Latest Odisha News

BREAKING NEWS

‘ଓ୍ୱାଟର ଡାଇଜେଷ୍ଟ ଓ୍ୱାର୍ଲଡ ଓ୍ୱାଟର ଆଓ୍ୱାର୍ଡ ୨୦୨୨-୨୩’ରେ ସମ୍ମାନିତ ହେଲା ଓଡ଼ିଶା

ଭୁବନେଶ୍ୱର: ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାର ଜଳସମ୍ପଦ ବିଭାଗକୁ ‘ଓ୍ୱାଟର ଡାଇଜେଷ୍ଟ ଓ୍ୱାର୍ଲଡ ଓ୍ୱାଟର ଆଓ୍ୱାର୍ଡ ୨୦୨୨-୨୩’ରେ ସମ୍ମାନିତ କରାଯାଇଛି।

ଜଳସେଚନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭାଗକୁ ଉପର ଇନ୍ଦ୍ରାବତୀ ଏଲ୍ଆଇ ପ୍ରକଳ୍ପ ପାଇଁ ‘ଶ୍ରେଷ୍ଠ ଭିତ୍ତିଭୂମି ଅଗ୍ରଗାମୀ ପ୍ରକଳ୍ପ ପୁରସ୍କାର’ ଏବଂ ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ୍ ଲିମିଟେଡ୍ ପାଇଁ ‘ଶ୍ରେଷ୍ଠ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପୁରସ୍କାର’ ପ୍ରଦାନ କରାଯାଇଛି।

ପରିଚାଳନା ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଭାବେ ଜଳସମ୍ପଦ ବିଭାଗ ପକ୍ଷରୁ ସୁଧାଂଶୁ ମୋହନ ସାମଲ ଓ ଅନୀଲ କୁମାର ପାଣିଗ୍ରାହୀ ନୂଆଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କ ଠାରୁ ଉପର ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଦୁଇଟି ପୁରସ୍କାର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସମ୍ପଦ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ପାଇଁ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ କଳାହାଣ୍ଡି ଜିଲ୍ଲାର ଜୟପାଟଣା ତହସିଲ ଅନ୍ତର୍ଗତ ହାତୀ ବ୍ୟାରେଜର ବାମ କୂଳରେ ଅବସ୍ଥିତ। ଏହି ପ୍ରକଳ୍ପ ଦ୍ୱାରା ଅନ୍ୟୁନ ୨୬,୨୪୮ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିଥାଏ। ୨୦୨୧ ଜାନୁଆରି ୧୪ ତାରିଖରେ ଏହି ପ୍ରକଳ୍ପକୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ଏହି ପ୍ରକଳ୍ପକୁ ଓ୍ୱାଟର ଡାଇଜେଷ୍ଟ ପକ୍ଷରୁ ଆୟୋଜିତ ‘ଶ୍ରେଷ୍ଠ ଭିତ୍ତିଭୂମି ଅଗ୍ରଗାମୀ ପ୍ରକଳ୍ପ’ ବର୍ଗରେ ‘ବିଶ୍ବ ଜଳ ପୁରସ୍କାର-୨୦୨୨-୨୩’ ପ୍ରଦାନ କରାଯାଇଥିଲା।

ସେହିପରି ଓଡ଼ିଶାରେ ଥିବା କମ୍ୟୁନିଟି ଲିଫ୍ଟ ଇରିଗେସନ ପ୍ରକଳ୍ପଗୁଡ଼ିକ ଚାଷୀଙ୍କୁ ଅନ୍ୟ ଫସଲରେ ବିବିଧତା ଆଣିବା ସହ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟରୁ ଭଲ ଲାଭ ପାଇବା ପାଇଁ ସଶକ୍ତ କରୁଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଜଳସମ୍ପଦ ବିଭାଗ ପକ୍ଷରୁ ରାଜୀବ ଭବନଠାରେ ଏହି ସଫଳତାକୁ ପାଳନ କରାଯାଇଛି।

Leave A Reply

Your email address will not be published.