୍ପତି ଏହି ସଂକଳ୍ପ ମାଧ୍ୟମରେ ସତ୍ୟ ଉପସ୍ଥାପନ କରିଥିଲେ ଯେ ଜରୁରୀକାଳୀନ ପରିସ୍ଥିତି କେବଳ ଇନ୍ଦିରା ଗାନ୍ଧୀଙ୍କ ଆସନ ବଞ୍ଚାଇବା ପାଇଁ ଲାଗୁ କରାଯାଇଥିଲା। ଆଜି ୫୦ ବର୍ଷ ପରେ ଆମେ ପ୍ରତିଶ୍ରୁତିବଦ୍ଧ। ଜରୁରୀକାଳୀନ ପରିସ୍ଥିତି କେବେ ଲାଗୁ ହେବ ନାହିଁ ଏବଂ କଂଗ୍ରେସ ଦଳ ସମ୍ବିଧାନ ପୁସ୍ତକ ରଖି ନାଟକ କରିବା ବନ୍ଦ କରିବା ଉଚିତ୍।

ଉଲ୍ଲେଖଯୋଗ୍ୟ, ବିରୋଧୀ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ଅନ୍ଯ ରାଜନୈତିକ ଦଳ ଶାସକ ଦଳ ବିଜେପି ବିରୋଧରେ ସମ୍ବିଧାନର ଭାବମୂର୍ତିକୁ କ୍ଷୁର୍ଣ୍ଣ କରୁଥିବାର ଅଭିଯୋଗ ଆଣୁଛନ୍ତି। ଏହାର ଜବାବ ଦେବାକୁ ଯାଇ ରାହୁଲ ଗାନ୍ଧୀ ସମ୍ବିଧାନ ବହିର ଏକ ନକଲ ଧରି ସରକାରକୁ କଟାକ୍ଷ କରୁଛନ୍ତି। କିନ୍ତୁ ଆଜି ସଂସଦ ଭିତରେ ବାଚସ୍ପତି ଜରୁରୀକାଳୀନ କଥା ମନେ ପକାଇ ବିରୋଧୀ କଂଗ୍ରେସକୁ ମଧ୍ୟ କଡା ଜବାବ ଦେଇଛନ୍ତି।

Leave A Reply

Your email address will not be published.