ପୁରୀ: ପୁଣି ଅଦିନିଆ ରଥଯାତ୍ରାକୁ ନେଇ ତେଜିଲା ବିବାଦ । ଆମେରିକାର ହ୍ୟୁଷ୍ଟନ ଇସ୍କନ ଶାଖାକୁ ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ବିରୋଧ । ନଭେମ୍ବର ୩ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ୯ ତାରିଖରେ ରଥଯାତ୍ରା କରିବାକୁ ହ୍ୟୁଷ୍ଟନ ଶାଖା ୱେବ୍ ସାଇଟ୍ ରେ ସୂଚନା ମିଳିବା ପରେ ଏହାକୁ ରୋକିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ଜଗନ୍ନାଥ ସଂସ୍କୃତିର ଶାସ୍ତ୍ରୀୟ ବିଧିକୁ ଖାତିର ନକରି ଇସ୍କନ ଧର୍ମାବଲମ୍ବୀ ବାରମ୍ବାର ଅଦିନିଆ ରଥଯାତ୍ରା କରୁଥିବାରୁ ତେଜିଛି ଅସନ୍ତୋଷ ।
ଏଭଳି ଏକ ପ୍ରୟାସକୁ ଟୁଇଟ କରି ବିରୋଧ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ତେବେ ଗତ ୨୦୦୮ ଓ ୨୦୧୯ରେ ନିଜେ ଗଜପତି ଚିଠି ଲେଖି ଇସ୍କନ ବ୍ୟୁରୋ କୁ ଅବଗତ କରାଇବା ସତ୍ତ୍ୱେ ଏଭଳି ଘଟଣାର ପୁନରାବୃତ୍ତି ହେବାକୁ ସହଜରେ ଗ୍ରହଣ କରୁନାହାନ୍ତି ଜଗନ୍ନାଥ ପ୍ରେମୀ । ଇସ୍କନ ଭକ୍ତଙ୍କୁ ଆଗକୁ ସିଂହଦ୍ଵାର ମନା ହେବା ଚେତାବନୀ ଦେଲେ ଜଗନ୍ନାଥ ପ୍ରେମୀ ।
ସୂଚନାଯୋଗ୍ୟ, ପୂର୍ବରୁ ୨୦୦୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇ ଏକ ପ୍ରସ୍ତାବକ ପ୍ରସ୍ତୁତ ହୋଇଥିଲା । ଏବଂ ଇସ୍କନ ବ୍ୟୁରୋ କୁ ନିଜେ ଚିଠି କରିଥିଲେ ମହାପ୍ରଭୁଙ୍କ ପ୍ରଥମ ସେବକ ତଥା ଠାକୁର ରାଜା ଗଜପତି ଦିବ୍ୟ ସିଂହ ଦେବ । ତେବେ ତଥାପି ଇସ୍କନ ଏହାର ବ୍ୟତିକ୍ରମ କରିବାରୁ ୨୦୧୯ରେ ପୁଣି ଥରେ ଚିଠି କରାଯାଇଥିଲା ।
ତେବେ ୨୦୨୧ରେ ଇସ୍କନ ବ୍ୟୁରୋ ତରଫରୁ ଗଜପତିଙ୍କୁ ଚିଠି କରି ଭାରତରେ ଏଭଳି ଆଉ ବ୍ୟତିକ୍ରମ ହେବନାହିଁ ବୋଲି ଜଣାଇଥିଲା ଇସ୍କନ ସୋସାଇଟି । ତେବେ ବିଶ୍ବବ୍ୟାପୀ ମୂଳପୀଠ ଆଧାରରେ ରଥଯାତ୍ରା ପାଇଁ ଗଜପତି ଚିଠି କରିଥିଲେ ମଧ୍ୟ ଏବେ ବି ବିଦେଶରେ ଅଦିନିଆ ରଥଯାତ୍ରା ହେଉଛି । ତେବେ ବିଦେଶରେ ରଥଯାତ୍ରା ସମୟରେ ଛୁଟି ମିଳୁନଥିବା କଥା କୁ ନଜରରେ ରଖି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଠାରୁ ତ୍ରୟୋଦଶୀ ତିଥି ଅର୍ଥାତ୍ ନୀଳାଦ୍ରି ବିଜେ ମଧ୍ୟରେ କୌଣସି ଏକ ରବିବାରରେ ରଥଯାତ୍ରା କରିବାକୁ ମତାମତ ରଖିଥିଲେ ଗଜପତି । କିନ୍ତୁ ଅଦିନରେ ଏଭଳି ରଥଯାତ୍ରା ଆୟୋଜନ ଏବେ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି।
ତେବେ ବାରମ୍ବାର ଇସ୍କନ ସୋସାଇଟିର ମନମୁଖୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଇସ୍କନ ଭକ୍ତଙ୍କୁ ଆଗକୁ ସିଂହଦ୍ୱାର ମଧ୍ୟ ମନାହେବ ବୋଲି ଚେତାବନୀ ଦେଇଛନ୍ତି ଜଗନ୍ନାଥ ପ୍ରେମୀ ।
Comments are closed.