ନୂଆଦିଲ୍ଲୀ/ଜୟପୁର: କରୋନା ଭାଇରସର ପ୍ରକୋପ ବଢ଼ି ବଢ଼ି ଚାଲିଛି । ଡାକ୍ତର ଓ ବୈଜ୍ଞାନିକ ଏହାର ଚିକିତ୍ସା ପଦ୍ଧତି ଖୋଜୁଛନ୍ତି । ଏହା ଭିତରେ ଭାରତରେ ପ୍ରଥମ ଥର ଲାଗି କରୋନା ଭାଇରସ ଆକ୍ରାନ୍ତ ରୋଗୀଙ୍କ ଉପରେ ଏଚଆଇଭି ନିରୋଧୀ ଔଷଧର ପ୍ରୟୋଗ କରାଯାଇଛି । ଭାରତ ପରିଦର୍ଶନରେ ଆସିଥିବା ଇଟାଲୀୟ ଦମ୍ପତିଙ୍କୁ କରୋନା ସଂକ୍ରମିତ ଥିବା ସନ୍ଦେହ କରାଯାଇଥିଲା । ପରେ ରାଜସ୍ଥାନର ଜୟପୁରରେ ତାଙ୍କ ରକ୍ତ ନମୂନା ପଜିଟିଭ ଆସିଛି । ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଦମ୍ପତିଙ୍କ ସମ୍ମତି କ୍ରମେ ତାଙ୍କ ଉପରେ ଏଚଆଇଭି ନିରୋଧୀ ଔଷଧ ଲୋପିନାଭିର/ ରିଟୋନାଭିର ଥେରାପିର ପ୍ରୟୋଗ କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଇଣ୍ଡିଆନ ଏକ୍ସପ୍ରେସକୁ ସୂଚନା ଦେଇଛନ୍ତି, “କରୋନା ଆକ୍ରାନ୍ତ ଦମ୍ପତିଙ୍କ ଉପରେ ଲୋପିନାଭିର/ ରିଟୋନାଭିର ଥେରାପିର ପ୍ରୟୋଗ କରିବା ପାଇଁ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମଆର) ସମ୍ମତି ପ୍ରଦାନ କରିଛି । କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁସରଣ କରି କରୋନା ରୋଗୀଙ୍କ ଉପରେ ଏହି ଥେରାପିର ପ୍ରୟୋଗ କରିବା ପାଇଁ ଆଇସିଏମଆର ମଂଜୁରୀ ଦେଇଛି । ଏପର୍ଯ୍ୟନ୍ତ ଜୟପୁର ହସ୍ପିଟାଲରେ ଭର୍ତ୍ତି ଥିବା କେବଳ ଦୁଇ ଇଟାଲୀୟ ରୋଗୀଙ୍କ ଉପରେ ଏହି ଥେରାପିର ପ୍ରୟୋଗ କରାଯାଇଛି ।”
ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଏହି ଥେରାପି କାମ କରିବନି କି ନାହିଁ, ତାହା ଏବେ କହି ହେବନି । ଏହା ଏକ ନୂଆ ଔଷଧ ନୁହେଁ । ଚୀନରେ ଏହି ଔଷଧର ପ୍ରୟୋଗ କରାଯାଇଛି । ଏହାର କିଛି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଅଛି । ଏହା କାମ କରିବ ବୋଲି ଏବେ ଆମେ କହିପାରିବୁନି । କିନ୍ତୁ ମହଜୁଦ ଥିବା ଔଷଧର ଏହା ଏକ ନୂଆ ପ୍ରୟୋଗ ।
Comments are closed.