Latest Odisha News

BREAKING NEWS

କପିରାଇଟ୍ ଉଲ୍ଲଂଘନ ଅଭିଯୋଗ, ଗିରଫ ହେଲେ ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ

ଭୁବନେଶ୍ୱର: କପିରାଇଟ ଉଲ୍ଲଙ୍ଘନ ଅଭିଯୋଗରେ ଗିରଫ ହେଲେ ଓଡିଶାର ଜଣାଶୁଣା ମନୋରଞ୍ଜନ ସଂସ୍ଥା ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ। ଜାଲ୍ କାଗଜପତ୍ର ଓ ତଥ୍ୟକୁ ଆଧାର କରି ଅନ୍ୟର ଭିନ୍ନ ଭିନ୍ନ ଗୀତକୁ ବ୍ୟବହାର ପବିତ୍ର ନାୟକ ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି।

୨୦୧୨ ମସିହାରୁ ସେ ଏହି କାମ କରୁଥିଲେ ବୋଲି ସୂଚନା ମିଳିଛି। ତେବେ ୨୦୨୨ ଫେବ୍ରୁଆରି ୨୮ ତାରିଖରେ ସଙ୍ଗୀତ ନିର୍ଦ୍ଦେଶକ ରଞ୍ଜନ ଗାଣ ଏସଡିଜେଏମ୍ କୋର୍ଟରେ ଅଭିଯୋଗ କରିବା ପରେ ସେ ବିବାଦ ଘେରକୁ ଆସିଥିଲେ। ପରେ କୋର୍ଟ ଏହି ମାମଲାର ତଦନ୍ତ ପାଇଁ ବଡଗଡ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ପୁଲିସ ପବିତ୍ର ନାୟକଙ୍କ ବିରୋଧରେ ପ୍ରମାଣ ପାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରିଥିଲା।

ଅଭିଯୋଗକାରୀ କହିଛନ୍ତି, ମୁଁ ଫେବ୍ରୁଆରି ୨୦୨୨ରେ ଏସଡିଜେଏମ୍ କୋର୍ଟରେ ଏକ ମାମଲା ରୁଜୁ କରିଥିଲି। ଏହି ମାମଲାଟି କପିରାଇଟ୍ ଉଲ୍ଲଙ୍ଘନ ଓ ଜାଲିଆତି ସମ୍ପର୍କିତ ଥିଲା। ପବିତ୍ର ଏଣ୍ଟରଟେନ୍ମେଣ୍ଟ ନାମରେ ଏକ ସଂସ୍ଥା ରଖିଥିବା ପବିତ୍ର ନାୟକ ୨୦୧୨ ମସିହାରେ ମୋ ଠାରୁ ଏକ ଦସ୍ତାବିଜ ସଂଗ୍ରହ କରିଥିଲେ। କିନ୍ତୁ ସେ ମୋତେ କହିଥିବା ଦସ୍ତାବିଜକୁ ସେ ବ୍ୟବହାର କରିନଥିଲେ। ସେ ଏହାକୁ ଅନ୍ୟ ଉପାୟରେ ବ୍ୟବହାର କରିଥିଲେ, କହିଛନ୍ତି ରଞ୍ଜନ ଗାଣ।

ସେ ଯାହା କରିଥିଲେ ତାହା ହେଉଛି ସେ ମୋର ମୂଳ ଦସ୍ତାବିଜକୁ ସ୍କାନ୍ କରି ଜାଲ୍ ଦସ୍ତାବିଜ ବାହାର କରିଥିଲେ। ତା’ପରେ ସେ ମୋ ୩୨ଟି ଗୀତର ଲାଇସେନ୍ସ ପ୍ରସ୍ତୁତ କରିଥିଲେ। ଏହା ପରେ ସେ ଅନେକ କମ୍ପାନୀକୁ ମୋ ଗୀତର ଅନୁମତି ଦେଇଥିଲେ ଏବଂ ଗିରଫ ହେବା ଯାଏ ସେ ଟଙ୍କା ରୋଜଗାର କରୁଥିଲେ ବୋଲି ଗାଣ କହିଛନ୍ତି।

ମାମଲା ସମ୍ପର୍କରେ ସୂଚନା ଦେଇ ଜୋନ୍ ୬ର ଏସିପି ଶୁଭନାରାୟଣ ମୁଦୁଲି କହିଛନ୍ତି, ଡକୁମେଣ୍ଟ ଯାଞ୍ଚ ବେଳେ ପବିତ୍ର ନାୟକଙ୍କର କୌଣସି ଡିଜିଟାଲ୍ ଅଧିକାର ନଥିବା ଜାଣିବାକୁ ପାଇଥିଲୁ। କିନ୍ତୁ ସେ ଏହି ଗୀତଗୁଡ଼ିକୁ ବିଭିନ୍ନ ସୋସିଆଲ୍ ମିଡିଆରେ ଅପଲୋଡ୍ କରି ବିଭିନ୍ନ ମ୍ୟୁଜିକ୍ ହାଉସକୁ ସେ ବିକ୍ରି କରିଦେଇଥିଲେ। ଏହାବ୍ୟତୀତ ଏୟାରଟେଲ ଓ ବିଏସ୍ଏନ୍ଏଲର ହେଲୋ ଟ୍ୟୁନ୍ ମଧ୍ୟ ଦେଇଥିଲେ। ଏବେ ତାଙ୍କୁ ଗିରଫ କରାଯାଇଛି।

ନିଜ ପକ୍ଷ ରଖିବାକୁ ଯାଇ ପବିତ୍ର ନାୟକ କହିଛନ୍ତି, ପବିତ୍ର ଏଣ୍ଟରଟେନ୍ମେଣ୍ଟ କେବେ ବି ନକଲି କାଗଜପତ୍ର କରି ଗୀତର ବ୍ୟବହାର କରିନାହିଁ। ଦୁଇରୁ ତିନିଟି ଏଣ୍ଟରଟେନମେଣ୍ଟ ହାଉସ୍ ତାଙ୍କୁ ପ୍ରତ୍ୟାଖ୍ୟାନ କରିବା ପରେ ରଞ୍ଜନ ମୋ ପାଖକୁ ଆସିଥିଲେ। ଏହାପରେ ପବିତ୍ର ଏଣ୍ଟରଟେନମେଣ୍ଟ ପକ୍ଷରୁ ତାଙ୍କ ଗୀତ ରିଲିଜ୍ ହୋଇଥିଲା। ତା’ପରେ ସେ ଜାଣିନଥିଲେ ଯେ ତାଙ୍କ ଗୀତ ହିଟ୍ ହେବ। ପବିତ୍ର ଏଣ୍ଟରଟେନ୍ମେଣ୍ଟ ଦ୍ୱାରା ପ୍ରମୋସନ ପରେ ତାଙ୍କ ଗୀତ ହିଟ୍ ହୋଇଥିଲା। ତା’ପରେ ୨୦୨୦ ମସିହାରେ ସେ ମୋ ବିରୋଧରେ ମାମଲା ରୁଜୁ କରିବାକୁ ସାହସ କରି ହଠାତ୍ ମୋ ଠାରୁ ଟଙ୍କା ମାଗିଥିଲେ। କିଏ ଦୋଷୀ ତାହା କୋର୍ଟ ସ୍ଥିର କରିବେ।

 

Leave A Reply

Your email address will not be published.