ସ୍ବାଧୀନତା ଦିବସ ପାଳନ କରିଛି ବାଂଲାଦେଶ । ତେବେ ଦେଶରେ ଲାଗିରହିଥିବା ଅସ୍ଥିରତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟେପଟେ ସେନାକୁ ନେଇ ସସପେନ୍ସ ରହିଛି ତ ବିରୋଧୀ ବି ସକ୍ରିୟ ହୋଇଥିବା କୁହାଯାଉଛି । ଛାତ୍ର ନେତାଙ୍କ ମଧ୍ୟରେ ମତଭେଦ ରହିଥିବା ବେଳେ ଚୀନ୍ ଗସ୍ତରେ ଯାଇଛନ୍ତି ମହମ୍ମଦ ୟୁନୁସ । ଢାକାରେ ସାମରିକ ବିଦ୍ରୋହ ସହ ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ନେଇ ଆଶଙ୍କା କରାଯାଉଛି । ତେବେ ୟୁନୁସ ସରକାର ଏସବୁ ଆଶଙ୍କାକୁ ଗୁଜବ କହିଛନ୍ତି । ଜାଣିଶୁଣି ଦେଶରେ ଅସ୍ଥିରତା ସୃଷ୍ଟି କରିବା ସହ ଲୋକଙ୍କୁ ବିଭ୍ରାନ୍ତ କରିବା ମିଛ କୁହାଯାଉଥିବା ସେ ସ୍ବାଧୀନତା ଦିବସ ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ।
ଚୀନ୍ ଶରଣରେ ୟୁନୁସ !
ଚାରିଦିନିଆ ଚୀନ୍ ଗସ୍ତରେ ଯାଇଛନ୍ତି ମହମ୍ମଦ ୟୁନୁସ । ୨୮ତାରିଖରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିବେ ୟୁନୁସ । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ସୁଦୃଢ କରିବା ଦିଗରେ ପଦକ୍ଷେପ ନେବା ନେଇ ଆଲୋଚନା ହେବ । ତେବେ ପ୍ରଥମେ ୟୁନୁସ ବାଓ ଫୋରମ୍ ଫର ଏସିଆରେ ଯୋଗଦେବେ । ତାଙ୍କ ଗସ୍ତ ପୂର୍ବରୁ ଚୀନ୍ ଓ ବାଂଲାଦେଶ ପାରପମ୍ପରିକ ବନ୍ଧୁ ବୋଲି ଚୀନ୍ ପକ୍ଷରୁ କୁହାଯାଇଛି । ତେବେ ବାଂଲାଦେଶରେ ଅସ୍ଥିରତା ଲାଗି ରହିଥିବା ବେଳେ ଚୀନ୍ ଗସ୍ତ ଦ୍ବାରା ୟୁନୁସ ଓ ତାଙ୍କ ଅନ୍ତରୀଣ ସରକାରକୁ ମୋହର ବାଜିବା ନେଇ ସେ ଆଶା କରିଥିବା କୁହାଯାଉଛି । ଶେଖ ହସିନା ହଟିବା ପରଠୁ ଭାରତ ସହ ବାଂଲାଦେଶର ସଂପର୍କ ପୂର୍ବଭଳି ରହିନାହିଁ । ତେଣୁ ୟୁନୁସଙ୍କ ଚୀନ୍ ଗସ୍ତ ଉପରେ ନଜର ରଖିଛି ଭାରତ ।
ବାଂଲାଦେଶ ସେନାକୁ ନେଇ ସସପେନ୍ସ
ବାଂଲାଦେଶରେ ଯେକୌଣସି ମୁହୁର୍ତ୍ତରେ ସାମରିକ ବିଦ୍ରୋହ ହେବା ନେଇ ଆଶଙ୍କା କରାଯାଉଛି । ଦେଶରେ ଅସ୍ଥିରତା ଲାଗି ରହିଥିବା ବେଳେ ସେନା ଆଲର୍ଟ ମୋଡରେ ରହିଛି । ରାଜନୈତିର ଅସ୍ଥିରତା ମଧ୍ୟରେ ଜରୁରୀ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ଦେଶର ସ୍ଥିତି ନେଇ ସେନା ଆଲୋଚନା କରିଛି । ଶେଖ୍ ହାସିନା ହଟିବା ପରଠୁ ମୋର୍ଚ୍ଚା ସମ୍ଭାଳିଛି ସେନା । ତେଣୁ ଦେଶରେ ଯଥାଶୀଘ୍ର ନିର୍ବାଚନ କରାଇବା ଉପରେ ସେନା ଜୋର ଦେଉଛି । କାରଣ ଗତ ୭,୮ମାସ ମଧ୍ୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯାହା ଦେଶର ସ୍ବାଧୀନତା ଓ ସାର୍ବଭୌମତ୍ବ ପ୍ରତି ବିପଦ ଭାବେ ଉଭା ହୋଇଛି ।
ବାଂଲାଦେଶରେ କ୍ଷମତା ପରିବର୍ତ୍ତନ !
