ଗଞ୍ଜାମ: ବାପା କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ୍ କେୟାର ସେଣ୍ଟର୍ ଯିବାର ୧୨ ଘଣ୍ଟା ଭିତରେ ଝିଅର ମୃତ୍ୟୁ। ସଂକ୍ରମଣ ଭୟରେ ପାଖକୁ ଗଲେନି ସାହିପଡିଶା ।ପ୍ରାୟ ୧୪ ଘଣ୍ଟା କାଳ ପଡି ରହିଲା ଝିଅର ମୃତ ଦେହ କାନ୍ଧ ଦେବାକୁ କେହି ଆସିଲେନି ବନ୍ଧୁ ବାନ୍ଧବ।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗୋଲାପଡ଼ା ଗ୍ରାମରେ।
କିଛି ଦିନ ତଳେ ଗୋଲାପଡ଼ା ଗ୍ରାମର ଜଣେ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ସ୍ୱାମୀ ଓ ଝିଅଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିଲା । ଏଥିରେ ତାଙ୍କ ସ୍ୱାମୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଝିଅର ରିପୋର୍ଟ ନେଗେଟିଭ୍ ଆସିଥିଲା ।
ରିପୋର୍ଟ ପଜିଟିଭ ଆସିବା ପରେ ବାପାଙ୍କୁ ଭଞ୍ଜନଗର କୋଭିଡ୍ କେୟାର୍ ସେଣ୍ଟର୍କୁ ସ୍ଥାନାନ୍ତର କରାଯାଇଥିଲା । ବାପାକୁ ନେବାର ମାତ୍ର ୧୨ ଘଣ୍ଟା ପରେ ଘରେ ଝିଅର ମୃତ୍ୟୁ ଘଟିଥିଲା । ତେବେ ଦୀର୍ଘ ୧୪ ଘଣ୍ଟା ଧରି ଯୁବତୀଙ୍କ ମୃତ ଦେହ ପଡି ରହିଥିବା ବେଳେ ସଂକ୍ରମଣ ଭୟରେ କେହି ମଧ୍ୟ ସାହାଯ୍ୟ କରିବାକୁ ଆସି ନଥିଲେ । ବିଳମ୍ୱିତ ରାତିରେ ଭଞ୍ଜନଗର ପୁଲିସ ପହଞ୍ଚି ଶବ ଉଠାଇବା ସହ ଝିଅର ମୃତ୍ୟୁର କାରଣ କରୋନା ନୁହେଁ ବୋଲି ଗ୍ରାମବାସୀଙ୍କୁ ବୁଝାଇଥିଲା । ତେଣୁ ଶବଦାହ କରିବାରେ କିଛି ଅସୁବିଧା ନାହିଁ ବୋଲି ବୁଝାସୁଝା ପରେ ଶେଷରେ କିଛି ବ୍ୟକ୍ତି ରାଜି ହୋଇ ଶବଦାହ ପକ୍ରିୟା ଶେଷ କରିଥିଲେ।
Comments are closed.