Latest Odisha News

ପତଞ୍ଜଳି ବିରୋଧରେ ୫୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ପତଞ୍ଜଳିର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବମ୍ବେ ହାଇକୋର୍ଟ କର୍ପୁର ଉତ୍ପାଦ ବିକ୍ରୟ ପାଇଁ ପତଞ୍ଜଳି ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଗତ ବର୍ଷ ଅଗଷ୍ଟରେ ହାଇକୋର୍ଟ ପତଞ୍ଜଳିଙ୍କୁ ଏହାର କର୍ପୁର ଉତ୍ପାଦ ବିକ୍ରୟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଟ୍ରେଡ୍ ମାର୍କ ଉଲ୍ଲଂଘନ କରାଯାଇଥିବାରୁ ଏହି ଜରିମାନା ଲଗାଇଛନ୍ତି ହାଇକୋର୍ଟ। ଜଷ୍ଟିସ୍ ଆରଆଇ ଚାଗଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଏଥିସହିତ ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୯କୁ ଧାର୍ଯ୍ୟ କରିଛନ୍ତି। ମଙ୍ଗଲମ୍ ଅର୍ଗାନିକ୍ସ ପତଞ୍ଜଳି ଆୟୁର୍ବେଦ ବିରୋଧରେ ମକଦ୍ଦମା ଦାୟର କରିଥିଲା। ଯେଉଁଥିରେ ଟ୍ରେଡ୍ ମାର୍କର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଦିବ୍ୟ ଫାର୍ମାସି ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ଅଧିନରେ ଥିବା ୧୪ଟି ପ୍ରଡକ୍ଟ ଲାଇସେନ୍ସ ରଦ୍ଦ କରିଥିଲେ ସରକାର। ଲାଇସେନ୍ସ ସସପେଣ୍ତ ହେବା ପରେ ପତଞ୍ଜଳି ନିଜର ୧୪ଟି ସାମଗ୍ରୀକୁ ବନ୍ଦ କରାଇଛି।

ସାରା ଦେଶରେ ଥିବା ୫,୬୦୬ ପତଞ୍ଜଳି ଷ୍ଟୋର ଗୁଡିକରୁ ଏହି ସବୁ ସାମଗ୍ରୀକୁ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲା ପତଞ୍ଜଳି।

Comments are closed.