କରୋନା ଟିକା ପାଇଁ ବଳି ପଡ଼ିବେ ୫ ଲକ୍ଷ ସାର୍କ!
ନୂଆଦିଲ୍ଲୀ: ମଣିଷର ସୁରକ୍ଷା ପାଇଁ ପଶୁ ପକ୍ଷୀଙ୍କ ବଳି ପଡ଼ିବା ପରି ପ୍ରଥା ଯୁଗ ଯୁଗରୁ ରହି ଆସିଛି । ତେବେ କୋଭିଡ୍-୧୯ ଟିକା ପାଇଁ ୫ ଲକ୍ଷ ସାର୍କକୁ ହତ୍ୟା କରାଯିବା କଥା ଏବେ ବନ୍ୟଜନ୍ତୁ ବିଶେଷଜ୍ଞମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ସୂଚନା ଅନୁସାରେ ଟିକା ଉତ୍ପାଦନ ପାଇଁ ୫ ଲକ୍ଷ ସାର୍କଙ୍କୁ ହତ୍ୟା କରାଯାଇପାରେ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି । ଏ ନେଇ ବନ୍ୟଜନ୍ତୁ ବିଶେଷଜ୍ଞମାନେ ଗୁରୁତର ଚିନ୍ତା ପ୍ରକଟ କରିଥିଲେ ।
ଏସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରଜନନ ହାର କମ୍ ହେତୁ ବିପଦ ଅଧିକ ବଢ଼ିଯାଇଛି । କୋଭିଡ୍-୧୯ ଟିକା ଉତ୍ପାଦନରେ ସ୍ୱାଲିନ୍ ପରି କେତେକ ପଦାର୍ଥ ବ୍ୟବହୃତ ହୁଏ । ସ୍ୱାଲିନ୍ ଏକ ପ୍ରକାର ପ୍ରାକୃତିକ ତୈଳ । ଏହା ସାର୍କର ଯକୃତାଂଶରେ ପ୍ରାକୃତିକ ଉପାୟରେ ତିଆରି ହୋଇଥାଏ ।
କୋଭିଡ୍ ଟିକା ପାଇଁ ୫ ଲକ୍ଷ ସାର୍କଙ୍କୁ କରାଯିବ ହତ୍ୟା…
ସମ୍ପ୍ରତି ପ୍ରାକୃତିକ ତୈଳର ବ୍ୟବହାର ଔଷଧ ପ୍ରସ୍ତୁତିରେ ସହାୟକ ହେଉଛି । ଏହା ଶକ୍ତିଶାଳୀ ପ୍ରତିରୋଧକ ଶକ୍ତି ସୃଷ୍ଟି କରି ଟୀକାକରଣର ପ୍ରଭାବକୁ ବୃଦ୍ଧି କରିଥାଏ । ବ୍ରିଟିଶ୍ ଫାର୍ମା କମ୍ପାନୀ ଗ୍ଲାସ୍କୋ ସ୍ମିଥ୍କାଇନ୍ (ଜିଏସ୍କେ) ଫ୍ଲୁ ଟୀକା ପ୍ରସ୍ତୁତ କରିବା ପାଇଁ ସାର୍କର ସ୍ୱାଲିନ୍ ବ୍ୟବହାର କରୁଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କରୋନା ଭାଇରସ୍ ମୁକାବିଲା ନିମନ୍ତେ ଟୀକାରେ ସମ୍ଭାବ୍ୟ ବ୍ୟବହାର ପାଇଁ ଏକ ବିଲିୟନ୍ ଡୋଜ୍ ପ୍ରସ୍ତୁତ କରିବେ । ଏକ ଟନ୍ ସ୍ୱାଲିନ୍ ବାହାର କରିବା ପାଇଁ ପ୍ରାୟ ୩୦୦୦ ସାର୍କ ଆବଶ୍ୟକ ହେବ ।
ତେବେ ଏ ନେଇ ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ସାର୍କ ଆଲିଆନ୍ସ ଆସୋସିଏସନ୍ କହିଛି ଯେ ଯଦି ସାର୍କଙ୍କ ଯକୃତରୁ ନିର୍ଗତ ତେଲ ସହିତ କୋଭିଡ୍-୧୯ ଟୀକାର ଗୋଟିଏ ଡୋଜ୍ ଦିଆଯାଏ ତେବେ ଅଢ଼େଇ ଲକ୍ଷରୁ ଅଧିକ ସାର୍କ ମରିଯିବେ । କେତେ ମାତ୍ରାରେ ସ୍ୱାଲିନ୍ ବ୍ୟବହାର କରାଯାଉଛି ଏହା ତା ଉପରେ ନିର୍ଭର କରିବ । କିନ୍ତୁ ଯଦି ଲୋକଙ୍କୁ ଦୁଇଟି ଲେଖାଏଁ ଡୋଜ୍ ଦିଆଯାଏ ତାହା ହେଲେ ୫ ଲକ୍ଷ ସାର୍କଙ୍କୁ ହତ୍ୟା କରିବାକୁ ପଡ଼ିବ ।
ସାର୍କ ଜନସଂଖ୍ୟା ଉପରେ ବିପଦକୁ ଏଡେଇବା ପାଇଁ ବୈଜ୍ଞାନିକମାନେ ସ୍ୱାଲିନ୍ର ଏକ ବିକଳ୍ପ ପରୀକ୍ଷା କରୁଛନ୍ତି । ଏଥିପାଇଁ ସେମାନେ ଆଖୁରୁ ଏକ ସିନ୍ଥେଟିକ୍ ସଂସ୍କରଣ ପ୍ରସ୍ତୁତ କରିଛନ୍ତି । ସାର୍କ ଆଲିଆନ୍ସ ଆସୋସିଏସନ୍ର ସଂସ୍ଥାପକ ଷ୍ଟିଫନୀ ବ୍ରାଣ୍ଡିଲ୍ କହିଛନ୍ତି ଯେ ବିଶେଷ କରି ଯେତେବେଳେ ସାର୍କମାନଙ୍କ ପ୍ରଜନନର ପରିମାଣ ଅପେକ୍ଷାକୃତ କମ୍ ରହିଛି ସେହି ସମୟରେ ଜନ୍ତୁମାନଙ୍କୁ ହତ୍ୟା କରିବା ସ୍ଥାୟୀ ପ୍ରତିକାର ହେବ ନାହିଁ ।
ସେ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆମେ ଟିକା ପ୍ରସ୍ତୁତିରେ ସାର୍କ ବ୍ୟବହାର ଜାରି ରଖୁ ତେବେ ସ୍ୱାଲିନ୍ ପାଇଁ ପ୍ରତିବର୍ଷ ଅଧିକରୁ ଅଧିକ ସାର୍କ ହତ୍ୟା କରିବାକୁ ପଡ଼ିବ ।
Comments are closed.