Latest Odisha News

BREAKING NEWS

କରୋନା ଭାଇରସ୍ ଆଲର୍ଟ; ଆରମ୍ଭ ହେଲା ଭୁବନେଶ୍ୱର ଏୟାରପୋର୍ଟରେ ସବୁ ଯାତ୍ରୀଙ୍କ ସ୍କ୍ରିନିଂ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମିତ ହେବାଦ୍ୱାରା ଚୀନରେ ଏବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭାରତର ମହାରାଷ୍ଟ୍ର ଏବଂ କେରଳରେ ଏହି ଭୁତାଣୁ ସଂକମିତ ହେବା ସନ୍ଦେହରେ କିଛି ବିଦେଶାଗତ ଯାତ୍ରୀଙ୍କୁ ଚିକିତ୍ସିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଏହି ଭୟାବହ ଭୂତାଣୁର ସଂକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଶେଧାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । କରୋନା ଭାଇରସ ଲାଗି ସରକାର ହାଇ ଆଲର୍ଟ ଜାରି କରିଛନ୍ତି ।

“ଏହି ମାରାତ୍ମକ ଭୂତାଣୁର ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରାକ୍ ପଦକ୍ଷେପମାନେ ଗ୍ରହଣ କରିଛନ୍ତି,” ବୋଲି ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ।

ଏସମ୍ପର୍କରେ ଶ୍ରୀ ଧଳ କହିଛନ୍ତି ଯେ, ନେପାଳ ଓ ମାଲେସିଆରେ ଏହି ମାରାତ୍ମକ ଭାଇରସ୍ ଦ୍ୱାରା ୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । “ଯେହେତୁ ଓଡ଼ିଶାରୁ ମାଲେସିଆର କୁଆଲାଲୁମ୍ପୁରକୁ ସିଧାସଳଖ ବିମାନ ଚଳାଚଳ କରୁଛି ତେଣୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କ ବାଧ୍ୟତାମୂଳକ ସ୍କ୍ରିନିଂ କରାଯାଉଛି,” ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ପରେ ଏନେଇ ଗଣମାଧ୍ୟମରେ ଶ୍ରୀ ଧଳ ସୂଚନା ପ୍ରଦାନ କରିଛନ୍ତି ।

Comments are closed.