Latest Odisha News

BREAKING NEWS

କୋଭିଡ-୧୯ ମୁକାବିଲା: ଉପଲବ୍ଧ ଅଛି ପିପିଇ କିଟ୍ସ, ଏନ୯୫ ମାସ୍କ ଓ ଭେଂଟିଲେଟର !

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟଗୁଡିକ ସହିତ ଉଚ୍ଚସ୍ତରୀୟ ଆଲୋଚନା କରାଯାଇ କେତେକ ପଦକ୍ଷେପମାନ ନିଆଯାଇଛି । ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ ବା ପିପିଇ, ମାସ୍କ ଏବଂ ଭେଂଟିଲେଟର ଯୋଗାଣକୁ ପର୍ଯ୍ୟାପ୍ତ କରିବା ପାଇଁ ଏଗୁଡିକ ପ୍ରସ୍ତୁତ କରୁଥିବା କାରଖାନାଗୁଡିକ ଅହୋରାତ୍ର କାର୍ଯ୍ୟ କରୁଛନ୍ତି ।

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଭେଂଟିଲେଟର ନିର୍ମାଣ କରୁଥିବା ବେଳେ ଅନ୍ୟାନ୍ୟ ଔଷଧ କମ୍ପାନୀଗୁଡିକ ଏଭଳି ଜଟିଳ ପରିସ୍ଥିତିରେ ଔଷଧର ଅଭାବ ରହିବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି । ଏପରିକି ଅଟୋ ନିର୍ମାଣକାରୀ କମ୍ପାନୀଗୁଡିକ ମଧ୍ୟ ଭେଂଟିଲେଟର ନିର୍ମାଣରେ ଲାଗି ପଡିଛନ୍ତି । ଯେକୌଣସି ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦିଆଯାଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯାଉଛି ।

ବ୍ୟକ୍ତିକୁ ସୁରକ୍ଷା ଯୋଗାଉଥିବା ଉପକରଣ ବା ପିପିଇ କିଟ୍ସ, ଆଇସିୟୁ ବା ଆଇସୋଲେସନ ୱାର୍ଡରେ କର୍ତବ୍ୟରତ କର୍ମଚାରୀଙ୍କ ପାଇଁ ରୋଗ ଜୀବାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏଗୁଡିକ ବ୍ୟବହୃତ ହୋଇଥାଏ । ସାଧାରଣତଃ ଏହି ସାମଗ୍ରୀଗୁଡିକ ଆମ ଦେଶରେ ତିଆରି ହୋଇ ନଥାଏ । ତେବେ ଭବିଷ୍ୟତରେ ଏହାର ଆବଶ୍ୟକତାକୁ ଆଖି ଆଗରେ ରଖି ଭାରତ ସରକାର ଦେଶରେ ତାହାର ପ୍ରସ୍ତୁତି ପାଇଁ ଆଗୁଆ ପଦକ୍ଷେପମାନ ନେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବୟନ ମନ୍ତ୍ରଣାଳୟ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି । କେତେକ ଘରୋଇ ନିର୍ମାଣକାରୀ କମ୍ପାନୀ ମଧ୍ୟ ଏ ଦିଗରେ ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଗୁଣାତ୍ମକ ପିପିଇ କିଟ ତିଆରି କରିବା ପାଇଁ ୧୧ ଟି ସଂସ୍ଥାକୁ ବଛାଯାଇଛି । ସେମାନଙ୍କୁ ୨୧ ଲକ୍ଷ ପିପିଇ ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇଛି । ବର୍ତମାନ ସେମାନେ ଦିନକୁ ୬ ରୁ ୭ ହଜାର ପର୍ଯ୍ୟନ୍ତ ପିପିଇ କିଟ ଯୋଗାଉଥିବା ବେଳେ ଆଉ ସପ୍ତାହକ ମଧ୍ୟରେ ଏହା ୧୫ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆଉ ଜଣେ ପ୍ରସ୍ତୁତକାରୀ ମଧ୍ୟ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ତାଙ୍କୁ ୫ ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବା ଲାଗି ଅର୍ଡର ଦିଆଯାଇଛି ।

ଦେଶରେ ବିଭିନ୍ନ ହସ୍ପିଟାଲରେ ବର୍ତମାନ ୩ ଲକ୍ଷ ୩୪ ହଜାର ପିପିଇ କିଟ ଉପଲବ୍ଧ ଅଛି । ପ୍ରାୟ ୬୦ ହଜାର ପିପିଇ କିଟ ସରକାରଙ୍କ ହାତକୁ ଆସିଯାଇଛି । ଭାରତୀୟ ରେଡକ୍ରସ ସଂସ୍ଥା ଚୀନରୁ ୧୦ ହଜାର ପିପିଇ କିଟ ଆଣିବା ପରେ ସେଗୁଡିକୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି । ଆଉ ୩ ଲକ୍ଷ ପିପିଇ କିଟ ଆସନ୍ତା ମାସ ୪ ତାରିଖ ସୁଦ୍ଧା ଦେଶରେ ଆସି ପହଂଚିବ ।

ଭାରତୀୟ ଆୟୁଧ କାରଖାନାକୁ ଇତି ମଧ୍ୟରେ ୩ ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବିଦେଶରେ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ବୃଦ୍ଧି ପାଇଥିବାରୁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ବାହାରୁ ପିପିଇ କିଟ ଆଣିବା ଲାଗି ଉଦ୍ୟକ କରାଯାଉଛି ।

