ପାରଳାଖେମୁଣ୍ଡି: ଥାନା ଭିତରେ ପଶିଲେ, ପୋଲିସକୁ ପିଟିଲେ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନାରେ । ଆଦିବାସୀଙ୍କ ଘରେ ରାତି ଅଧିଆ ପୋଲିସର ଚଢ଼ାଉକୁ ନେଇ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି । ଏକାବେଳେକେ ୬ଟି ପଞ୍ଚାୟତର ଆଦିବାସୀ ଏକଜୁଟ୍ ହୋଇ ପୋଲିସ ଉପରେ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।
ପୋଲିସକୁ ତଳେ ପକାଇ ମାଡ଼ ମାରିଛନ୍ତି ଆଦିବାସୀ । ସୂଚନା ଅନୁସାରେ, ଝରଣପୁର ଗାଁରେ ଗତକାଲି ରାତିରେ ପୋଲିସ ଚଢ଼ାଉ କରି ଜଣଙ୍କୁ ଉଠାଇ ଆଣିଥିଲା । ଗଞ୍ଜେଇ କାରବାର ମାମଲାରେ ପୋଲିସ ଉଠାଇ ଆଣିଥିବା ବେଳେ ପୋଲିସ ମିଛରେ ମାମଲା ରୁଜୁ କରିଥିବା ଲୋକେ ଅଭିଯୋଗ କରିଛନ୍ତି ।
ଆଉ ଯାହାକୁ ନେଇ ଆଜି ଅଡ଼ବା ଥାନାରେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି । ଉତ୍ତ୍ୟକ୍ତ ଲୋକେ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ଲୋକଙ୍କ ଆକ୍ରମଣ ପରେ ଥାନା ଛାଡ଼ି ସମସ୍ତ ପୋଲିସ କର୍ମଚାରୀ ଭୟରେ ପଳାଇଛନ୍ତି । ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।
Comments are closed.