Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ସେବିକା ଦେବଦାସୀ ବା ଭିତର ଗାଆଣୀ ଦେବଦାସୀଙ୍କ ବିଷୟରେ ଆଲୋଚନା ଜାରି ରହିଛି । ଦୈନଦିନ ସେବା ବିଷୟ ଆଲୋଚିତ ହୋଇଛି। ବର୍ତ୍ତମାନ ଆଲୋଚନା କରିବା ବିଭିନ୍ନ ପର୍ବ ପର୍ବାଣୀ କଥା କାର୍ତ୍ତିକ ମାସରେ ବାଳଧୂପ ବେଳେ ଓ ଚନ୍ଦନଲାଗି (୪୨ଦିନ )ଆଲଟ ଲାଗିଲେ ଏହି ସେଵିକା ଅଣସର ପିଣ୍ଡି ପାଖରେ ଠିଆ ହୋଇ ଗୀତ ବୋଲନ୍ତି ।

ଏହି ଚନ୍ଦନଲାଗି ୪୨ ଦିନ ସାରା ଜଗମୋହନରେ ନୃତ୍ୟ କରନ୍ତି। ବାହାର ଚାପ ୨୧ ଦିନ ମଦନମୋହନଙ୍କ ଚାପରେ ନୃତ୍ୟ କରନ୍ତି। ରୁକ୍ମିଣୀ ବିବାହରେ ଲଷ୍ମୀ ମନ୍ଦିରରେ ଓ ସେହି ରାତ୍ରରେ ବିବାହ ବେଦୀରେ ମଙ୍ଗଳ ଗାନ କରନ୍ତି। ଚମ୍ପକ ଦ୍ୱାଦଶୀ ଦିନ ବର କନ୍ୟାଙ୍କ ସହ ରlଜ ନଅରକୁ ଯାଇଥାନ୍ତି। ନୀଳାଦ୍ରି ବିଜେ ଦିନ ମା ଲଷ୍ମୀଙ୍କ ସହ ଭେଟ ମଣ୍ଡପରେ ଓ ସିଂହଦ୍ୱାର ଭିତରେ ରହି ବଚନିକା କରନ୍ତି। ଗୁଣ୍ଡିଚା ମଣ୍ଡପରେ ପ୍ରଥମ ଦିନ ନୃତ୍ୟ କରନ୍ତି। ବିମଳାଙ୍କ ପହୁଡ଼ ମଜଣା ସମୟରେ ମାଳଶ୍ରୀ ବୋଲନ୍ତି ।

ରାଜ ନଅରଠାରେ କନକ ଦୁର୍ଗା ପୂଜାରେ ପଟୁଆର କରନ୍ତି। ପୁଷ୍ୟାଭିଷେକ ଦିନ ମୂଦିରସ୍ତଙ୍କ ସହ ତାଙ୍କ ଘରକୁ ଯାଇ ବନ୍ଦାପନା କରନ୍ତି। ଫଗୁଣ ମାସରେ ଫଗୁ ଦଶମୀଠାରୁ ଦୋଳ ବେଦୀରେ ଭୋଗ ସମୟରେ ସେଵା ଦିଅନ୍ତି। ଚତୁର୍ଦ୍ଦଶୀ ଦିନ ମୂଦିରସ୍ତଙ୍କ ସହ ଫଗୁ ଖେଳନ୍ତି । ସ୍ନାନ ବେଦୀରେ ମଧ୍ଯ ନୃତ୍ୟ କରିଥାନ୍ତି।

ସର୍ବୋପରି ନବକଳେବର ସମୟରେ ଦାରୁ ମାନଙ୍କ ସହ ହୁଳହୁଳି ଦେଇ ଆସନ୍ତି । ନବପତ୍ରିକାରେ ନଅର ଦୁର୍ଗାଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତି। କିନ୍ତୁ ବର୍ତ୍ତମାନ ଏହି ସେବା ଦେବଦାସୀ ନଥିବାରୁ ବନ୍ଦ ରହିଛି। ଆଗାମୀ ଅଧ୍ୟାୟରେ ଜାଣିବା ଆଉ ଏକ ଏହିଭଳି ସେବକ ସମ୍ପ୍ରଦାୟଙ୍କ ବିଷୟରେ, ଏବେ କରିବା ଆରାଧନା ଓ ସବୁଦିନ ପରି ଭାଗବତ ପଠନ ।

ଆତ୍ମାକୁ ଦିଅନ୍ତି ଯେ ହରି
ତା ତହୁଁ ଆନ ଇଚ୍ଛା କରି ।
ମୋ ପ୍ରାଣନାଥ ଅଛି ପାଖେ
ମୁହିଁ ନଦେଖଇ ପ୍ରତ୍ୟକ୍ଷେ ।
ସୁହୃଦ ସର୍ବଜୀବ ଆତ୍ମା
ନିର୍ଲେପ ନିର୍ଗୁଣ ମହାତ୍ମା ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.