Latest Odisha News

ସର୍ପଦଂଶନ ମୃତ୍ୟୁ ନେଇ ଦୁର୍ନୀତି: ରାଜସ୍ୱ ମନ୍ତ୍ରୀ ଏବଂ ଏସଆରସିଙ୍କ ରିପୋର୍ଟରେ ନାହିଁ ତାଳମେଳ!

ଭୁବନେଶ୍ୱର: ସର୍ପଦଂଶନରେ ମୃତ୍ୟୁ ସଂଖ୍ୟା ଏବଂ ଅନୁକମ୍ପା ଅର୍ଥ ପ୍ରଦାନରେ ଦୁର୍ନୀତି ଅଭିଯୋଗ। ରାଜ୍ୟରେ ପ୍ରତିବର୍ଷ ଅନେକ ଲୋକ ସର୍ପାଘାତରେ ଜୀବନ ହେଉଥିବା ବେଳେ, ସରକାରୀ ବ୍ୟବସ୍ଥା ଅନୁସାରେ ସ୍ଥାନୀୟ ସ୍ତରରେ ତଦନ୍ତ ଓ ପୋଷ୍ଟ ମର୍ଟମ ରିପୋର୍ଟ ଆଧାରରେ ମୃତକଙ୍କ ପରିବାରକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (SDRF)ରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି ।

ରିପୋର୍ଟ ଅନୁଯାୟୀ, ବିଗତ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ମୋଟ ୧୧୫୦ ଜଣ ସର୍ପାଘାତରେ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୧୦୨୨ ଜଣଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି । ସେହିପରି ୨୦୨୪-୨୫ ରେ ମୋଟ ୭୦୯ ଜଣ ସର୍ପାଘାତରେ ପ୍ରାଣ ହରାଇଥିବା ବେଳେ ୪୩୫ ଜଣଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି । ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନରେ ଉତ୍ତର ରଖିବାକୁ ଯାଇ ବିଧାନସଭାରେ କିଛି ଏପରି ଉତ୍ତର ରଖିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ।

କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସ୍ଵତନ୍ତ୍ର ରିଲିଫ କମିଶନର (SRC)ଙ୍କ ଦ୍ଵାରା ପ୍ରସ୍ତୁତ ଆନୁଆଲ ରିପୋର୍ଟ ଅନ ନାଚୁରାଲ କାଲାମିଟିଜ ୨୦୨୩-୨୪ ର ତଥ୍ୟ ସହିତ ମନ୍ତ୍ରୀଙ୍କ ଏହି ରିପୋର୍ଟ ଆଦୌ ତାଳମେଳ ଖାଉନାହିଁ । ଏସଆରସିଙ୍କ ୨୦୨୩-୨୪ ରିପୋର୍ଟର ପୃଷ୍ଠା ୩୭-୩୮ ରେ ରାଜ୍ୟରେ ସର୍ପାଘାତରେ ମୋଟ ୧୦୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ୭୩୦ ଜଣଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି । । ଉଭୟ ରିପୋର୍ଟକୁ ତୁଳନା କଲେ, ଏସଆରସିଙ୍କ ୨୦୨୩-୨୪ ରିପୋର୍ଟ ଅପେକ୍ଷା ମନ୍ତ୍ରୀଙ୍କ ବିଧାନସଭା ତଥ୍ୟରେ ୧୩୪ ଅଧିକ ମୃତ୍ୟୁ ଏବଂ ୨୯୪ ଅଧିକ ପୀଡିତଙ୍କ ପରିବାରବର୍ଗଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି । ଯାହା ବିଧାନସଭାରେ ଦିଆଯାଉଥିବା ତଥ୍ୟ ଠାରୁ ସମ୍ପୂର୍ଣ ଭିନ୍ନ।

ଯାହାକୁ ନେଇ ସ୍ନେକ ହେଲ୍ପ ଲାଇନର ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ରାଜସ୍ୱ ମନ୍ତ୍ରୀ ଏବଂ ଏସଆରସିଙ୍କ ୨୦୨୩-୨୪ ତଥ୍ୟରେ ତାଳମେଳ ନ ରହିବା ଏକ ସମ୍ଭାବ୍ୟ ଦୁର୍ନୀତି ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହାକୁ ନେଇ ଏବେ ଦୁର୍ନୀତିର ଗନ୍ଧ ବାରି ହୋଇଛି।

Leave A Reply

Your email address will not be published.