Latest Odisha News

BREAKING NEWS

ଖୁବଶୀଘ୍ର ଆରମ୍ଭ ହେବ ବ୍ରହ୍ମପୁର-ଜୟପୁର ଦ୍ୱିତୀୟ ବିଜୁ ଏକ୍ସପ୍ରେସ ଓ୍ୱେର ନିର୍ମାଣ କାମ

ବ୍ରହ୍ମପୁର: ବ୍ରହ୍ମପୁର ଓ ଜୟପୁରକୁ ସଂଯୋଗ କରୁଥିବା ୩୦୫ କିଲୋମିଟର ଲମ୍ବା ଦ୍ୱିତୀୟ ବିଜୁ ଏକ୍ସପ୍ରେସ ଓ୍ୱେର ନିର୍ମାଣ କାମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ସାମାଜିକ-ଅର୍ଥନୈତିକ ବିକାଶ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପ୍ରାୟ ୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆଶା କରାଯାଉଛି।

୫-ଟି ସଚିବ ଭି. କେ. ପାଣ୍ଡିଆନ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଏକ୍ସପ୍ରେସ ଓ୍ୱେ ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ୧୫ଟି ବ୍ଲକ ଦେଇ ଗଞ୍ଜାମରେ ୪୩ କିଲୋମିଟର, ଗଜପତିରେ ୪୭ କିଲୋମିଟର, ରାୟଗଡ଼ାରେ ୧୫୮ କିଲୋମିଟର, କୋରାପୁଟରେ ୫୭ କିଲୋମିଟର ରାସ୍ତା ଅତିକ୍ରମ କରିବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଫଳରେ ଦକ୍ଷିଣ ଓଡ଼ିଶାରେ ଏକ ନୂତନ ଅର୍ଥନୈତିକ କରିଡର ସୃଷ୍ଟି ହେବ ଏବଂ ଯିବାଆସିବା ସମୟ ହ୍ରାସ ପାଇବ। ଏହା ଶେଷ ହେବା ପରେ ବ୍ରହ୍ମପୁରରୁ ଜୟପୁର ଯାତ୍ରା ସମୟ ୩ ଘଣ୍ଟା କମ୍ ସମୟ ଲାଗିବ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁରରୁ ମୋହନା ଯିବା ପାଇଁ ମାତ୍ର ୪୫ ମିନିଟ୍, ରାୟଗଡାରୁ ମୋହନା ଯିବା ପାଇଁ ମାତ୍ର ଦେଢ଼ ଘଣ୍ଟା ସମୟ ଲାଗିବ, ଯାହାକି ବର୍ତ୍ତମାନ ପ୍ରାୟ ୪ ଘଣ୍ଟା ସମୟ ନେଉଛି। ପାହାଡିଆ ରାସ୍ତା ଦେଇ ଖୋଳାଯାଇ ଏକ ଲମ୍ବା ସୁଡଙ୍ଗ ମଧ୍ୟ ନିର୍ମାଣ କରାଯିବାର ଅଛି, ଯାହାକି ଓଡିଶା ପାଇଁ ପ୍ରଥମ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଗୁରୁତ୍ବ ରଖୁଛି। ଦ୍ୱିତୀୟ ବିଜୁ ଏକ୍ସପ୍ରେସ୍ ଓ୍ୱେ ନିର୍ମାଣ ଦ୍ୱାରା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଦକ୍ଷିଣ ଓଡ଼ିଶାର ଦୁର୍ଗମ ଅଞ୍ଚଳକୁ ଉନ୍ନତ ଯୋଗାଯୋଗ ଓ ସୁବିଧା ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.