ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବିରୋଧରେ ଏକ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ପାଇଁ କେରଳ ପ୍ରଦେଶ କଂଗ୍ରେସ କମିଟି (KPCC) ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛି। ୨୦୨୬ ଅକ୍ଟୋବର ୧୨ ତାରିଖରେ କେରଳ କଂଗ୍ରେସର ଅଫିସିଆଲ୍ ‘X’ ହ୍ୟାଣ୍ଡେଲରୁ ଏକ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ସିଜେଆଇଙ୍କ ଇସ୍ତଫା ଦାବି କରାଯାଇଥିଲା। ପୋଷ୍ଟରେ ଲେଖାଥିଲା, “ପ୍ରିୟ ସୂର୍ଯ୍ୟକାନ୍ତ, ଯଦି ଆଇନ ଶୃଙ୍ଖଳା ରକ୍ଷା କରିବା ଆପଣଙ୍କ ଅଧୀନରେ ନାହିଁ, ତେବେ ଇସ୍ତଫା ଦିଅନ୍ତୁ। ଆମେ ଆପଣଙ୍କ ବିକଳ୍ପ ଖୋଜିନେବୁ”।
ଏହି ପୋଷ୍ଟକୁ ନେଇ ସୁପ୍ରିମକୋର୍ଟ ବାର୍ ଆସୋସିଏସନର ଯୁଗ୍ମ ସମ୍ପାଦକ ତଥା ଆଇନଜୀବୀ ମୀନେଶ ଦୁବେ କେରଳ କଂଗ୍ରେସ ମୁଖ୍ୟଙ୍କୁ ଏକ ଆଇନଗତ ନୋଟିସ୍ ପଠାଇ କୋର୍ଟ ଅବମାନନା ମାମଲା ରୁଜୁ କରିବାକୁ ଚେତାବନୀ ଦେଇଥିଲେ। ଏହି ନୋଟିସର ଉତ୍ତର ଦେଇ କେରଳ କଂଗ୍ରେସ (KPCC) ସଭାପତି ସନ୍ନି ଜୋସେଫ୍ ସିଜେଆଇଙ୍କ ନିକଟରେ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସ ଦଳ ନ୍ୟାୟପାଳିକାର ସ୍ୱାଧୀନତା ଓ ସିଜେଆଇଙ୍କ ସାମ୍ବିଧାନିକ ପଦବୀକୁ ସମ୍ପୂର୍ଣ୍ଣ ସମ୍ମାନ କରେ।
ସଭାପତିଙ୍କ କହିବା ଅନୁଯାୟୀ, ଏହି ପୋଷ୍ଟଟି ଦଳର ନେତୃତ୍ୱଙ୍କ ବିନା ଅନୁମତିରେ ପ୍ରକାଶ ପାଇଥିଲା। ଏଥିପାଇଁ ଦାୟୀ ଥିବା ସୋସିଆଲ ମିଡିଆ ଦାୟିତ୍ୱରେ ଥିବା ବିଜୟ ଥୋଟ୍ଟାଥିଲଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି ଏବଂ ତାଙ୍କୁ ମଧ୍ୟ ସାର୍ବଜନୀନ ଭାବେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦିଆଯାଇଛି।