ସିଙ୍ଗାପୁରସ୍ଥିତ ଏକ କମ୍ପାନୀକୁ ଅନଲଇନ ଜରିଆରେ ୧୦ ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ଅର୍ଡର ଦିଆଯାଇଛି । କୋରିଆର ଅନ୍ୟ ଏକ ଯୋଗାଣକାରୀ ସଂସ୍ଥା ଯାହାରକି ଭିଏତନାମ ଓ ତୁର୍କୀର ପ୍ରସ୍ତୁତକାରୀ ସଂସ୍ଥା ସହ ସମ୍ପର୍କ ରହିଛି, ତାକୁ ମଧ୍ୟ ଚିହ୍ନଟ କରାଯାଇ ୨୦ ଲକ୍ଷ ପିପିଇ କିଟ ଯୋଗାଇବା ପାଇଁ କୁହାଯାଇଛି ।

ଦେଶର ଦୁଇଟି ପ୍ରସ୍ତୁତକାରୀ ସଂସ୍ଥା ସାଧାରଣତଃ ଏନ୯୫ ମାସ୍କ ପ୍ରସ୍ତୁତ କରିଥାନ୍ତି । ବର୍ତମାନ ସମୟରେ ଦିନକୁ ୫୦ ହଜାର ମାସ୍କ ଯୋଗାଉଥିବା ବେଳେ ଆଗାମୀ ସପ୍ତାହକ ମଧ୍ୟରେ ସେମାନେ ତାଙ୍କ ଉତ୍ପାଦନ ୧ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି । ପ୍ରତିରକ୍ଷା ବିକାଶ ଗବେଷଣା ସଂଗଠନ (ଡିଆରଡିଓ) ସ୍ଥାନୀୟ ପ୍ରସ୍ତୁତକାରୀ ସଂସ୍ଥା ସହ ଯୋଗସୂତ୍ର ସ୍ଥାପନ କରି ଦିନକୁ ୨୦ ହଜାର ଏନ୯୯ ମାସ୍କ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛି ।

ଏଗୁଡିକ ସପ୍ତାହକ ମଧ୍ୟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ବର୍ତମାନ ସୁଦ୍ଧା ଦେଶର ବିଭିନ୍ନ ହସ୍ପିଟାଲରେ ପ୍ରାୟ ୧୨ ଲକ୍ଷ ଏନ୯୫ ମାସ୍କ ମହଜୁଦ ରହିଛି । ୫ ଲକ୍ଷ ଅତିରିକ୍ତ ମାସ୍କ ଗତ ଦୁଇ ଦିନ ମଧ୍ୟରେ ବଂଟା ଯାଇଥିବା ବେଳେ, ୧ ଲକ୍ଷ ୪୦ ହଜାର ମାସ୍କ ଏବେ ବଂଟା ଯାଉଛି । ସିଙ୍ଗାପୁରରୁ ଆସୁଥିବା ପିପିଇ କିଟ ସହିତ ୧୦ ଲକ୍ଷ ମାସ୍କ ମଧ୍ୟ ଆସିବ ।

ଶ୍ୱାସକ୍ରିୟା କଷ୍ଟ ଲକ୍ଷଣ ଯୋଗୁଁ କୋଭିଡ-୧୯ ଚିକିତ୍ସା ପାଇଁ ଭେଂଟିଲେଟର ଆବଶ୍ୟକତା ରହିଛି । ଦେଶରେ ଏବେ ୨୦ଜଣ କରୋନା ଆକ୍ରାନ୍ତ ରୋଗୀ ଭେଂଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି । ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଅଦ୍ୟାବଧି ୧୪ ହଜାର ଭେଂଟିଲେଟର ମହଜୁଦ ଥିବା ଜଣାଯାଇଛି ।

ନଇଡାର ଆଗଭା ନାମକ ଏକ ସ୍ୱାସ୍ଥ୍ୟ ରକ୍ଷା ସଂସ୍ଥା ଭଲ ଭେଂଟିଲେଟର ପ୍ରସ୍ତୁତ କରୁଥିବା ଜଣାପଡିବା ପରେ ତାକୁ ୧୦ ହଜାର ଭେଂଟିଲେଟର ପ୍ରସ୍ତୁତ କରିବା ପାଇଁ ଅର୍ଡର ଦିଆଯାଇଛି । ଏପ୍ରିଲ ମାସ ୨ୟ ସପ୍ତାହ ସୁଦ୍ଧା ଏହାର ଯୋଗାଣ ହେବ । ଏହା ବ୍ୟତୀତ ଘରୋଇ ପ୍ରସ୍ତୁତକାରୀଙ୍କ ସହ ଯୋଗସୂତ୍ର ରକ୍ଷା କରି ୩୦ ହଜାର ଭେଂଟିଲେଟର ନିର୍ମାଣ କରିବାକୁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡକୁ ଅର୍ଡର ଦିଆଯାଇଛି ।

ଅଟୋ ଉତ୍ପାଦନକାରୀ ସଂସ୍ଥାଗୁଡିକ ମଧ୍ୟ ଭେଂଟିଲେଟର ନିର୍ମାଣ କରୁଛନ୍ତି । ଏହାଛଡା ଭେଂଟିଲେଟର ସପ୍ଲାଇ ପାଇଁ ବିଦେଶରେ ଥିବା ହାମିଲଟନ, ମିର୍ଣ୍ଡେ ଓ ଡ୍ରାଗିୟର କମ୍ପାନୀଗୁଡିକୁ ମଧ୍ୟ ଅର୍ଡର ଦିଆଯାଇଛି । ଏହାଛଡା ଚୀନରୁ ପ୍ରାୟ ୧୦ ହଜାର ଭେଂଟିଲେଟର ଆଣିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚୀନରେ ଥିବା ଯୋଗାଣକାରୀଙ୍କ ସହ କଥାବାର୍ତା ଚଳାଇଛି ।

Leave A Reply

Your email address will not be published.