Latest Odisha News

BREAKING NEWS

ବଢ଼ୁଛି ସଂକ୍ରମଣ, ରାଜ୍ୟରେ ପୁଣି ଲାଗୁ ହୋଇପାରେ ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ୱର: ୬ ସପ୍ତାହ ପରେ ରାଜ୍ୟରେ ଶୁକ୍ରବାର କରୋନା ସଂକ୍ରମଣ ଶହେ ଟପିଛି । ବଢ଼ୁଥିବା ସଂକ୍ରମଣକ ଦେଖି ରାଜ୍ୟ ସରକାର ପୁଣି କରୋନା କଟକଣାକୁ କଡ଼ାକଡ଼ି କରୁଛନ୍ତି । ସରକାରୀ ଅଫିସରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚିଠି ଲେଖିଥିଲା । ଏଥିସହ ସାର୍ବଜନୀନ ଭାବେ ହୋଲି ଓ ଦୋଳ ଉତ୍ସବ ପାଳନ ପାଇଁ ଏସଆରସି ରୋକ୍ ଲଗାଇଛନ୍ତି ।

ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟ ସରକାର ପୁଣି ରାତ୍ରୀକାଳୀନ କର୍ଫ୍ୟୁ ଲଗାଇବାକୁ ବିଚାର କରୁଛନ୍ତି । ରାତ୍ରୀକାଳୀନ କର୍ଫ୍ୟୁ ସହ ବିଭିନ୍ନ ସଭା ସମିତି ଓ କାର୍ଯ୍ୟକ୍ରମ ପାଇଁ ୫୦୦ ଲୋକ ସାମିଲ୍ ଅନୁମତିକୁ କମାଇ ୨୦୦ କରିବାକୁ ସରକାର ବିଚାର କରୁଥିବା ସୂଚନା ମିଳିଛି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସରକାର କଟକଣା କୋହଳ କରିଥିଲେ ।

ଶୁକ୍ରବାର ୬ ସପ୍ତାହ ପରେ ୧୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ଛଡ଼ା କଟକର ୨ଟି ଶିକ୍ଷାନୁଷ୍ଠାନରେ ଗତ ୩ ଦିନ ମଧ୍ୟରେ ୪୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ସରକାର ଓ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଏସବୁକୁ ଦୃଷ୍ଟିରେ ରଖି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ସହ ପୂର୍ବରୁ ଲାଗୁ ହୋଇଥିବା କେତେକ କଟକଣାକୁ ପୁଣି ଲାଗୁ ପାଇଁ ବିଚାର କରୁଛନ୍ତି ସରକାର ।

ଶୁକ୍ରବାର ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଦୈନିକ ୧୦ ହଜାରରୁ ଅଧିକ ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ୧୬ ହଜାରରୁ ଅଧିକ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱରରେ ୬ ଶହ ଆରଟି-ପିସିଆର୍ ଟେଷ୍ଟକୁ ମିଶାଇ ଖୋର୍ଦ୍ଧାରେ ସର୍ବାଧିକ ୯୦୦, ଗଞ୍ଜାମ ଓ କଟକରେ ୭୦୦ ଆରଟି-ପିସିଆର୍ ଟେଷ୍ଟ ପାଇଁ ନିର୍ଦ୍ଦେଶ ରହିଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛି ।

Leave A Reply

Your email address will not be published.