Latest Odisha News

୬ ବର୍ଷରେ ୮୪ ଦେଶ ବୁଲିଲେଣି ଦମ୍ପତ୍ତି, ଖର୍ଚ୍ଚ ଦେବାକୁ ପଡ଼େ କେବଳ ବିମାନ ଭଡ଼ା

ଯଦି କେହି ଆପଣଙ୍କୁ କୁହନ୍ତି ଏକ ଦମ୍ପତ୍ତି ମାତ୍ର ୬ ବର୍ଷ ମଧ୍ୟରେ ୮୪ ଟି ଦେଶ ଭ୍ରମଣ କରିଛନ୍ତି, ତେବେ ଆପଣଙ୍କର ସିଧା ଉତ୍ତର ହେବ ଯେ, ସେ ଜଣେ ଧନୀ ଦମ୍ପତ୍ତି ନିଶ୍ଚୟ ହୋଇଥିବେ । ଯଦି କୁହାଯାଏ ସେମାନେ ନିହାତି ମଧ୍ୟବିତ୍ ପରିବାରର ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ଏହା କିନ୍ତୁ ସମ୍ଭବ ହୋଇଛି ଲଣ୍ଡନର ଦମ୍ପତ୍ତି ଲିଜି ସିଆର୍ ଓ ତାଙ୍କ ସ୍ୱାମୀ ଆଲୁନ୍ ୱେଷ୍ଟୋଲଙ୍କ କ୍ଷେତ୍ରରେ । ପୁରା ଘଟଣାଟି କ’ଣ ଜାଣନ୍ତୁ ।

ଲଣ୍ଡନ ଦମ୍ପତ୍ତି ଲିଜି ସିଆର୍ ଓ ଆଲୁନ୍ ୱେଷ୍ଟୋଲ । ଉଭୟଙ୍କ ସଉକ ବିଦେଶ ବୁଲିବା । କିନ୍ତୁ ମଧ୍ୟବିତ ପରିବାରର ହୋଇଥିବାରୁ ନିଜର ଆଗ୍ରହକୁ ସେମାନଙ୍କୁ ମାରିବାକୁ ପଡ଼ୁଥିଲା । ତେବେ ଉଭୟ ଥରେ ଚିନ୍ତା କଲେ ବିଦେଶ ଭ୍ରମଣରେ ଯିବେ କିନ୍ତୁ ହାତରୁ କମ୍ ଅର୍ଥ ଖର୍ଚ୍ଚରୁ । ଆଉ ସେମାନଙ୍କ ଯୋଜନା ସଫଳ ହେଲା । ଯେଉଁକାରଣରୁ ସେମାନେ ୬ ବର୍ଷ ଭିତରେ ୮୪ଟି ଦେଶ ଭ୍ରମଣ କରିଛନ୍ତି । ୮୪ଟି ଦେଶ ବୁଲିଛନ୍ତି ସିନା କିନ୍ତୁ ଏ ବାବଦରେ ଖର୍ଚ୍ଚ କହିଲେ ବିମାନ ଭଡାକୁ ଛାଡ଼ି ସେମାନେ ଅନ୍ୟ କିଛି ଖର୍ଚ୍ଚ କରିନାହାନ୍ତି ।

ଏବେ ଆପଣ କହିପାରନ୍ତି ଏହା କେମିତି ସମ୍ଭବ ? ବାସ୍ତବରେ, ପତ୍ନୀ ଲିଜି ସିଆର୍ କ୍ୟୁ ହୋମ୍ ଏକ୍ସଚେଞ୍ଜର ସଦସ୍ୟ । ଏହି କମ୍ପାନୀ ସମଗ୍ର ବିଶ୍ୱରେ ପର୍ଯ୍ୟଟକଙ୍କ ପାଇଁ ଏକ ନୂତନ ବିକଳ୍ପ ପ୍ରଦାନ କରିଥାଏ । ଉଦାହରଣ ସ୍ୱରୂପ, ଯଦି ଆପଣ ଦିଲ୍ଲୀରେ ଅଛନ୍ତି ଏବଂ ଗୋଆ ଯିବାକୁ ଚାହୁଁଛନ୍ତି, ତେବେ ଗୋଆରୁ ଆସୁଥିବା ବ୍ୟକ୍ତି ଆପଣଙ୍କ ଘରେ ରହିବେ ଏବଂ ପ୍ରତିବଦଳରେ ଆପଣ ଗୋଆରେ ତାଙ୍କ ଘରେ ରହିବାର ସୁଯୋଗ ପାଇବେ । ଏହିପରି, ଭଡା ମୂଲ୍ୟ ସଞ୍ଚୟ ହେବ । ବଡ଼ କଥା ହେଉଛି ଆପଣ ଦେୟ ତ ଦେବେନାହିଁ, ବରଂ ଅନେକ ଘରେ ଭଲ ଖାଦ୍ୟ ଏବଂ ଜଳଖିଆ ମଧ୍ୟ ମାଗଣାରେ ମିଳିଯିବ ।

ଲିଜି ସିଆର କୁହନ୍ତି, ହୋମ ଏକ୍ସଚେଞ୍ଜର ବାର୍ଷିକ ଶୁଳ୍କ ୧୭୫ ଡ଼ଲାର ହୋଇଥାଏ । ଯେ କେହି ଚାହିଁଲେ ଏହାର ସଦସ୍ୟ ହୋଇପାରିବେ । ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଏହାର ସଦସ୍ୟତା ଗ୍ରହଣ କରିଛନ୍ତି । କିଛି ଦିନ ପୂର୍ବରୁ ସେ ବାଲିକୁ ଦୁଇ ସପ୍ତାହ ଯାତ୍ରା କରିଥିଲେ । ସେଠାରେ ଦୁଇଟି ବେଡ୍ ସହିତ ଏକ ଘରୋଇ ଭିଲ୍ଲାରେ ରହିବାର ସୁଯୋଗ ପାଇଥିଲେ । ସେଠାରେ ଏକ ଘରୋଇ ସୁଇମିଂ ପୁଲ୍ ମଧ୍ୟ ଥିଲା । ସେଠାରେ ଜଣେ ଚାକରର ସୁବିଧା ମଧ୍ୟ ଥିଲା, ଯିଏ ଖାଇବା ପିଇବା ମାଗଣା ଯୋଗାଉଥିଲେ । ଏତେ ସୁବିଧା ପାଇକି ଆମକୁ ମାତ୍ର ୪୦୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ିଥିଲା । ସେମାନେ ଏପର୍ଯ୍ୟନ୍ତ ଇଟାଲୀ, ସ୍ପେନ୍‌, ଫିନଲ୍ୟାଣ୍ଡ, ହଙ୍ଗେରୀ ଏବଂ ଜର୍ମାନୀ ଭଳି ଦେଶ ଭ୍ରମଣ କରି ସାରିଛନ୍ତି । ଏହାର ପ୍ରତିବଦଳରେ, ଗତ ଛଅ ବର୍ଷ ମଧ୍ୟରେ ୪୮ ପରିବାର ସେମାନଙ୍କ ଲଣ୍ଡନ ଘରେ ରହିବାକୁ ଆସିଛନ୍ତି ।

Comments are closed.