ବାଂଲାଦେଶରେ ପୁଣି ହେବ କି କ୍ଷମତା ପରିବର୍ତ୍ତନ? ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାରଙ୍କୁ ହଟାଇ ସେନା ନିଜ ହାତକୁ କ୍ଷମତା ନେଇପାରେ ବୋଲି ଚର୍ଚ୍ଚା ହେଉଛି । ଗତ କିଛି ଦିନ ମଧ୍ୟରେ ଢାକାରେ ଅଧିକ ସେନା ମୁତୟନ ଏହି ଚର୍ଚ୍ଚାକୁ ବଢାଇଛି । ବାଂଲାଦେଶରେ ଅସ୍ଥିରତାର ସୁଯୋଗ ନେଇ ଆତଙ୍କବାଦୀ ହିଂସାକାଣ୍ଡ ଘଟାଇ ପାରନ୍ତି ବୋଲି ସତର୍କ କରାଇଥିଲା ସେନା । ୟୁନୁସ ସରକାର ଦାୟିତ୍ବ ନେବା ପରଠୁ ଦେଶରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଓ ମୌଳବାଦୀ ସକ୍ରିୟ ରହିଛନ୍ତି । ଦେଶରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରାନଗଲେ ଆଗକୁ ସ୍ଥିତି ଅଣାୟତ ହୋଇପାରେ ବୋଲି ସେନା ମୁଖ୍ୟ ଓ୍ବାକର ଉଜ୍ ଜମାନ କହିଛନ୍ତି ।
ଗତବର୍ଷ ଅଗଷ୍ଟରେ ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ଶେଖ ହସିନା ସରକାର ହଟିଥିଲେ । ଏହାପରେ ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ଦାୟିତ୍ବ ଦିଆଯାଇଥିଲା । ଆଶା କରାଯାଉଥିଲା, କିଛି ମାସ ମଧ୍ୟରେ ଦେଶରେ ନିର୍ବାଚନ ହେବ । ହେଲେ ୮ମାସ ବିତିଥିଲେ ମଧ୍ୟ ନିର୍ବାଚନ ହୋଇନି । ଏହାକୁ ନେଇ ୟୁନୁସ ସରକାର ବିରୋଧରେ ଅସନ୍ତୋଷ ତେଜିବାରେ ଲାଗିଛି । ସେପଟେ ଶେଖ୍ ହସିନାଙ୍କ ଦଳକୁ ପରିବର୍ତ୍ତିତ ରୂପରେ ପୁଣି ରାଜନୀତିକୁ ଫେରାଇବାକୁ ସେନା ଚାହୁଁଥିବା ଛାତ୍ର ନେତା ଅଭିଯୋଗ କରିଛନ୍ତି । ଏହାକୁ ନେଇ ମଧ୍ୟ ଅଶାନ୍ତି ଲାଗିରହିଛି । ଅସ୍ଥିରତା ମଧ୍ୟରେ ଦେଶରେ ସାମରିକ ବିଦ୍ରୋହ ଆଶଙ୍କା କରାଯାଉଥିବା ବେଳେ ଚୀନ୍ ଗସ୍ତ କରିଛନ୍ତି ୟୁନୁସ ।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ
Comments are closed.