Latest Odisha News

BREAKING NEWS

ସରିଲା ବିବାଦ:‘ରାଣ୍ଡୀପୁଅ ଅନନ୍ତା’ ବଦଳରେ ଫିଲ୍ମର ନାଁ ରହିବ..

ଭୁବନେଶ୍ବର:ଓଡ଼ିଆ ସାହିତ୍ୟର କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ପ୍ରସିଦ୍ଧ କାହାଣୀ ‘ରାଣ୍ଡୀପୁଅ ଅନନ୍ତା’ର ନାମକରଣକୁ ନେଇ ଚର୍ଚ୍ଚା ଲାଗିରହିଛି। କେତେକ ଏହାକୁ ବିବାଦ ଘେରକୁ ଟାଣି ନେଇଥିଲେ।
ଭାରତୀୟ ସିନେମାର ପ୍ରସିଦ୍ଧ ଚିତ୍ରନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ‘ରାଣ୍ଡୀପୁଅ ଅନନ୍ତା’ର କାହାଣୀ ଆଧାରରେ ଫିଲ୍ମ ନିର୍ମାଣ କରିବା ପରେ ଏହାର ନାମକରଣକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ପର୍ଯ୍ୟାଲୋଚନା ଚାଲୁରହିଛି। ଏହି ଶବ୍ଦଟି ନାରୀଜାତି ପ୍ରତି ଅସମ୍ମାନ ସୂଚକ ହେଉଛି ବୋଲି ସୋସିଆଲ୍ ମିଡିଆରେ ଅନେକ ଅଭିଯୋଗ ଆଣିଥିଲେ।

ଶେଷରେ କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ‘ରାଣ୍ଡୀପୁଅ ଅନନ୍ତା’ କାହାଣୀ ଆଧାରରେ ନିର୍ମିତ ଏହି ଫିଲ୍ମର ନାମ କେବଳ ‘ଅନନ୍ତା’ ରଖାଯିବ।

ଏହିଭଳି ପରିସ୍ଥିତିରେ ନିଜେ ଫିଲ୍ମର ନିର୍ଦ୍ଦେଶକ ମହାପାତ୍ର ସୂଚନା ଦେଇଛନ୍ତି ଯେ, କୌଣସି ପରିସ୍ଥିତିରେ ମଧ୍ୟ ନାରୀକୁ ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ସେପରି ଆମେ କେବେ କରିନାହୁଁ କିମ୍ବା ଆଗକୁ କରିପାରିବୁ ନାହିଁ। ଆମ ଓଡ଼ିଆ ସାହିତ୍ୟ ବିଭବ ଅତି ଉଚ୍ଚମାନର। ତତ୍କାଳୀନ ସମାଜ ବ୍ୟବସ୍ଥାକୁ ନେଇ କଥାସମ୍ରାଟ ଫକୀର ମୋହନ ସେନାପତି ଏହି କାହାଣୀଟି ଲେଖିଥିଲେ। ସେତେବେଳର ସମାଜରେ ଚଳୁଥିବା ଶବ୍ଦକୁ ବ୍ୟବହାର କରି ସେ କେବଳ ରାଣ୍ଡୀପୁଅ ଅନନ୍ତା ନୁହେଁ, ଆହୁରି ଅନେକ ଗଳ୍ପ ଉପନ୍ୟାସ ରଚନା କରିଛନ୍ତ। ସେଗୁଡିକ କ୍ଲାସିକ୍ ପର୍ଯ୍ୟାୟକୁ ଉଠିଗଲାଣି।

କିନ୍ତୁ ମୌଳିକ କାହାଣୀ ଲିଖନର ଅନେକ ବର୍ଷ ପରେ ଯେତେବେଳେ ଆମେ ‘ରାଣ୍ଡୀପୁଅ ଅନନ୍ତା’ ଗପକୁ ନେଇ ଫିଲ୍ମ କରିବାକୁ କାମ ଆରମ୍ଭ କଲୁ, ସେତେବେଳେ ଏହାର ନାମକରଣକୁ ନେଇ ଆମେ ସାଂପ୍ରତିକ ସମାଜର ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କୁ ଭେଟି ଆଲୋଚନା କରିଥିଲୁ ଓ ଏହି ପ୍ରସଙ୍ଗରେ ସେମାନଙ୍କ ପରାମର୍ଶ ଲୋଡ଼ିଥିଲୁ।

ଏଥିପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ କରି ସେମାନଙ୍କୁ ମତ ଦେବାକୁ ନିମନ୍ତ୍ରଣ କରିଥିଲୁ। ଏପଟେ ‘ରାଣ୍ଡୀପୁଅ ଅନନ୍ତା’ ନାଁଟି ବର୍ତ୍ତମାନ ସମୟରେ ଆମ ନାରୀ ସମାଜ ପ୍ରତି ଅସମ୍ମାନ ଭଳି ଲାଗୁଛି, ସେପଟେ ଏତେବଡ଼ ଲେଖକଙ୍କ ମୌଳିକ ଲେଖାରେ କୌଣସି ପରିବର୍ତ୍ତନ କରିବାକୁ ଆମେ କିଏ ବୋଲି ପ୍ରଶ୍ନ ଉଠୁଛି। ଏହି ଦୁଇଟି ପ୍ରଶ୍ନ ଆମେ ନିମନ୍ତ୍ରିତ ଲେଖକ ଓ ବୁଦ୍ଧିଜୀବୀଙ୍କ ଆଗରେ ଉତ୍ଥାପନ କରିଥିଲୁ। ସେମାନେ ନିଜ ନିଜ ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ଯାହା ଆମକୁ ଆଗକୁ ବଢ଼ିବାକୁ ବାଟ ଦେଖାଇଛି।

ସେମାନଙ୍କ ମତକୁ ଆଧାର କରି ଆମେ ନିଷ୍ପତ୍ତି ନେଲୁ ଯେ, କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ‘ରାଣ୍ଡୀପୁଅ ଅନନ୍ତା’ କାହାଣୀ ଆଧାରରେ ନିର୍ମିତ ଏହି ଫିଲ୍ମର ନାମ କେବଳ ‘ଅନନ୍ତା’ ରଖାଯିବ।

Comments are closed.