Latest Odisha News

BREAKING NEWS

ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ ଘଟଣା; ଏନ୍‌ଜିଟିଙ୍କ ରହିତାଦେଶ ଉପରେ ହାଇକୋର୍ଟଙ୍କ ରୋକ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଫୁଲନଖରାଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୟାମ୍ପସ-୨ ନିର୍ମାଣ ପ୍ରସଙ୍ଗରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଡିସେମ୍ବର ୧୨, ୨୦୨୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।
ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ କ୍ଷେତ୍ରରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ସମ୍ପୃକ୍ତ ଜମିରେ ସମସ୍ତ ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ଏନ୍‌ଜିଟି ଲାଗୁ କରିଥିବା ରହିତାଦେଶ ଉପରେ ରୋକ ଲଗାଇଛନ୍ତି । ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ଯେ, ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ପ୍ରକଳ୍ପକୁ ଇତିମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତଣାଳୟ ପକ୍ଷରୁ ପରିବେଶ ମଞ୍ଜୁରି ମିଳିସାରିଛି । ତେଣୁ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଏହି ଆଧାର (ବିନା ପରିବେଶ ମଞ୍ଜୁରିରେ ନିର୍ମାଣ) ନିରର୍ଥକ ହୋଇଯାଇଛି ।

ଏହା ବ୍ୟତୀତ ଟ୍ରିବ୍ୟୁନାଲ୍‌ଙ୍କ ମତରେ ଯାହା ନିର୍ମାଣ କାର୍ଯ୍ୟ ବୋଲି କୁହାଯାଉଛି, ତାହା ବାସ୍ତବରେ କେବଳ ଜମି ସୀମା ଘେରାଯିବା ପାଇଁ ପାଚେରି କାମ ଥିଲା । ଏହାକୁ ନିର୍ମାଣ କାର୍ଯ୍ୟ ବୋଲି କୁହାଯାଇପାରିବ ନାହିଁ । ପ୍ରତିପକ୍ଷଙ୍କୁ ନିଜର ପକ୍ଷ ରଖିବା ପାଇଁ ସୁଯୋଗ ନ ଦେଇ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏକପାଖିଆ ନିର୍ଦ୍ଦେଶ ଜାରି କରିଛନ୍ତି ବୋଲି ମାନ୍ୟବର ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ।

ହାଇକୋର୍ଟ କହିଛନ୍ତି, ଯେଉଁ ଜମିକୁ ନୟନଜୋରି କିସମ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ତାହା ପ୍ରକୃତରେ ରାସ୍ତା କଡ଼ ଜଳପ୍ରବାହ ସ୍ଥଳ । ଏହାକୁ ନୟନଜୋରି କୁହାଯାଇପାରିବ ନାହିଁ । ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ସଂପୃକ୍ତ ଜମି ପ୍ରକଳ୍ପ ନିର୍ମାଣ ପାଇଁ ଦେଇଛନ୍ତି । ଏହା କେଉଁ କିସମର ଏବଂ ଏଠାରେ ନିର୍ମାଣ ସମ୍ଭବ କି ନାହିଁ ତାହା ବିଚାର କରି ବିଭାଗ ଜମି ଦେଇଛନ୍ତି ।
ସଂପୃକ୍ତ ଜମିରେ ଏକଦା ପ୍ରାଚୀ ନଦୀ ପ୍ରବାହିତ ହେଉଥିଲା ବୋଲି ଯାହା ଦାବି କରାଯାଇଛି ତାହାର କୌଣସି ଭିତ୍ତି କିମ୍ବା ତଥ୍ୟ ପ୍ରମାଣ ନାହିଁ । ପରବର୍ତୀ ତାରିଖ (ଫେବୃଆରୀ ୧୬) ଯାଏ ଗ୍ରୀନ୍ ଟ୍ରିବ୍ୟୁନାଲ୍‌ଙ୍କ ରହିତାଦେଶ ଉପରେ ଏହି ରୋକ ବଳବତର ରିହବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାରେ ଉଲ୍ଲେଖ କରାଯାଇଥିବା ଜମିରେ ଅନ୍ୟାଦେଶ ପର୍ଯ୍ୟନ୍ତ ସବୁପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଏନ୍‌ଜିଟି ରହିତାଦେଶ ଜାରି କରି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଚାରିଟେବଲ ଏଜୁକେସନ୍ ସୋସାଇଟି ଦାୟର କରିଥିବା ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଫେବୃଆରି ୧୬କୁ ମାମଲାର ପରବର୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ୍‌ଜିଟି ନିର୍ଦ୍ଦେଶ ବିରୋଧରେ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.