Latest Odisha News

BREAKING NEWS

କରୋନା ଦିନ ସରି ଆସୁଛି !

ନୂଆଦିଲ୍ଲୀ: କେବେ ଶେଷ ହେବ କରୋନା ଆତଙ୍କ ? ବିଶ୍ବରେ ଆଉ କେତେ ମୁଣ୍ଡ ନେବ ଏହି ଭାଇରସ୍ ? କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧ ବାହାରି ନଥିବା ବେଳେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ । ଏହାର ଉତ୍ତର ଦେଇଛନ୍ତି ନୋବେଲ ବିଜେତା ଆମେରିକୀୟ-ବ୍ରିଟିଶ-ଏସ୍ରାଏଲି ବାୟୋଫିଜିସିଷ୍ଟ ମାଇକେଲ୍ ଲେଭିଟ୍ । କରୋନା ମହାମାରୀର ଆତଙ୍କ ଖୁବ ଶୀଘ୍ର ଶେଷ ହୋଇଯିବ ବୋଲି ଲେଭିଟ୍ ଆଶା ପ୍ରକାଶ କରିଛନ୍ତି । ବିଶ୍ବବ୍ୟାପୀ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ ଭାଇରସର ପ୍ରଭାବ ଧୀରେ ଧୀରେ ଥମି ଯିବ ।

ଲେଭିଟ୍ ମହାମାରୀ ବିଶେଷଜ୍ଞ ନୁହନ୍ତି ତେବେ ଚୀନକୁ ନେଇ ପୂର୍ବ ଆକଳନ ସଠିକ ହୋଇଛି । ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୮୦ହଜାର ଏବଂ ମୃତ୍ୟୁ ସଂଖ୍ୟା ୩୨୫୦ହେବ ବୋଲି ଫେବୃଆରୀ ମାସରେ ଲେଭିଟ୍ ଆକଳନ କରିଥିଲେ । ଏହା ପ୍ରାୟ ସଠିକ ହୋଇଛି । ଫେବୃଆରୀ ମଝି ସୁଦ୍ଧା ଚୀନରେ ମୃତ୍ୟୁ ସଂଖ୍ୟା ୩୨୪୫ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା୮୦,୨୯୮ । ତାଙ୍କ ଆକଳନ ଅନୁଯାୟୀ ମାର୍ଚ୍ଚ ୧୬ପରେ ଚୀନରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶ କମିଯାଇଛି । ଗତ ଜାନୁଆରୀ ମାସରୁ କରୋନା ତଥ୍ୟକୁ ନେଇ ଗବେଷଣା କରୁଛନ୍ତି ଲେଭିଟ୍ । କରୋନା ମହାମାରୀ ନେଇ ବିଶ୍ବରେ ସୃଷ୍ଟି ହୋଇଥିବା ଆତଙ୍କର ବାତାବରଣ ନିୟନ୍ତ୍ରଣ ହେବା ଆବଶ୍ୟକ । ସାମାଜିକ ଦୂରତା ରକ୍ଷା କରି କୋଭିଡ-୧୯ ବ୍ୟାପିବାକୁ ରୋକିହେବ ବୋଲି ଲେଭିଟ ପରାମର୍ଶ ଦେଇଛନ୍ତି ।

ବିଶ୍ବର ୭୮ଟି ଦେଶରେ ପ୍ରତିଦିନ ଆସୁଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଆଧାର ଭାବରେ ନେଇ ଲେଭିଟ କହିଛନ୍ତି ଯେ ସ୍ଥିତିରେ ସୁଧାର ଆସୁଛି । ଏହି ସଂଖ୍ୟା ଅସ୍ଥିର ରହିଛି କିନ୍ତୁ କରୋନା ପ୍ରଭାବ କମୁଥିବା ଏଥିରୁ ଅନୁମାନ କରି ହେଉଥିବା ଲେଭିଟ୍ କହିଛନ୍ତି । ମୋଟ କରୋନା ଆକାନ୍ତଙ୍କ ବଡ଼ ସଂଖ୍ୟା ଏବଂ ଆକ୍ରାନ୍ତ ସେଲେବ୍ରିଟିଙ୍କୁ ଦେଖାଇ ଗଣମାଧ୍ୟମ ଆତଙ୍କ ସୃଷ୍ଟି କରୁଥିବା ଲେଭିଟ ଅଭିଯୋଗ କରିଛନ୍ତି । କରୋନା ମହାମାରୀରୁ ନିସ୍ତାର ପରେ ବେକାରୀ ସମସ୍ୟା ବଢିପାରେ । ଅର୍ଥନୈତିକ ମାନ୍ଦାବସ୍ଥା ସହ ଆତ୍ମହତ୍ୟା ସଂଖ୍ୟା ବଢିପାରେ । ଏହାର ମୁକାବିଲା ନେଇ ଏବେଠୁ ଅଣ୍ଟା ଭିଡିବାର ସମୟ ଆସିଛି । କରୋନା ଭାଇରସ୍ ଘାତକ ସାଜି ଥାଇପାରେ ତେବେ ଏହା ବିଶ୍ବର ଅନ୍ତ ନୁହେଁ ବୋଲି ଲେଭିଟ୍ କହିଛନ୍ତି ।

Leave A Reply

Your email address will not be published.