Latest Odisha News

BREAKING NEWS

ସଚେତନତା ହିଁ ସଂକ୍ରମଣକୁ ରୋକିପାରିବ; କରୋନା ଲାଗି ଆହୁରି ବଢିପାରେ କଟକଣା !

ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାର ଘାତକ କୋଭିଡ଼ ୧୯ ଭୂତାଣୁ ସଂକ୍ରମିତ ହେବା ରୋକିବା ଲାଗି ବିଭିନ୍ନ ପ୍ରତିଷେଧାତ୍ମକ ପଦକ୍ଷେପମାନେ ଗ୍ରହଣ କରିବାରେ ଲାଗିଛନ୍ତି । ସାରା ବିଶ୍ୱରେ ଏହି ମରଣାନ୍ତକ କରୋନା ଭାଇରସ୍ ପ୍ରାୟ ୧୫୬ଟି ଦେଶକୁ ସଂକ୍ରମିତ ହୋଇସାରିଲାଣି । କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୬ ହଜାରକୁ ବୃଦ୍ଧି ପାଇବା ଏବେ ବିଶ୍ୱବାସୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଓଡ଼ିଶା ସରକାର କରୋନା ଭୂତାଣୁ ସଂକ୍ରମଣ ହେବାକୁ ରୋକିବା ନେଇ ଯୁଦ୍ଧକାଳୀନ ଭିତ୍ତିରେ ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟ୍ ଜରିଆରେ ରାଜ୍ୟବାସୀଙ୍କୁ ଏହି ଭୂତାଣୁ ଦାଉରୁ ବର୍ତ୍ତିବା ଲାଗି ବିଭିନ୍ନ ପରାମର୍ଶ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି ।

କରୋନା ଭୂତାଣୁର ସଂକ୍ରମଣ ରୋକିବା ଏବଂ ଏଥିଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାର୍କ ଦେଶମାନଙ୍କୁ ନେଇ ଏକ ଭିଡ଼ିଓ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି ।

ସମଗ୍ର ବିଶ୍ୱରେ ଗୋଟିଏ ପରେ ଗୋଟିଏ ଦେଶକୁ ଏହି ଭୂତାଣୁ ସଂକ୍ରମିତ ହୋଇଚାଲିଥିବା ବେଳେ ଭାରତରେ ମଧ୍ୟ କରୋନା ଭାଇରସ୍ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୀବାରେ ଲାଗିଛି । ସମଗ୍ର ବିଶ୍ୱରେ ସମୁଦାୟ ୧ ଲକ୍ଷ ୬୦ ହଜାର କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୬ ହଜାର ଟପିଯାଇଛି । ଭାରତରେ କରୋନା ମୃତ୍ୟୁ ୨ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ତେବେ କରୋନା ପ୍ରତିରୋଧ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ଆଗକୁ ଆହୁରି କଟକଣା ବଢିପାରେ ବୋଲି ସୂଚନା ମିଳିଛି ।

ଦେଶର କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀ, ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର ଓ କେରଳ ରାଜ୍ୟରେ ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଗୁଡ଼ିକୁ ବନ୍ଦ ରଖାଯାଇଛି । ଅନେକ ଶିକ୍ଷାନୁଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରଖାଯାଇଥିବା ବେଳେ କେତେକ ରାଜ୍ୟରେ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖାଯାଇଥିବା ସୂଚନା ମିଳିଛି ।

ଦେଶର ତିରୁପତି, ଶିରିଡ଼ିସାଇ ପୀଠ, ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଲିଙ୍ଗରାଜ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ପରି ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ ମଧ୍ୟ କରୋନା ଲାଗି କଟକଣା ଜାରି ହୋଇଛି ।

କରୋନା କଟକଣା ଓ ସଚେତନତା ଯୋଗୁଁ ପର୍ଯ୍ୟଟନ ଶିଳ୍ପ ମଧ୍ୟ ମାନ୍ଦା ପଡ଼ିଛି । ଭୂତାଣୁ ସଂକ୍ରମିତ ହେବା ଭୟରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ କଟକଣା ଜାରି ହୋଇଛି ।

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଷେଧାତ୍ମକ ପଦକ୍ଷେପ ହାତକୁ ନିଆଯାଇ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ସଚେତନ କରାଯାଉଛି ।

ଭୂତାଣୁ ସଂକ୍ରମଣ ନହେବା ଲାଗି ଜନସାଧାରଣ ଯେପରି ସତର୍କତା ଅବଲମ୍ବନ କରିବେ ସେଥିଲାଗି ଆଗକୁ ଆହୁରି କଟକଣା ବୃଦ୍ଧି ପାଇପାରେ ବୋଲି ଜଣାପଡ଼ିଛି ।

Comments are closed.