ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଛୋଟ ପିଲାଙ୍କ ଟିକାକରଣକୁ ନେଇ ଏକ ଭଲ ଖବର ଆସିଛି । ଏବେ ୬ ରୁ ୧୨ ବର୍ଷର ପିଲାମାନେ କରୋନା ଟିକା ନେବେ। ଏହି ଟିକାକରଣ ପାଇଁ ଭାରତ ବାୟୋଟେକର କୋଭାକ୍ସିନ ଏବଂ ବାୟୋଲୋଜିକାଲ ଇ କମ୍ପାନୀର କରବେଭାକ୍ସକୁ ଅନୁମୋଦନ ମିଳିଛି । ମାର୍ଚ୍ଚରେ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ଟିକା ଦିଆଯାଇଥିଲା। ଏବେ ଡିସିଜିଆଇ ୬ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭାକ୍ସିନ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ବା ଡିସିଜିଆଇ ୫ ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ କରବେଭାକ୍ସ ଏବଂ କୋଭାକ୍ସିନ ଟିକା ଦେବାକୁ ଅନୁମତି ଦେଇଛି।
କରୋନାର ଦ୍ୱିତୀୟ ଏବଂ ତୃତୀୟ ଲହରରେ ଛୋଟ ପିଲାମାନେ ସେତେଟା ପ୍ରଭାବିତ ହୋଇନଥିଲେ । କିନ୍ତୁ ପିଲାମାନେ କରୋନାର ନୂଆ ଭାରିଆଣ୍ଟ ଦ୍ୱାରା ଏବେ ଅଧିକ ପ୍ରଭାବିତ ହେଉଛନ୍ତି । ସ୍କୁଲ ଖୋଲିସାରିଛି ତେଣୁ ପିଲାମାନେ ଅଧିକ ସଂକ୍ରମଣ ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଗତ ତିନି ସପ୍ତାହ ମଧ୍ୟରେ ପିଲାମାନଙ୍କଠାରେ ଲକ୍ଷଣ ବୃଦ୍ଧି ପାଇଛି।
ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ ଏକ୍ସଇକୁ ଏଡାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ସରକାର କହିଛନ୍ତି। ତେଣୁ ସମସ୍ତେ ସୁନିଶ୍ଚିତ ଭାବରେ ଟିକା ନେବା ଦରକାର ଏବଂ ଯେଉଁମାନେ ଡବଲ ଡୋଜ ନେଇସାରିଛନ୍ତି ସେମାନେ ବୁଷ୍ଟର ଡୋଜ ନେବା ଜରୁରୀ । ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବା ବେଳେ ମାସ୍କ ପିନ୍ଧିବା ଦରକାର ।
ସର୍ବସାଧାରଣ ସ୍ଥାନରେ କପଡା ମାସ୍କ ବଦଳରେ ସର୍ଜିକାଲ୍ ମାସ୍କ କିମ୍ବା ଏନ-୯୫ ମାସ୍କ ବ୍ୟବହାର କରିବାକୁ ସରକାର କହିଛନ୍ତି। ସେହିପରି ଅନ୍ୟାନ୍ୟ କରୋନା ନିୟମ ମାନିବାକୁ ସରକାର କହିଛନ୍ତି।
ଏବେ କେନ୍ଦ୍ର ସରକାର ଛୋଟ ପିଲାଙ୍କ ଟିକାକୁ ଅନୁମୋଦନ ଦେବା ପରେ ଖୁବ୍ ଶୀଘ୍ର ଏକ ଗାଇଡଲାଇନ ଜାରି କରିବେ ଯେଉଁଥିରେ କୁହାଯିବ ଯେ ଦେଶରେ ଏହି ଟିକାକରଣ କେବେ ଏବଂ କିପରି ଆରମ୍ଭ ହେବ।
Comments are closed.