Latest Odisha News

BREAKING NEWS

ମୁମ୍ବାଇରେ ପୁଣି ଫେରିବ ଲକଡାଉନ୍

ମୁମ୍ବାଇ: ମୁମ୍ବାଇରେ ବଢୁଛି କରୋନା ସଂକ୍ରମଣ । ମାମଲା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ, ଏବେ ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛନ୍ତି ମହାରାଷ୍ଟ୍ର ସରକାର । ନୂଆ ସଂକ୍ରମଣକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇରେ ଯାହାବି ଆବଶ୍ୟକ ପଦକ୍ଷେପ ନେଇପାରନ୍ତି ବୋଲି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁମ୍ବାଇ, ପୁଣେ, ନାସିକ ଓ ନାଗପୁରରେ ପୁଣି ଥରେ ଫେରିପାରେ ଲକଡାଉନ୍ କଟକଣା । ମୁମ୍ବାଇ ସଂରକ୍ଷକ ମନ୍ତ୍ରୀ ଅସ୍ଲମ ଶେଖ୍ ଆର୍ଥିକ ରାଜଧାନୀରେ ସଂକ୍ରମଣ ମାମଲା ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ବୋଲି କହିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ୧୦୦୮ ମାମଲା ସହ ମୁମ୍ବାଇରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୫୭୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଆଉ ୪ ଜଣ ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇବା ଯୋଗୁ ମୋଟ ମୃତକଙ୍କ ସଂଖ୍ୟା ୧୧ ହଜାର ୫୦୪ରେ ପହଞ୍ଚିଛି । ମୁମ୍ବାଇ ଲାଗି ଧରାବୀ ଏବେ ଚିନ୍ତାର କାରଣ ପାଲଟିଛି । ଏଠାରୁ କେବଳ ସୋମବାର ୧୮ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ।

ତେବେ ମୁମ୍ବାଇରେ କରୋନା ସଂକ୍ରମଣକୁ ରୋକିବା ଲାଗି ସହରରେ ଏବେ ଅଧିକରୁ ଅଧିକ ଯାଞ୍ଚ କରାଯାଉଛି । ଏହା ସତ୍ତ୍ୱେ ବି ପରିସ୍ଥିତି ପୁଣି ଅଣାୟତ୍ତ ହେବାକୁ ଯାଉଛି । ଏଣୁ ଆବଶ୍ୟକ ପଡିଲେ ମୁମ୍ବାଇରେ ପୁଣି ଥରେ କୋଭିଡ ଲକଡାଉନ୍‌ ଲାଗୁ ହୋଇପାରେ ବୋଲି ଆକଳନ କରାଯାଉଛି । ଥାଣେରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକଡାଉନ କଟକଣା ଜାରି ହୋଇଥିବା ବେଳେ, ଔରଙ୍ଗାବାଦରେ ମାର୍ଚ୍ଚ ୧୧, ନାଗପୁରରେ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି ।

Leave A Reply

Your email address will not be published.