Latest Odisha News

BREAKING NEWS

ଦୁଇ ମାସରେ ରାଜ୍ୟର ୪ ଜେଲକୁ ବ୍ୟାପିଲା କରୋନା; ବିପଦରେ ୧୭ ହଜାର ଅନ୍ତେବାସୀ

କଟକ: ରାଜ୍ୟରେ ପାଖାପାଖି ୪୩ ଜଣ କଏଦୀ ଏବଂ ୱାର୍ଡର କରୋନା ପଜିଟିଭ ଚିହ୍ନଟ ହେବା ପରେ ଅନ୍ତେବାସୀ ମାନେ ଆତଙ୍କିତ ହୋଇପଡିଛନ୍ତି।

ବ୍ରହ୍ମପୁର ସର୍କଲ ଜେଲ କରୋନା ସଂକ୍ରମଣ ତାଲିକାର ଶୀର୍ଷରେ ରହିଥିବାବେଳେ ଚୌଦ୍ୱାର ଜେଲ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏପରିକି ବ୍ରହ୍ମପୁର ଜେଲରେ ୧୭ ଜଣ ଏବଂ ଚୌଦ୍ୱାର ଜେଲରେ ୧୦ ସଂକ୍ରମିତ ହୋଇଛନ୍ତି।

ଗତ ଦୁଇ ମାସ ମଧ୍ୟରେ ପୁରୀ ଏବଂ ରାଉରକେଲା ଜେଲ ମଧ୍ୟ କରୋନା ସଂକ୍ରମିତ ହୋଇଛି। ଯାହାଫଳରେ ରାଜ୍ୟର ବିଭିନ୍ନ ଜେଲରେ ଥିବା ପ୍ରାୟ ୧୭,୦୦୦ ଅନ୍ତେବାସୀକୁ ସଂକ୍ରମଣ ହେବାର ଆଶଙ୍କା ରହିଛି।

ସୂଚନାନୁସାରେ, ବର୍ତ୍ତମାନ ୮୫ଟି ଜେଲରେ ୧୬,୯୩୧ କଏଦୀ ରହିଛନ୍ତି। କରୋନା ସଂକ୍ରମଣ ଭୟରେ ଅନେକ ଅନ୍ତେବାସୀଙ୍କୁ ଜାମିନରେ ଛଡାଯାଇଛି ଏବଂ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଭାବରେ ପ୍ରତ୍ୟେକ ଜେଲରେ ପ୍ରାୟ ୧୦୦ ଶଯ୍ୟାର ସଙ୍ଗରୋଧ ପାଇଁ ବ୍ୟବସ୍ଥା କରାଯାଇଛି।

କରୋନା ମହାମାରୀ ସମୟରେ ଯେଉଁ ଅପରାଧୀମାନେ ଗିରଫ ହେଉଛନ୍ତି, ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି।

ରାଜ୍ୟରେ ଗତ ମେ ୧୭ ତାରିଖରେ କାରାଗାର ବିଭାଗକୁ ପ୍ରଥମ କରୋନା ଛୁଇଁଥିଲା। ପୁରୀ ଜେଲରେ ଜଣେ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସମ୍ପୃକ୍ତ କରୋନା ଆକ୍ରାନ୍ତ ଅପରାଧିୀଙ୍କୁ ମେ ୧୫ ରେ କୁମ୍ଭାରପଡା ଅଞ୍ଚଳରୁ ଗିରଫ କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ପଜିଟିଭ ବାହାରିବା ପରେ କୁମ୍ଭାରପଡା ପୋଲିସ ଷ୍ଟେସନର ଆଇଆଇସି ଏବଂ ଅନ୍ୟ ୩୦ ଜଣ କର୍ମଚାରୀଙ୍କୁ ଏକ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯାଇଥିଲା।

ଜୁନ୍ ୬ରେ, ବ୍ରହ୍ମପୁର ସର୍କଲ ଜେଲରେ ଦୁଇଜଣ କଏଦୀ କୋଭିଡ -୧୯ ସଂକ୍ରମିତ ହୋଇଥିଲେ। ହତ୍ୟା ମାମଲାରେ ସେମାନଙ୍କୁ ଜୁନ୍ ୩ ରେ ଗିରଫ କରାଯାଇଥିଲା।

ଜୁନ୍ ୭ରେ ରାଉରକେଲା ସ୍ୱତନ୍ତ୍ର ଜେଲରେ କୋଭିଡ-୧୯ ପଜିଟିଭ୍ ଥିବା ୬ ଜଣ ଅନ୍ତେବାସୀଙ୍କୁ ଚିହ୍ନଟ କରାଯାଇଥିଲା। ଦୁଷ୍କର୍ମ ଅଭିଯୋଗରେ ପୋଲିସ ରାଉରକେଲାର ନାଲା ରୋଡରୁ ୩୦ ଜଣଙ୍କୁ ଗିରଫ କରିଥିଲା ଏବଂ ସେମାନଙ୍କ ମଧ୍ୟରୁ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସେହିଭଳି ଜୁନ୍ ୯ରେ ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ପୁରୀ ଜେଲକୁ ପଠାଯାଇଥିଲା ଏବଂ ଜୁନ୍ ୧୩ରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜୁନ୍ ୧୧ ରେ ବ୍ରହ୍ମପୁର ସର୍କଲ ଜେଲରେ ଜଣେ କଏଦୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ଜୁନ୍ ୧୬ରେ ଦୁଇ ଜଣ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେହିପରି ଜୁଲାଇ ୫ରେ ବ୍ରହ୍ମପୁର ସର୍କଲ ଜେଲରେ ଜଣେ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିଛି ଦିନ ତଳେ କଟକର ଆଚାର‌୍ୟ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସରରେ ଚିକିତ୍ସିତ ହେଉଥିବା ଦୁଇଜଣ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାବ୍ୟତିତ ଜୁଲାଇ ୯ରେ ଆଉ ଚାରିଜଣ ଅନ୍ତେବାସୀ ଚୌଦ୍ୱାର ସର୍କଲ ଜେଲରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Leave A Reply

Your email address will not be published.