Latest Odisha News

BREAKING NEWS

ଆସନ୍ତାକାଲି ଧାମନଗର ରାୟ

ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ଧାମନଗର ଉପନିର୍ବାଚନର ଫଳାଫଳ ।  ୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ।  ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସଂସ୍କୃତି ଭବନରେ ଭୋଟ୍ ଗଣତି ହେବ । ପ୍ରଥମ ରାଉଣ୍ଡରେ ପୋଷ୍ଟାଲ ବାଲାଟ୍ ଗଣତି ହେବ । ସାଢେ ୮ଟାରୁ ଆରମ୍ଭ ହେବ ଇଭିଏମ୍ ରେ ପଡିଥିବା ଭୋଟ୍ ଗଣତି । ଇଭିଏମ୍ ଭୋଟ୍ ଗଣନାପାଇଁ ୧୪ଟି କାଉଣ୍ଟିଂ ଟେବୁଲ ପ୍ରସ୍ତୁତ ହୋଇଛି ଏବଂ ପୋଷ୍ଟାଲ ବାଲଟ୍ ଗଣନା ପାଇଁ ହୋଇଛି ଗୋଟିଏ ଟେବୁଲ । ୧୮ ରାଉଣ୍ଡରେ ହେବ ଭୋଟ୍ ଗଣତି । ୨୫୨ବୁଥ୍ ରୁ ଭିଭିପାଟ୍ କୁ ଗଣନା କେନ୍ଦ୍ରକୁ ନିଆଯିବ । ଯେକୌଣସି ୫ଟି ବୁଥ୍ ର ଭିଭିପାଟ୍ ଗୁଡିକୁ ଚୟନ କରାଯାଇ କ୍ରସ୍ ଭେରିଫିକେସନ୍ କରାଯିବ ବୋଲି ଲୋହାନୀ ସୂଚନା ଦେଇଛନ୍ତି ।

ପୂରା ଗଣତି ସମୟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିୟୋଜିତ ଜଣେ ପର୍ଯ୍ୟବେକ୍ଷକ ଉପସ୍ଥିତ ରହି ଅନୁଧ୍ୟାନ କରିବେ । ପ୍ରତି ଗଣତି ଟେବୁଲରେ ଜଣେ ସୁପରଭାଇଜର ଓ ଜଣେ ଲେଖାଏଁ ସହଯୋଗୀ ଉପସ୍ଥିତ ରହିବେ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟୋଜିତ ଜଣେ ମାଇକ୍ରୋ ଅବଜରଭର୍ ଗଣତି ତଥ୍ୟ ମୁଖ୍ୟ ଅବଜରଭରଙ୍କୁ ଦେବେ । ଗଣତି ସମୟରେ ପ୍ରାର୍ଥୀଙ୍କ ଏଜେଣ୍ଟ ମାନେ ହଲ୍ ମଧ୍ୟରେ ଉପସ୍ଥିତ ରହିବେ ।

ଗଣତି କେନ୍ଦ୍ରରେ ଜିଲ୍ଲା ପ୍ରଶାସନ ତରଫରୁ ସୁବନ୍ଦୋବସ୍ତ କରାଯାଇଛି । ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦ୍ର ଭିତରେ ଓ ବାହାରେ ଫୋର୍ସ ରହିବେ । ସିପିଏମ୍ଏଫ୍, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ତିନି ସୁରକ୍ଷା ବଳୟ ମଧ୍ୟରେ ରହିବେ । ଭୋଟ୍ ଗଣତିର ଫଳାଫଳ ନିର୍ବାଚନ ଆୟୋଗର ଓ୍ୱେବସାଇଟ୍ results.eci.gov.in. ରେ ପ୍ରକାଶ ପାଇବ ।

ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଫଳାଫଳ ସମ୍ପର୍କରେ ପ୍ରେସ ବିବୃତି ଦିଆଯିବା ନେଇ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.