Latest Odisha News

BREAKING NEWS

କରୋନା ଆତଙ୍କ: ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟାରେ ଚୀନ, ଇଟାଲୀକୁ ଟପିଗଲା ଯୁକ୍ତରାଷ୍ଟ୍ର ଆମେରିକା !

ନ୍ୟୁୟର୍କ: ସାରା ବିଶ୍ୱରେ ଏବେ ୫୦୦,୦୦୦ ବ୍ୟକ୍ତି କରୋନା ସଂକ୍ରମିତ ବ୍ୟକ୍ତି ରହିଥିବା ବେଳେ କୋଟି କୋଟି ଜନସାଧାରଣ ଏବେ ଘରଭିତରେ ଲକଡ଼ାଉନ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଛନ୍ତି । ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା ନେଇ ଏବେ ବିଶ୍ୱବ୍ୟାପୀ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଅଧିକାଂଶ ଦେଶ ଲକଡ଼ାଉନ ଥିବା ଯୋଗୁଁ ବିଭିନ୍ନ ଶିଳ୍ପସଂସ୍ଥା ଗୁଡ଼ିକ ବନ୍ଦ ଅବସ୍ଥାରେ ରହିଛି । ବିପର୍ଯ୍ୟସ୍ତ ଅବସ୍ଥା ଦେଇ ଗତି କରୁଛି ବିଶ୍ୱ ଅର୍ଥନୀତି । ଯୁକ୍ତରାଷ୍ଟ୍ର ଆମେରିକା ଲାଗି ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି କରୋନା ଭୂତାଣୁ ଜନିତ ସଂକ୍ରମଣ । ପଜିଟିଭ୍ ସଂକ୍ରମିତଙ୍କ ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଗ୍ରେ ରହିଛି । କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତିସ୍ଥଳ ଚୀନ ଏବଂ ୟୁରୋପୀୟ ରାଷ୍ଟ୍ର ଇଟାଲୀକୁ ପଛରେ ପକାଇ ଆମେରିକାରେ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା ।

ଆମେରିକାରେ ଏବେ ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ପହଞ୍ଚିଛି ୮୩,୦୦୦ରେ । ଅର୍ଥାତ୍ ସଂକ୍ରମିତଙ୍କ ମଧ୍ୟରୁ ୮୩,୦୦୦ ପଜିଟିଭ୍ କେସ୍ । ଚୀନ ଓ ଇଟାଲୀରେ କରୋନା ଭୂତାଣୁ ଜନିତ ମୃତ୍ୟୁସଂଖ୍ୟା ଅଧିକ ।

ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୨୩,୨୯୩ ଥିବା ବେଳେ କେବଳ ଆମେରିକାରେ ମୃତ୍ୟୁ ସଂଖ୍ୟା ୧,୧୭୮ ।

ଏନଡ଼ିଟିଭି ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସମଗ୍ର ଆମେରିକାର ୪୦ ପ୍ରତିଶତ ଅଞ୍ଚଳ ଏବେ ଲକଡ଼ାଉନ ରହିଛି । ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଦେଶବାସୀଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହିତ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକା ହେଉଛି ବିଶ୍ୱର ଶ୍ରେଷ୍ଠ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର । ମାତ୍ର ଏବେ ଆମେରିକାର ଅର୍ଥନୀତି ଉପରେ କରୋନା କୁପ୍ରଭାବ ପକାଇବା ଆରମ୍ଭ କରିଛି ।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଏପର୍ଯ୍ୟନ୍ତ ୩.୩ ମିଲିୟନ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରି କରୁଥିବା ବ୍ୟକ୍ତି ନିଯୁକ୍ତି ହରାଇ ଦରମା ଲାଗି ଆବେଦନ କରିଛନ୍ତି । ଗତସପ୍ତାହ ପର୍ଯ୍ୟନ୍ତ ଏହି ଆବେଦନ ହୋଇଥିବା ବେଳେ ଭବିଷ୍ୟତରେ ଏହା ବେରୋଜଗାରୀ ସମସ୍ୟା ସୃଷ୍ଟି କରିପାରେ ବୋଲି ଅନେକ ଆମେରିକୀୟ ଅର୍ଥନୀତି ବିଶାରଦ ଆକଳନ କରିଛନ୍ତି ।

Leave A Reply

Your email address will not be published.