Latest Odisha News

ମହାପ୍ରଭୁଙ୍କୁ ନେଇ ଚାଲିଛି ବେପାର, ଶାଢୀରେ ଅଙ୍କାଯାଉଛି ଶ୍ରୀବିଗ୍ରହଙ୍କ ଚିତ୍ର

ଭୁବନେଶ୍ଵର: ପୁଣି ଜଗନ୍ନାଥ ସଂସ୍କୃତିକୁ ଅପମାନ । ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ନେଇ ଚାଲିଛି ବେପାର । ଶାଢୀରେ ଶ୍ରୀବିଗ୍ରହଙ୍କ ଚିତ୍ର ସହ ରଥଯାତ୍ରାର ଦୃଶ୍ୟକୁ ଦିଆଯାଇଛି ସ୍ଥାନ । ଯାହାକୁ ନେଇ ଉପୁଜିଛି ବିବାଦ । ଅନ୍ୟପଟେ ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଜଗନ୍ନାଥ ପ୍ରେମୀ ।

ସୂଚନା ଅନୁସାରେ, ଭୁବନେଶ୍ଵରସ୍ଥିତ ଏକ ଶାଢୀ ଦୋକାନ(BIGRAYN)ରେ ବିକ୍ରୀ ହେଉଛି ଶ୍ରୀବିଗ୍ରହଙ୍କ ଚିତ୍ର ସହ ରଥଯାତ୍ରାର ଦୃଶ୍ୟ ଅଙ୍କାଯାଇଥିବା ଏହି ଶାଢୀ । ଏହା ଜଣାପଡିବା ପରେ କିଛି ବ୍ୟକ୍ତି ଏହାର ଫୋଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଏହାକୁ କଡ଼ା ନିନ୍ଦା କରିଛନ୍ତି । ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ଅସମ୍ମାନ କରାଯାଉଥିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଗନ୍ନାଥ ସେନା ଆବାହକ ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରିଛନ୍ତି । କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର ପ୍ରତୀକ, କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଓ ତାଙ୍କର ପ୍ରସିଦ୍ଧ ରଥଯାତ୍ରାକୁ ଶାଢୀରେ ଚିତ୍ରିତ କରି ଏହାକୁ ବ୍ୟବସାୟରେ ଲଗାଇବା ଦୁଃଖଦାୟକ ବୋଲି କହିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ତୁରନ୍ତ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ ସେନାର ଆବାହକ ଦାବୀ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୁର୍ବରୁ ମହାପ୍ରଭୁଙ୍କ ଚିତ୍ରକୁ ନେଇ ଅନେକ ବ୍ୟଙ୍ଗତ୍ମକ ଢଙ୍ଗରେ ଚିତ୍ରଣ କରାଯାଇଛି । ରଥଯାତ୍ରା ଆଳରେ କାରରେ ଠାକୁରଙ୍କୁ ବସାଇ ରଥଯାତ୍ରା କରିବା , ଇସ୍କନ ପକ୍ଷରୁ ରଥଯାତ୍ରା ଦିନ ରଥଯାତ୍ରା କରାନଯାଇ ଅଦିନିଆ ରଥଯାତ୍ରା କରିବା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ପୁର୍ବରୁ ବାଦବିବାଦ ସୃଷ୍ଟି ହୋଇଛି । ତେବେ ପୁଣି ମହାପ୍ରଭୁଙ୍କ ପ୍ରତିକୃତି ଓ ରଥଯାତ୍ରାକୁ ଶାଢୀରେ ଚିତ୍ରିତ କରି ବିକ୍ରୀ ପ୍ରଚେଷ୍ଟାକୁ ସବୁ ମହଲରେ ନିନ୍ଦା କରଯାଇଛି ।

 

Comments are closed.