Latest Odisha News

BREAKING NEWS

ମହାମାରୀ କରୋନା ପାଇଁ ଅକ୍ଟୋବର ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ବର : ଆସିଲା ଅକ୍ଟୋବର ମାସର କୋଭିଡ ଗାଇଡଲାଇନ୍ । ପାର୍ବଣ୍ୟକୁ ନଜରରେ ରଖି ରାଜ୍ୟ ସରକାର ଆଣିଛନ୍ତି ନୂଆ ଗାଇଡଲାଇନ୍ । ଏହି ନିର୍ଦ୍ଦେଶାବଳୀ ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ଯାଏ ବଳବତ୍ତର ରହିବ । ଏ ନେଇ ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି । ପୂଜା ପାର୍ବଣରେ ସାମାଜିକ ଦୂରତା ରଖିବାକୁ ସରକାର ନିବେଦନ କରିବା ସହିତ ବାହାରେ ଅଯଥା ଗହଳି ନକରିବାକୁ ସତର୍କ କରାଇଛନ୍ତି । ସଂକ୍ରମଣ ବଢ଼ିଲେ ଏହା ରାଜ୍ୟବାସୀଙ୍କ ପାଇଁ ଚିନ୍ତା ବଢ଼ିବ ବୋଲି କହିଛନ୍ତି ଏସଆରସି ।

ସେପ୍ଟେମ୍ବର ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ଗାଇଡଲାଇନରେ ବିଶେଷ ପରିବର୍ତ୍ତନ ହୋଇନାହିଁ । ସହରାଞ୍ଚଳ ଗୁଡ଼ିକରେ ରାତ୍ରୀକାଳିନୀ କର୍ଫ୍ୟୁ ବଳବତ୍ତର ରହିବ । ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ କଡ଼ାକଡ଼ି ହୋଇଛି ରାତ୍ରୀକାଳୀନ କର୍ଫ୍ୟୁ । ବିଶେଷ ଭାବେ ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଭୁବନେଶ୍ବର ଓ କଟକରେ ରାତ୍ରି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । କଟକ ଓ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ଦୋକାନ-ବଜାର ପୂର୍ବ ଭଳି ଖୋଲିବ ।

ସେହିପରି ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣାକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର । ବିବାହ, ବ୍ରତ ଓ ଅନ୍ତେଷ୍ଟି, ଶୁଦ୍ଧି କ୍ରିୟାରେ ମୋଟ ୨୫୦ଜଣ ସାମିଲ ହୋଇପାରିବେ । ସେହିଭଳି ବିବାହ ଉତ୍ସବରେ ବର ଶୋଭାଯାତ୍ରାରେ ଯାଇପାରିବ । ବର ସହ ସର୍ବାଧିକ ୫୦ ଜଣ ଲୋକ ରୋଷଣୀ କରି ଯାଇପାରିବେ । ଏହାସହ ପୂର୍ଣ୍ଣ କ୍ଷମତାରେ ସିନେମା ହଲ୍ ଚାଲିପାରିବ ବୋଲି ଘୋଷଣା କରିଛନ୍ତି ଏସଆରସି । ସମସ୍ତ ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ବଳବତ୍ତର ରହିବ । ଏହାସହ ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍‌ଲାଇନ୍ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି ଏସଆରସି ପ୍ରଦୀପ ଜେନା ।

Leave A Reply

Your email address will not be published.